ପାଖେଇ ଆସୁଛି ‘ଅମ୍ପନ’, କଚ୍ଚା ଘରେ ନରହିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ‘ଅମ୍ପନ’ ନେଇ ଏବେ ଲଗାତର ଭାବେ ସୂଚନା ମିଳୁଛି । ପାରାଦୀପର ଦକ୍ଷିଣକୁ ୭୮୦ କିମି ଦୂରରେ ବାତ୍ୟା ‘ଅମ୍ପନ’ ରହିଥିବା ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି ବାତ୍ୟା ଘଣ୍ଟାକୁ ୮ କିମି ବେଗରେ ଗତି କରୁଛି । ଆଉ ଏହା ଏବେ ସମୁଦ୍ର ଭିତରେ ମହାବାତ୍ୟାର ରୂପ ମଧ୍ୟ ନେଇ ସାରିଛି । ଯାହାଫଳରେ ସମୁଦ୍ର ଭିତରେ ୨୩୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ପବନର ବେଗ ୨୬୫ କିମି ଯାଏ ମଧ୍ୟ ବୃଦ୍ଧି ପାଇବା ନେଇ ସେ ସୂଚନା ଦେଇଛନ୍ତି । ତେବେ ୨୦ ତାରିଖ ସୁଦ୍ଧା ଏହା ଦୀଘା-ହାତିଆ ମଝିରେ ଉପକୂଳ ଅତିକ୍ରମ କରିବ । ହେଲେ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଅତିକ୍ରମ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଆଜି ସନ୍ଧ୍ୟାରେ ଗଂଜାମ, ଗଜପତି, ପୁରୀ, କେନ୍ଦ୍ରାପଡାରେ ବର୍ଷା ଆରମ୍ଭ ହୋଇଯିବ । ୧୯ ତାରିଖ ସକାଳୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଉତ୍ତର ଓଡିଶାରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ । ସେଥିପାଇଁ ତଳି ଅଂଚଳ ଲୋକଙ୍କୁ ଆଜିଠୁ ସ୍ଥାନାନ୍ତର କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଆସନ୍ତାକାଲି ଏହି ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରାଯିବ ବୋଲି ସେ କହିଛନ୍ତି । ପବନ ବହୁଥିବା ବେଳେ ଘରୁ ବାହାରନ୍ତୁ ନାହିଁ କିମ୍ବା ଗାଡି ଚଲାନ୍ତୁ ନାହିଁ । ଏହାଛଡା ସାଇକେଲ, ୨ ଚକିଆ, ୪ ଚକିଆ ଗାଡିକୁ ଆଦୌ ବାହାର ନକରିବାକୁ ପରାମର୍ଶ ଦିଆଯାଇଛି ।

ବିଶେଷ ଭାବରେ ବାଲେଶ୍ୱର ଜିଲ୍ଲା ଅତିମାତ୍ରା ରେ ପ୍ରଭାବିତ ହେବାର ଆଶଙ୍କା ରହିଛି ।  ତଳିଆ ଏବଂ ଉପକୂଳବର୍ତ୍ତୀ ଅଂଚଳରେ ରହୁଥିବା ଲୋକମାନେ କଚ୍ଚା ଘରେ ନରହି ସରକାରଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଘରେ ନରଖି ସେମାନଙ୍କୁ ତୁରନ୍ତ ମେଡିକାଲରେ ଆଡମିଟ କରିବାକୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ‘ଅମ୍ପାନ’କୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରୁ ବାଲେଶ୍ୱର ଜିଲ୍ଲାକୁ ପ୍ରବେଶ ଉପରେ କଟକଣା ଲଗାଯିବ । ଏହି କଟକଣାକୁ ଜିଲା୍ଲପାଳ ୨୦ ତାରିଖ ଯାଏଁ ଲଗାଇଥିବା ସୂଚନା ମିଳିଛି । ଜିଲ୍ଲା ବାହାରେ ରହୁଥିବା ତଥା ପ୍ରବାସୀଙ୍କ ଉପରେ ବି କଟକଣା ଲାଗିବ ।