27.1 C
Bhubaneswar
Sunday, September 8, 2024
Homeଓଡିଶାଆଜି ପୌର ଭୋଟ ଗଣତି

ଆଜି ପୌର ଭୋଟ ଗଣତି

ଭୁବନେଶ୍ୱର: ଗୁରୁବାର ରାଜ୍ୟର ୧୦୬ଟି ଏନଏସି/ମ୍ୟୁନିସିପାଲିଟି ଏବଂ ୩ ମହାନଗର ନିଗମରେ ପୌର ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ସହରାଞ୍ଚଳର ଭୋଟରମାନେ ମୋଟ ୬,୪୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ । ବର୍ତ୍ତମାନ ସେସବୁ ଇଭିଏମ୍‌ରେ ସିଲ୍ ହୋଇ ରହିଥିବା ବେଳେ ଆସନ୍ତାକାଲି ତାହା ଫିଟିବ । ଭଦ୍ରକ ଜିଲ୍ଲାର ଧାମନଗର ଏନଏସିକୁ ଛାଡ଼ିଦେଲେ ଆସନ୍ତାକାଲି ରାଜ୍ୟର ୧୦୮ ପୌରାଞ୍ଚଳରେ ପଡ଼ିଥିବା ଭୋଟ ଗଣତି ହେବ । ଭୋଟଗ୍ରହଣ ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ୮ ନମ୍ବର ୱାର୍ଡରେ ଇଭିଏମ୍ ବାଲାଟ ୟୁନିଟ୍‌ରେ ତ୍ରୁଟି ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

ସେଠାରେ ଆଜି ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗରେ ହୋଇଥିବା ହିଂସା ଘଟଣା ସକାଶେ ସେଠାରେ ଆଉଥରେ ମତଦାନ କରାଇବାର ଆବଶ୍ୟକତା ଥିବା ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦେଇଥିଲେ । ମାତ୍ର ପରିସ୍ଥିତିରେ ସୁଧାର ଆସିନଥିବାରୁ ସେଠାରେ ଆଜି ନିର୍ବାଚନ କରାଇବା ସମ୍ଭବପର ହୋଇନାହିଁ । ତେଣୁ ଧାମନଗର ଏନଏସିକୁ ଛାଡ଼ି ଆସନ୍ତାକାଲି ରାଜ୍ୟର ୧୦୮ ପୌରାଞ୍ଚଳରେ ଗଣତି ପ୍ରକ୍ରିୟା ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଗଣତି ପାଇଁ କରିଥିବା ବ୍ୟବସ୍ଥା ମୁତାବକ ପ୍ରତି ଏନଏସିରେ କାଉନସିଲରଙ୍କ ଭୋଟ ଗଣିବା ପାଇଁ ୨ଟି ଟେବୁଲ୍ ଏବଂ ଚେୟାରମ୍ୟାନଙ୍କ ଭୋଟ ଗଣନା ପାଇଁ ଅନ୍ୟ ୨ଟି ଟେବୁଲ୍ ରହିବ। ସେହିଭଳି ମ୍ୟୁନିସିପାଲିଟିରେ କାଉନସିଲରଙ୍କ ଭୋଟ ଗଣିବା ପାଇଁ ୫ଟି ଏବଂ ପୌରାଧ୍ୟକ୍ଷଙ୍କ ଭୋଟ୍ ଗଣିବା ଲାଗି ଅନ୍ୟ ୫ଟି ଟେବୁଲ୍ ରହିବ । ଅନ୍ୟପଟେ ମହାନଗର ନିଗମମାନଙ୍କରେ କର୍ପୋରେଟରଙ୍କ ଭୋଟ୍ ଗଣିବା ଲାଗି ୧୨ଟି ଟେବୁଲ ଏବଂ ମେୟରଙ୍କ ଭୋଟ୍ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ୍ ରହିବ ।

