ନୂଆଦିଲ୍ଲୀ : ଗତ ସୋମବାର ଦିନ ଦିଲ୍ଲୀର ଜନ୍ତର-ମନ୍ତରଠାରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଆହ୍ବାନରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଭାବେ ‘ଚଲୋ ସଂସଦ’ ପଦଯାତ୍ରାରେ ସାମିଲ ହୋଇଥିଲେ । ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଛାତ୍ରମାନେ ସରକାରଙ୍କୁ ନ୍ୟାୟ ଦାବି କରୁଥିବାବେଳେ ପୁଲିସ ଲାଠିଚାର୍ଜ କରିଥିଲା, ଯେଉଁଥିରେ ଅନେକ ଛାତ୍ରଛାତ୍ରୀଙ୍କୁ ପୁଲିସ ଅମାନୁଷିକ ଭାବେ ବାଡ଼େଇଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ହାଇକୋର୍ଟଙ୍କୁ କରାଯାଇଥିବା ଆବେଦନରେ ଦାବି କରାଯାଇଥିଲା ଯେ ଏହି ଆନ୍ଦୋଳନ ବିଦେଶରୁ ପାଣ୍ଠି ଗ୍ରହଣ କରୁଥିବା କିଛି ସଂଗଠନ ଏବଂ କିଛି ରାଜନୈତିକ ସ୍ବାର୍ଥର ବଡ଼ ଷଡ଼ଯନ୍ତ୍ର ଏଥିରେ ସାମିଲ ଥିଲା । ତା’ଛଡ଼ା ଏହି ଘଟଣାରେ ଏନ୍ଆଇଏର ତଦନ୍ତ ଦାବି କରାଯାଇଥିଲା । ହାଇକୋର୍ଟ ଆସନ୍ତକାଲି ୨୪ ଜୁଲାଇରେ ଏହି ସମ୍ପର୍କରେ ଶୁଣାଣି କରିବେ । ପଦଯାତ୍ରାକୁ ନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ଆବେଦନରେ ଗୁରୁତର ଅଭିଯୋଗ ଆସିଛି । ଆବେଦନ ଅନୁସାରେ, ପଦଯାତ୍ରା ସମୟରେ ହିଂସାକାଣ୍ଡ ଘଟିଥିଲା । ଲୋକଙ୍କ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରାଯାଇଥିବା ସହ ସରକାରୀ ତଥା ବେସରକାରୀ ସମ୍ପତ୍ତିର କ୍ଷତି ଘଟିଥିବା ଅଭିଯୋଗ ରହିଛି । ଏଥିସହ ସଂସଦର ସୁରକ୍ଷା ବଳୟ ଭେଦ କରିବାକୁ ଚେଷ୍ଟା କରାଯିବା ଏବଂ ଏହି ଘଟଣାରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା କଥା ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି । ଏହି ଆବେଦନ ସତୀଶ କୁମାର ଅଗ୍ରୱାଲଙ୍କ ପକ୍ଷରୁ ଦାଖଲ କରାଯାଇଛି ।










