28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାନାଡାରେ ବାସ କରୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି; ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ

କାନାଡାରେ ବାସ କରୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି; ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ଶିଖ୍ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟାମାମଲାରେ ଭାରତୀୟ କୂଟନୀତିଜ୍ଞଙ୍କ ସଂପୃକ୍ତି ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ବିବାଦୀୟ ବୟାନ ଦେବାପରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟ ତିକ୍ତତା ବୃଦ୍ଧି ପାଇଛି । ଉଭୟ କାନାଡା ଓ ଭାରତ ପରସ୍ପରର ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାପରେ ସ୍ଥିତି ଅଧିକ ଜଟିଳ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର କାନାଡାରେ ବାସ କରୁଥିବା ଭାରତୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବାହାରକୁ ଯିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ କାନାଡାରେ ସକ୍ରିୟ ଥିବା ଶିଖ୍ ସଂଗଠନଗୁଡିକ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

ପୁନଶ୍ଚ କାନାଡା ସରକାରଙ୍କ ନିକଟରୁ ପ୍ରୋତ୍ସାହନ ପାଇବାପରେ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ଏପରିକି କାନାଡା ଗସ୍ତରେ ଯିବାକୁ ଇଚ୍ଛୁକ ଭାରତୀୟଙ୍କ ପ୍ରତି ମଧ୍ୟ ଏହି ମାର୍ଗଦର୍ଶିକା ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭାରତ ବିରୋଧୀ ଅଭିଯାନକୁ ବିରୋଧ କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡିକୁ ଏହି ଶିଖ୍ ଗୋଷ୍ଠୀ ଟାର୍ଗେଟ କରୁଛନ୍ତି । ଏପରିକି କାନାଡାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେବା ଆରମ୍ଭ ହୋଇଗଲାଣି । ତେଣୁ କାନାଡାର ଯେଉଁ ସବୁ ସ୍ଥାନରେ ଶିଖ୍ ସଂପ୍ରଦାୟଙ୍କ ସଂଖ୍ୟାଗରିଷ୍ଠତା ରହିଛି, ସେହି ଅଞ୍ଚଳ ଗସ୍ତ ନ କରିବାକୁ ଭାରତୀୟଙ୍କୁ ତାଗିଦା କରାଯାଇଛି ।

ବିଶେଷକରି କାନାଡାରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କୁହାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ, ତୁରନ୍ତ ଅଟାୱାସ୍ଥିତ ଭାରତୀୟ ଦୂତାବାସ କିମ୍ବା ଟରଣ୍ଟୋସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ (କନ୍‌ସୁଲେଟ୍ ଜେନେରାଲ) ସହ ଯୋଗାଯୋଗ କରିବାକୁ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରପକ୍ଷରେ କାନାଡା ସରକାରଙ୍କ ପକ୍ଷରୁ ମଧ୍ୟ ଭାରତରେ ବସବାସ କରୁଥିବା କାନାଡା ନାଗରିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ଭାରତରେ ବିଶେଷ କରି ଜମ୍ମୁ-କଶ୍ମୀର ପରିଦର୍ଶନରେ ନ ଯିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଜାରି ରହିଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହୋଇପଡିଛି ।

ତେଣୁ ପର୍ଯ୍ୟଟନ କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ସେଠାକୁ ନ ଯିବାକୁ କାନାଡାବାସୀଙ୍କୁ କୁହାଯାଇଛି । ସୂଚନାଯୋଗ୍ୟ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଘଟଣାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ କାନାଡା ପାର୍ଲାମେଣ୍ଟରେ ବିବାଦୀୟ ବୟାନ ଦେବାପରେ ଭାରତ-କାନାଡା ସମ୍ପର୍କ ତିକ୍ତ ହୋଇପଡିଛି । ମଙ୍ଗଳବାର କାନାଡା ସରକାର ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାପରେ ଭାରତ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତ ସରକାର ମଧ୍ୟ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ କାନାଡା ବର୍ତ୍ତମାନ ଖଲିସ୍ତାନ ଆନ୍ଦୋଳନର ନାଭିକେନ୍ଦ୍ର ପାଲଟିଥିବାବେଳେ ଟ୍ରୁଡୁ ସରକାର ସେମାନଙ୍କୁ ସବୁପ୍ରକାର ସହଯୋଗ କରିଆସୁଛନ୍ତି । ଏପରିକି ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର କାନାଡା ପ୍ରତିପକ୍ଷଙ୍କ ସହ ଆଲୋଚନା କାଳରେ ଏହି ପ୍ରସଙ୍ଗ ଉତ୍‌ଥାପନ କରି ଭାରତର ଉଗ୍‌ବେଗ ସମ୍ପର୍କରେ ଅବଗତ କରାଇଥିଲେ । ଟ୍ରୁଡୁଙ୍କ ଏଭଳି ବୟାନକୁ ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଏକାଧିକ ରାଷ୍ଟ୍ର ନାପସନ୍ଦ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking