31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶମାର୍ଚ୍ଚରେ ଦିଲ୍ଲୀ ବିମାନ ବନ୍ଦର ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ

ମାର୍ଚ୍ଚରେ ଦିଲ୍ଲୀ ବିମାନ ବନ୍ଦର ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ବ୍ୟାପିବାର ଦୁଇବର୍ଷ ପରେ ଚଳିତବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ) ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନ ବନ୍ଦର ଥିଲା । ଗ୍ଲୋବାଲ୍ ଟ୍ରାଭେଲ୍ ତଥ୍ୟ ପ୍ରଦାନକାରୀ ସଂସ୍ଥା ଅଫିସିଆଲ୍ ଏୟାର୍‌ଲାଇନ୍ ଗାଇଡ୍ (ଓଏଜି)ର ଏକ ରିପୋର୍ଟରେ ଦର୍ଶାଯାଇଛି । ଏହି କ୍ଷେତ୍ରରେ ଦୁବାଇ ବିମାନ ବନ୍ଦର ମଧ୍ୟ ଦିଲ୍ଲୀଠାରୁ ପଛରେ ପଡ଼ିଯାଇଥିଲା । ଓଏଜି ରିପୋର୍ଟ ଅନୁସାରେ ଆମେରିକାର ଆଟଲାଣ୍ଟାରେ ଥିବା ହାର୍ଟ୍‌ସଫିଲ୍ଡ-ଜ୍ୟାକ୍‌ସନ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ମାର୍ଚ୍ଚ ମାସର ତାଲିକା ଶୀର୍ଷରେ ରହିଥିଲା । ତେବେ ଫେବୃଆରୀରେ ଆଟ୍‌ଲାଣ୍ଟା ଓ ଦୁବାଇ ପଛରେ ଦିଲ୍ଲା ତୃତୀୟ ସ୍ଥାନରେ ରହିଥିଲା ।
ବିମାନ ବନ୍ଦରର ଘରୋଇ ଏବଂ ଅନ୍ତର୍ଜାତୀୟ ସେକ୍ଟରରେ ବୁକ୍ ହୋଇଥିବା ସିଟ୍ ଆଧାରରେ ଓଏଜି ଏହି ତଥ୍ୟ ପ୍ରଦାନ କରିଛି ।

ରିପୋର୍ଟ ଅନୁସାରେ ମାର୍ଚ୍ଚରେ ଦିଲ୍ଲୀ ବିମାନ ବନ୍ଦରରେ ୩୬.୧ ଲକ୍ଷ ସିଟ୍ ବୁକ୍ ହୋଇଥିଲା ଯାହା ଦୁବାଇ ବିମାନ ବନ୍ଦର (୩୫.୫ ଲକ୍ଷ)ଠାରୁ ଅଧିକ । ସେହିପରି ଆଟ୍‌ଲାଣ୍ଟା ବିମାନ ବନ୍ଦରରେ ଏହି ମାସରେ ମୋଟ ୪୪.୨ ଲକ୍ଷ ସିଟ୍ ବୁକ୍ ହୋଇଥିଲା । ଏହି ସମୟ ମଧ୍ୟରେ ଲଣ୍ଡନର ହେଥ୍ରୋ (୩୫.୧ ଲକ୍ଷ) ଚତୁର୍ଥ ବ୍ୟସ୍ତବହୁଳ ବିମାନ ବନ୍ଦର ଥିଲା । ଏହାପରେ ଡଲାସ୍ ଫୋର୍ଟ ୩୪.୬ ଲକ୍ଷ ସିଟ୍ ସହ ପଞ୍ଚମ ସ୍ଥାନରେ ରହିଥିଲା । କରୋନା ମହାମାରୀ ପୂର୍ବରୁ ଏପ୍ରିଲ୍ ୨୦୧୯ରେ ଦିଲ୍ଲୀ ବିମାନ ବନ୍ଦର ୨୩ତମ ସ୍ଥାନରେ ରହିଥିଲା ।

ଦିଲ୍ଲୀ ଏୟାର୍‌ପୋର୍ଟ ଇଣ୍ଟରନ୍ୟାସ୍‌ନାଲ୍ ଲିମିଟେଡ୍‌ର ସିଇଓ ବିଦେହ କୁମାର ଜୟପୁରିଆ ଏକ ବିବୃତିରେ କହିଛନ୍ତି, କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ବହୁ ଭାବେ ପ୍ରଭାବିତ କରିଥିଲା । ଯାତ୍ରା କଟକଣା ଯୋଗୁଁ ଲଗାତାର ଦୁଇବର୍ଷ ଧରି ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇଥିଲା । ତେବେ ସାରା ବିଶ୍ୱରେ କୋଭିଡ୍ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ସହ ସରକାରମାନେ ଯାତ୍ରା କଟକଣାକୁ ହ୍ରାସ କରୁଥିବା ବେଳେ ଧୀରେ ଧୀରେ ନିଜର ସୀମାଗୁଡ଼ିକୁ ଖୋଲୁଛନ୍ତି । ସେ କହିଥିଲେ, ଗତ ମାସରେ ଭାରତ ନିଜର ସୀମାକୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦେଇଛି ଏବଂ ସମ୍ପୂର୍ଣ୍ଣ ଭାବେ ଟିକାକରଣ ହୋଇଥିବା ଅନ୍ତର୍ଜାତୀୟ ଯାତ୍ରାଙ୍କୁ ଦେଶ ମଧ୍ୟକୁ ପ୍ରବେଶ ଅନୁମତି ପ୍ରଦାନ କରିଛି । ସେ କହିଛନ୍ତି, ଏହି ପଦକ୍ଷେପ ପର୍ଯ୍ୟଟନ ଓ ଯାତ୍ରା କ୍ଷେତ୍ରକୁ ବହୁ ସହାୟତା ପ୍ରଦାନ କରିବା ସହ ବିମାନ ଯାତ୍ରାକୁ ଆବଶ୍ୟକ ପ୍ରୋତ୍ସାହନ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking