ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଏକ ପୁରୁଣା ମାନହାନୀ ମୋକଦ୍ଦମା ମାମଲାରେ ଜାମିନ୍ ମିଳିଛି । ଉତ୍ତରପ୍ରଦେଶର ସୁଲତାନ୍ପୁର ସ୍ଥିତ ଏମ୍ପି-ଏମ୍ଏଲ୍ଏ କୋର୍ଟ୍ ଏହି ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି । ଶୁଣାଣି ସମୟରେ ରାହୁଲ ନିଜ ସମର୍ଥକଙ୍କ ସହ କୋର୍ଟରୁମ୍ରେ ଉପସ୍ଥିତ ଥିଲେ । ରାହୁଲ ଗାନ୍ଧୀ କୋର୍ଟରେ ଏହି ମାମଲାରେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ୨୫ହଜାର ଟଙ୍କ୍ା ମୂଲ୍ୟର ୨ଟି ବଣ୍ଡ ମୁଚାଲିକା ଅନ୍ତର୍ଗତ ଜାମିନ୍ ପ୍ରଦାନ କରିଛନ୍ତି । ପ୍ରକାଶ, ୨୦୧୮ ମସିହାରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ବିରୋଧରେ ରାହୁଲ ଅପମାନଜନକ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ, ଶାହାଙ୍କୁ ଆକ୍ଷେପ କରି କିଛି କଥା କହିଥିଲେ । ରାହୁଲ, ଶାହାଙ୍କୁ ହତ୍ୟାକାରୀ ବୋଲି ଟିପ୍ପଣୀ କରିଥିଲେ । ଅନ୍ୟପକ୍ଷେ ବିଜେପି ପକ୍ଷରୁ ରାହୁଲ ଜାଣିଶୁଣି ଶାହାଙ୍କ ମାନ ସମ୍ମାନକୁ ଆଞ୍ଚ୍ ଆଣିବା ପାଇଁ ଏପ୍ରକାର ସମ୍ମାନହାନୀଜନିତ ବିବୃତି ଦେଇଥିବା ଅଭିଯୋଗ କରାଯାଇଥିଲା । ରାହୁଲ ଯେତେବେଳେ ଶାହାଙ୍କ ଉଦ୍ଦେଶ୍ୟରେ ଏପ୍ରକାର ମନ୍ତବ୍ୟ ଦେଇଥିଲେ ସେତେବେଳେ ଶାହା, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ଥିଲେ । ବିଜେପି ନେତା ବିଜୟ ମିଶ୍ର, ରାହୁଲଙ୍କ ବିରୋଧରେ ଏମ୍ପି-ଏମ୍ଏଲ୍ଏ କୋର୍ଟରେ ଏହି ମାନହାନୀ ମୋକଦ୍ଦମାଜନିତ ପିଟିସନ୍ ଦାୟର କରିଥିଲେ ।