ପ୍ରତି ଗଣତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ । ସେମାନଙ୍କୁ ସହଯୋଗ କରିବା ଲାଗି ଏବଂ ଇଭିଏମ୍ ନେବା ଆଣିବା ପାଇଁ ଜଣେ ଗ୍ରୁପ୍ ଡି କର୍ମଚାରୀ ନିଯୁକ୍ତ ହେବେ । ସେହିଭଳି ଗଣତି ଟେବୁଲ୍‌ରେ ବିଭିନ୍ନ ପ୍ରାର୍ଥୀଙ୍କ ତରଫରୁ କେଉଁମାନେ ଏଜେଣ୍ଟ ରହିବେ ସେମାନେ ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କ ବାୟୋଡାଟା ଏବଂ ଫଟୋ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ନିର୍ବାଚନ ଅଧିକାରୀ ସେସବୁ ପରଖିବା ପରେ ସେମାନଙ୍କୁ ଆସନ୍ତାକାଲି ଗଣତି ବେଳେ ବସିବାକୁ ଅନୁମତି ଦେବେ । କାଉନସିଲର ତଥା କର୍ପୋରେଟରଙ୍କ ଭୋଟ ଗଣତି ପାଇଁ ଉଦ୍ଦିଷ୍ଟ ଟେବୁଲରେ ପ୍ରତି ୱାର୍ଡ ପିଛା ସବୁପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ ରହିପାରିବେ । ଅନ୍ୟପଟେ ମେୟର ତଥା ପୌରାଧ୍ୟକ୍ଷ ଭୋଟ୍ ଗଣତି ସ୍ଥାନରେ ଟେବୁଲ ସଂଖ୍ୟା ଯେତିକି, ସେତିକି ସଂଖ୍ୟକ ଏଜେଣ୍ଟ ପ୍ରାର୍ଥୀମାନେ ଦେଇପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ଜଣାଇଛନ୍ତି ।

ବର୍ତ୍ତମାନ ବିଭିନ୍ନ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍ ବାକ୍ସକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଆସନ୍ତାକାଲି ଗଣତି ମଧ୍ୟ ଦ୍ୱିସ୍ତରୀୟ ସୁରକ୍ଷା ମଧ୍ୟରେ ହେବ । କାଉଣ୍ଟିଂ ହଲ୍ ବାହାରେ ଦ୍ୱିସ୍ତରୀୟ ପୁଲିସ ରହିବେ ଏବଂ ଏଜେଣ୍ଟଙ୍କୁ ଭିତରକୁ ଛାଡ଼ିବା ସ୍ଥାନରେ ମଧ୍ୟ ଦ୍ୱିସ୍ତରୀୟ ପୁଲିସ ସୁରକ୍ଷା ରହିବ । ଗଣତିର ସମସ୍ତ ପ୍ରକ୍ରିୟା ସିସିଟିଭି କଭରେଜରେ ରହିବ । ଯେଉଁଠି ସିସିଟିଭି ସମସ୍ୟା ଦେଖାଦେବ, ସେଠି ଭିଡିଓଗ୍ରାଫିର ବ୍ୟବସ୍ଥା କରାଯିବ । ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ କିଛି କର୍ମଚାରୀ ଇଲେକ୍ସନ ଡ୍ୟୁଟି ସାର୍ଟିଫିକେଟ୍ ସାହାଯ୍ୟରେ ନିଜର ଭୋଟ ବାଲାଟ ପେପରରେ ଦେଇଛନ୍ତି । ଆଇନ ଅନୁଯାୟୀ ପ୍ରଥମେ ସେଗୁଡ଼ିକୁ ଗଣତି କରାଯିବ । ସେସବୁ ନିର୍ବାଚନ ଅଧିକାରୀଙ୍କ ଟେବୁଲରେ ଗଣାଯିବ । ପରେ ଇଭିଏମ୍ ଭୋଟ ଗଣାଯିବ ଏବଂ ଉଭୟ ଭୋଟ୍‌କୁ ମିଶାଇକରି ଫଳାଫଳ ପ୍ରକାଶ ପାଇବ । ଗୋଟିଏ ୱାର୍ଡର ସମସ୍ତ ବୁଥ୍ ଗଣାସରିଲେ କାଉଣ୍ଟିଂ ସୁପରଭାଇଜର ମାଇକ୍ ଯୋଗେ ଫଳାଫଳ ବା ବିଜୟୀ କାଉନସିଲର/କର୍ପୋରେଟରଙ୍କ ନାମ ଘୋଷଣା କରିବେ । ତେବେ ଚେୟାରମ୍ୟାନ୍ ଓ ମେୟର ପ୍ରାର୍ଥୀଙ୍କ ଫଳାଫଳ ରାଉଣ୍ଡୱାରୀ ଘୋଷଣା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking