ପୁରୀ : ବହୁ ଚର୍ଚ୍ଚିତ ବଗଲା ଧର୍ମଶାଳା ଜମି ଅଭିଯୋଗ ମାମଲା ପୁଣି ନେଇଛିି ନୁଆମୋଡ଼ । ହାଇକୋର୍ଟ ଆଜି ଏହାର ଶୁଣାଣି କରି ୨୩ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ଏନେଇ ସରକାରଙ୍କୁ କିଛି ନୋଟିସ ମିଳିନି ବୋଲି କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପରିଷଦ ସଭ୍ୟ ଆଦି ୨୩ ଜଣ ବ୍ୟକ୍ତିଙ୍କୁ ଜବାବ ଦେବାପାଇଁ କହିଛନ୍ତି । ଆସନ୍ତା ୨୬ରେ ଏହାର ପରବର୍ତ୍ତୀ ଶୁଣାଣି ହେବ । ତେଣୁ ସରକାରଙ୍କୁ ତୁରନ୍ତ ଜଣାଇବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
୨୦୧୯, ଡିସେମ୍ବର ୧୭ରେ ହାଇକୋର୍ଟ ଏହି ମାମଲାରେ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବଗଲା ଧର୍ମଶାଳା ଜମିର କିଛି ଅଂଶ ବିକ୍ରି କରାଯାଇଛି। ପୁରୀ ଜିଲ୍ଲାପାଳ ବଗଲା ଧର୍ମଶାଳା ଜମିକୁ ୬ଜଣ ଲଜିଂ ମାଲିକଙ୍କୁ ବିକ୍ରି କରିଛନ୍ତି। ଏ ନେଇ ପୁରୀ ସବ୍ରେଜିଷ୍ଟ୍ରାରଙ୍କ ନିକଟରେ ବିକ୍ରି କବଲା ମଧ୍ୟ କରାଯାଇଛି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିନା ଅନୁମତିରେ ଜମି ବିକ୍ରି କରାଯିବା ବେଆଇନ ବୋଲି ଦର୍ଶା ଯାଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଂଗକୁ ନେଇ ୨୦୧୯ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁରୀରେ ଭକ୍ତଙ୍କ ରହିବା ପାଇଁ ଧର୍ମଶାଳା ଓ ମଠ ସବୁ ରହିଥିବା ବେଳେ ସୁପ୍ରିମକୋର୍ଟ ୬୦ ହଜାର ଭକ୍ତଙ୍କ ରହିବା ପାଇଁ ବ୍ୟବସ୍ଥା କରିବା ଲାଗି କହିଥିଲେ। ଏପରି ପରିସ୍ଥିତିରେ ସରକାର ଭକ୍ତଙ୍କ ରହିବା ଲାଗି ଥିବା ଧର୍ମଶାଳାର ଜମିକୁ ହୋଟେଲ ଓ ଲଜ୍ ମାଲିକଙ୍କୁ ଦେବା ପାଇଁ ଯୋଜନା କରିବା ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା। ମାମଲାରେ ରାଜ୍ୟ ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି।