ଭୁବନେଶ୍ୱର : MMDR ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ତାତି ଜାରି ରହିଛି । ଆସନ୍ତାକାଲି ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଆନ୍ଦୋଳନ କରିବ । ବିଧାନସଭା ଘେରାଉ ନେଇ ପୂର୍ବରୁ କଂଗ୍ରେସ ଓ ବାମଦଳଗୁଡ଼ିକ ପକ୍ଷରୁ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଓଡ଼ିଶାରୁ ଯାଇଥିବା ୨୦ ସାଂସଦ ସଂସଦରେ ଏହି ପ୍ରସଙ୍ଗରେ ପାଟି ଖୋଲିନାହାନ୍ତି । ଏହାକୁ ନେଇ କଂଗ୍ରେସ ପ୍ରତିବାଦ କରିବ। ରାଜ୍ୟର ହକ୍ ପାଇଁ ଦଳ ଲଢେଇ କରିବ ବୋଲି ସେ କହିଛନ୍ତି । ତାରା କହିଛନ୍ତି, “ ଆମେ ଏ ପ୍ରସଙ୍ଗ ପ୍ରଥମେ ବିଧାନସଭାରେ ଉଠାଇଥିଲୁ। ପରେ ବିଜେଡି ଆମକୁ ସମର୍ଥନ କରିଛି । ” MMDR ସଂଶୋଧନକୁ ନେଇ ରାଜ୍ୟର ସ୍ୱାର୍ଥ ଓ ଖଣିଜ ସମ୍ପଦ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ଜାରି ରହିବ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ, MMDR Amendment Act, 2026କୁ ନେଇ ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ଲଗାତାର ପ୍ରତିବାଦ କରୁଛନ୍ତି । ଆଇନର ସଂଶୋଧନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳର ବିଧାୟକମାନେ ଗୃହରେ ନାରାବାଜି କରିବା ସହ ଗୃହ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।










