ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି ଭୀଷଣ ବାତ୍ୟା ‘ମୁରାସୁ’। ଆଜି ଭୋର ପ୍ରାୟ ୩ଟା ୩୦ରୁ ୫ଟା ୩୦ ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଛି ବାତ୍ୟା। ସ୍ଥଳଭାଗ ଅତିକ୍ରମ ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା। ତେବେ ସ୍ଥଳଭାଗ ଅତିକ୍ରମ ପରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଅପରାହ୍ନ ସୁଦ୍ଧା ବାତ୍ୟାଟି ସାଧାରଣ ବାତ୍ୟାରେ ପରିଣତ ହୋଇପାରେ। ସେହିପରି ମଧ୍ୟରାତ୍ରି ସୁଦ୍ଧା ଏହା ଅତି ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି।
ଅନ୍ୟପଟେ ବାତ୍ୟା ‘ମୁରାସୁ’ର ଓଡ଼ିଶା ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ। ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଆକାଶ ଆଂଶିକ ମେଘୁଆ ରହିପାରେ। ତେବେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ସର୍ବାଧିକ ୪୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।










