ପୁରୀ: ଚିଲିକାରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା । ଶହଶହ ବେଆଇନ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗୁଛି ସ୍ଥାନୀୟ ପ୍ରଶାସନ । ବୋଟ ଉପରେ ଜେସିବି ମେସିନ ସାହାଯ୍ୟରେ ଚାଲିଛି ଘେରି ଉଚ୍ଛେଦ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଗଡ଼ ଜେଟି ପାଖ ଚିଲିକାରୁ ଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ । କୃଷ୍ଣପ୍ରସାଦ ତହସିଲଦାରଙ୍କ ନେତୃତ୍ବରେ ଜୋରଦାର କାର୍ଯ୍ୟାନୁଷ୍ଠାନ । ପ୍ରବଳ ମାତ୍ରାରେ ବେଆଇନ ଚିଙ୍ଗୁଡ଼ି ଘେରି କରାଯାଇଥିବା ନେଇ ବହୁ ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ଏବେ ତତ୍ପର ହୋଇଛି ପ୍ରଶାସନ ।ଚିଲିକା ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଚିଙ୍ଗୁଡ଼ି ଘେରି ଗୁଡ଼ିକୁ ନଷ୍ଟ କରାଯାଉଥିବା ସମୟର ଏକ୍ସକ୍ଲୁସିଭ୍ ଭିଜୁଆଲ ଆମ କ୍ୟାମେରାରେ କଏଦ ହୋଇଛି । ଚିଲିକାରୁ ପାଖାପାଖି ୯୨୦ ଏକରରୁ ଅଧିକ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଚାରି ଦିନ ପର୍ଯ୍ୟନ୍ତ ଏଭଳି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ସ୍ଥାନୀୟ ତହସିଲଦାର ସହଦେଵ ସାହୁ ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।










