ନୂଆଦିଲ୍ଲୀ: ଭାରତୀୟ ବକ୍ସର ଗୌରବ ଚୌହାନ୍ କଜାଖ୍ସ୍ତାନରେ ଅସ୍ତାନାରେ ଚାଲିଥିବା ଏଲୋର୍ଡା କପ୍ ଟୁର୍ଣ୍ଣାମେଣ୍ଟ୍ର ଦ୍ୱିତୀୟ ଦିନ ମଙ୍ଗଳବାର ପୁରୁଷ ୯୨+ କେଜି ସେମିଫାଇନାଲ୍ରେ ପ୍ରବେଶ କରି ପଦକ ପକ୍କା କରିଛନ୍ତି । କ୍ୱାର୍ଟର୍ ଫାଇନାଲ୍ରେ ଗୌରବ କଜାଖ୍ସ୍ତାନର ଡାନିଏଲ୍ ସାପାର୍ବେଙ୍କ ୩-୨ରେ ହରାଇ ଦେଇଛନ୍ତି । ତେବେ ଛଅ ଥରର ଏସିଆନ୍ ଚାମ୍ପିଅନ୍ଶିପ୍ ପଦକ ବିଜେତା ଶିବ ଥାପା ୬୩.୫ କେଜି ବର୍ଗରେ କଜାଖ୍ସ୍ତାନର ଅବ୍ଦୁଲଆଲି ଅଲ୍ମତ୍ଙ୍କଠାରୁ ୧-୪ରେ ପରାଜିତ ହୋଇଛନ୍ତି । ସେହିପରି ସଞ୍ଜୟ (୮୦ କେଜି) ୦-୫ରେ ବର୍ତ୍ତମାନର ଏସିଆନ୍ ଗେମ୍ସ ଚାମ୍ପିଅନ୍ ଚୀନ୍ର ତୁଓହେତାବିଏକ ତାଙ୍ଗଲାତିହନ୍ଙ୍କଠାରୁ ୦-୫ରେ ହାରିଯାଇଛନ୍ତି । ବୁଧବାର ପାଞ୍ଚଜଣ ଭାରତୀୟ ବକ୍ସର୍ ପୱନ୍ ବାର୍ଟୱାଲ୍ (୫୪ କେଜି), କବିନ୍ଦର ସିଂହ ବିଷ୍ଟ୍ (୫୭ କେଜି), ବରିନ୍ଦର ସିଂହ (୬୦ କେଜି), ଅଭିଷେକ ଯାଦବ (୬୭ କେଜି) ଏବଂ ହିତେଶ (୭୧ କେଜି) ସେମାନଙ୍କ କ୍ୱାର୍ଟର୍ ଫାଇନାଲ୍ ବାଉଟ୍ ଖେଳିବେ । ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ) ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ୨୧ ଜଣିଆ ସ୍କ୍ୱାଡ୍ ପଠାଇଛି । ଭାରତ ବ୍ୟତୀତ କଜାକ୍ସ୍ତାନ, ଚୀନ୍, ଜାପାନ ଓ ଉଜ୍ବେକିସ୍ତାନ ବକ୍ସର୍ ଟୁର୍ଣ୍ଣାମେଣ୍ଟ୍ରେ ଅଂଶଗ୍ରହଣ କରୁଛନ୍ତି । ଫାଇନାଲ୍ ଶନିବାର ଅନୁଷ୍ଠିତ ହେବ ।