ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ବର୍ଷାର ପ୍ରକୋପ ଲଗାତାର ବଢ଼ିବାରେ ଲାଗିଛି ଏବଂ ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ନେଇ ପାଣିପାଗ ବିଭାଗ (ଆଇଏମଡି) ଶନିବାର ସାରା ସହର ତଥା ଉପନଗର ଅଞ୍ଚଳ ପାଇଁ ”ରେଡ୍ ଆଲର୍ଟ” ଜାରି କରିଛି। ଆସନ୍ତା ସପ୍ତାହାନ୍ତ ମଧ୍ୟରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପ୍ରବଳ ଝଡ଼ପବନ ବହିବାର ଆଶଙ୍କା ରହିଛି।ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇସାରିଛି। ପ୍ରଶାସନ ପକ୍ଷରୁ ବସ ଓ ସାଧାରଣ ପରିବହନ ସେବା ସ୍ୱାଭାବିକ ଥିବା କୁହାଯାଉଥିଲେ ମଧ୍ୟ ସହରର ମୁଖ୍ୟ ଜୀବନରେଖା କୁହାଯାଉଥିବା ଲୋକାଲ୍ ଟ୍ରେନ୍ ଗୁଡ଼ିକ ରେଳଧାରଣାରେ ପାଣି ଜମିବା ଯୋଗୁଁ ନିର୍ଦ୍ଧାରିତ ସମୟଠାରୁ ବେଶ୍ ବିଳମ୍ବରେ ଚାଲୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇର ମୁଖ୍ୟ ସହରାଞ୍ଚଳରେ ହାରାହାରି ୯୯ ମିମି, ପୂର୍ବ ଉପନଗରରେ ୯୮ ମିମି ଏବଂ ପଶ୍ଚିମ ଉପନଗରରେ ୯୪ ମିମି ବର୍ଷା ହୋଇଛି। ପଶ୍ଚିମ ଉପନଗରର ବାନ୍ଦ୍ରା ଅଞ୍ଚଳରେ ସବୁଠାରୁ ଅଧିକ ୧୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ପାରେଲ, ଦାଦର, ମାଟୁଙ୍ଗା, ଫୋର୍ଟ, ବିଖ୍ରୋଲି, ଘାଟକୋପର ଓ ଚେମ୍ବୁର ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।










