ନୂଆଦିଲ୍ଲୀ: ୨୦୨୪ ଜାନୁଆରୀ ୨୬ରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମୁଖ୍ୟ ଅତିଥିଭାବେ ଯୋଗଦେଇପାରନ୍ତି ବୋଲି ଜଣାପଡିଛି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବାକୁ ବାଇଡେନ୍ ଦିଲ୍ଲୀ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ଅନୁରୋଧ କରିଥିଲେ ।
ବୁଧବାର ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଲରିକ୍ ଗାର୍ସେଟି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେହି ସମୟରେ ଭାରତରେ କ୍ୱାଡ୍ ସମ୍ମିଳନୀ ଆୟୋଜିତ ହେବ କି ବୋଲି ପ୍ରଶ୍ନ ହେବାରୁ ଗାର୍ସେଟି କୌଣସି ସ୍ପଷ୍ଟ ସଙ୍କେତ ଦେଇନାହାନ୍ତି । କୋଭିଡ୍ ଯୋଗୁଁ ୨୦୨୧ ଓ ୨୦୨୨କୁ ବାଦଦେଲେ ପ୍ରତିବର୍ଷ ଭାରତ ପକ୍ଷରୁ ଗଣତନ୍ତ୍ର ଦିବସ ପରେଡ୍ ପାଇଁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମୁଖ୍ୟ ଅତିଥିଭାବେ ଆମନ୍ତ୍ରଣ କରାଯାଇଥାଏ ।