27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ; ସପକ୍ଷରେ ୪୫୪, ବିପକ୍ଷରେ ୨ଟି ଭୋଟ୍‌

ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ; ସପକ୍ଷରେ ୪୫୪, ବିପକ୍ଷରେ ୨ଟି ଭୋଟ୍‌

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ବୁଧବାର ଲୋକସଭାରେ ଗୃହୀତ ହୋଇଛି । ଉକ୍ତ ବିଲ୍‌କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ପରେ ଉପସ୍ଥିତ ସଦସ୍ୟଙ୍କ ମଧ୍ୟରେ ବାଚନିକ ଭୋଟିଂ କରାଯାଇଥିଲା । ୪୫୪ ସଦସ୍ୟ ବିଲ୍ ସପକ୍ଷରେ ଭୋଟ ଦେଇଥିବାବେଳେ ୨ ଜଣ ଏହାକୁ ବିରୋଧ କରିଥିବା ଜଣାପଡିଛି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ମଙ୍ଗଳବାର ଉକ୍ତ ବିଲ୍‌କୁ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ଲୋକସଭାରେ ଆଗତ କରିଥିଲେ । ସୂଚନାଯୋଗ୍ୟ ବର୍ତ୍ତମାନ ସଂସଦର ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନୂତନ ସଂସଦ ଭବନରେ ପ୍ରଥମ ଥର କୌଣସି ବିଲ୍ ଗୃହୀତ ହୋଇଛି । ରାଜ୍ୟସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ ।

ତଦନୁଯାୟୀ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ଆସନ ସଂରକ୍ଷିତ ହେବ ବୋଲି କୁହାଯାଇଛି । ଆସନ୍ତାକାଲି ଅର୍ଥାତ ଗୁରୁବାର ଏହି ବିଲ୍ ରାଜ୍ୟସଭାରେ ଆଗତ କରାଯିବ । ଲୋକସଭାରେ ଗୃହୀତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଲିଙ୍ଗଭିତ୍ତିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି । ଆଇନରେ ପରିଣତ ହେଲେ ସୁଦ୍ଧା ୨୦୨୯ ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଜଣାପଡିଛି । ବର୍ତ୍ତମାନ ଜନଗଣନା ଓ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କାର୍ଯ୍ୟ ସମ୍ପନ୍ନ ହୋଇନାହିଁ । ୨୦୨୪ ଲୋକସଭା ନିର୍ବାଚନ ପରେ ହିଁ ଜନଗଣନା ଓ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବୁଧବାର ଗୃହରେ ସୂଚନା ଦେଇଛନ୍ତି । ପୁନଶ୍ଚ ଏହି ବିଲ୍ ଆଗତ ହେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରାଯାଇଥିବାରୁ ଶାହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

ଏଚ.ଡି.ଦେବେଗୌଡାଙ୍କଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ସବୁ ପ୍ରଧାନମନ୍ତ୍ରୀଙ୍କ ଶାସନକାଳରେ ଏହି ବିଲ୍ ଲୋକସଭାରେ ଆଗତ କରିବାକୁ ପାଞ୍ଚଥର ଉଦ୍ୟମ କରାଯାଇଥିଲେ ସୁଦ୍ଧା ଏହା କାହିଁକି ସଫଳ ହୋଇପରିନଥିଲା ବୋଲି ଶାହ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି । ବୁଧବାର ବିଲ୍ ସମ୍ପର୍କରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କଠାରୁ ଆଲୋଚନା ଆରମ୍ଭ ହୋଇଥିଲା । ସୋନିଆ କହିଛନ୍ତି ଯେ ରୋଷେଇ ଘରୁ ଫ୍ଲଡ୍‌ଲାଇଟ୍‌ଯୁକ୍ତ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାଙ୍କର ଯାତ୍ରା ଅବ୍ୟାହତ ରହିଛି । କଂଗ୍ରେସ ବିଲ୍‌କୁ ଦୃଢ ସମର୍ଥନ କରୁଥିବା ସୋନିଆ କହିଛନ୍ତି । ତେବେ ତଫସିଲଭୁକ୍ତ ଜାତି, ଜନଜାତି ଏବଂ ପଛୁଆବର୍ଗ (ଓବିସି) କ୍ୟାଟେଗୋରୀରେ ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସୋନିଆ ଦାବି କରିଛନ୍ତି ।

ଡିଏମ୍‌କେ ସାଂସଦ କନ୍ନିମୋଝି କହିଛନ୍ତି ଯେ ମହିଳାମାନେ କେବଳ ପତ୍ନୀ, ଭଗିନୀ କିମ୍ବା ଜନନୀ ପରିସୀମାରେ ଆବଦ୍ଧ ରହିବା ଅନୁଚିତ । ସେମାନଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ପ୍ରଦାନ କରିବାକୁ ସେ ଯୁକ୍ତି ଦର୍ଶାଇଛନ୍ତି । ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ମହାରାଷ୍ଟ୍ରର ଜଣେ ବରିଷ୍ଠ ବିଜେପି ନେତା ତାଙ୍କୁ କଟାକ୍ଷ କରି କହିଥିଲେ ଯେ ଘରକୁ ଯାଇ ରନ୍ଧାରନ୍ଧି କର… ଦେଶକୁ ଆଉ କିଏ ଚଳାଇବ । ଏଥିରୁ ବିଜେପିର ମନୋଭାବ ସ୍ପଷ୍ଟ ଜଣାପଡୁଥିବା ସେ କହିଛନ୍ତି । ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ କାକୋଲି ଘୋଷ ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମହିଳା ମଲ୍ଲଯୋଦ୍ଧାମାନେ ଯେତେବେଳେ ଭାରତୀୟ କୁସ୍ତି ଫେଡେରେସନ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ, ସେତେବେଳେ ବିଜେପି ହାଇକମାଣ୍ଡ କାହିଁକି ନିରବ ରହିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଲ୍‌ରେ ଓବିସି ବର୍ଗଙ୍କ ପାଇଁ ବ୍ୟବସ୍ଥା ନଥିବାରୁ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜର ବକ୍ତବ୍ୟ ରଖି କହିଛନ୍ତି ଯେ ସଫଳତା ମିଳିଲେ ସମସ୍ତେ ଏହାର ଶ୍ରେୟ ଦାବି କରିଥାନ୍ତି । ତେବେ ବିଫଳତା ସମୟରେ କେହି ସାମନାକୁ ଆସନ୍ତି ନାହିଁ । ସ୍ମୃତିଙ୍କ ଏହି ମନ୍ତବ୍ୟ ସୋନିଆଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା । ସୂଚନାଯୋଗ୍ୟ ୨୦୦୮ରେ ୟୁପିଏ ସରକାରଙ୍କ ଅମଳରେ ଏହି ବିଲ୍‌ର ଚିଠା ପ୍ରସ୍ତୁତ କରାଯାଇଥିଲା । ୨୦୧୦ରେ ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲେ ସୁଦ୍ଧା ରାଜନୈତିକ ମତାନ୍ତର ଯୋଗୁଁ ଏହା ଲୋକସଭାରେ ଆଗତ ହୋଇପାରିନଥିଲା । ସେତେବେଳେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ଏହାକୁ ଘୋର ବିରୋଧ କରିଥିଲେ ।

ଯଦି ଏହି ବିଲ୍ ସଂସଦରେ ବହୁମତ ଦ୍ୱାରା ଅନୁମୋଦିତ ହୁଏ, ତେବେ ଏହାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ସ୍ୱୀକୃତି ଆବଶ୍ୟକ ହେବ ନାହିଁ ବୋଲି କୁହାଯାଇଛି । ସମ୍ବିଧାନର ଧାରା ୩୬୮ ଅନୁଯାୟୀ ସାମ୍ବିଧାନିକ ସଂଶୋଧନ ବିଲ୍‌କୁ ଅତିକମରେ ୫୦ ପ୍ରତିଶତ ରାଜ୍ୟ ସରକାର ଅନୁମୋଦନ କରିବା ଜରୁରୀ । ତେବେ ମହିଳା ସଂରକ୍ଷଣ ବିଲ୍‌କୁ ଏଭଳି ଏକ ନିୟମରେ ଆଗତ କରାଯାଇଛି, ଯଦ୍ୱାରା ଏହା ବହୁମତରେ ଗୃହୀତ ହେଲେ ରାଜ୍ୟ ସରକାରଙ୍କ ଅନୁମୋଦନର ଆବଶ୍ୟକତା ପଡିବ ନାହିଁ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking