42.1 C
Bhubaneswar
Saturday, April 27, 2024
Homeଖେଳଆଇପିଏଲ୍ ୨୦୨୪: ବିଜୟରୁ ସିଏସ୍‌କେର ଅଭିଯାନ; ଆର୍‌ସିବି ୬ ୱିକେଟ୍‌ରେ ପରାଜିତ

ଆଇପିଏଲ୍ ୨୦୨୪: ବିଜୟରୁ ସିଏସ୍‌କେର ଅଭିଯାନ; ଆର୍‌ସିବି ୬ ୱିକେଟ୍‌ରେ ପରାଜିତ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୭ତମ ସଂସ୍କରଣର ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ବିଜୟରୁ ଅଭିଯାନ ଆରମ୍ଭ କରିଛି । ଡିଫେଣ୍ଡିଂ ଚାମ୍ପିଅନ୍ ସିଏସ୍‌କେ ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ୬ ୱିକେଟ୍‌ରେ ହରାଇଛି । ପ୍ରଥମେ ବ୍ୟାଟିଂ ନେଇ ଆର୍‌ସିବି ୬ ୱିକେଟ୍ ବିନିମୟରେ ୧୭୩ ରନ୍ କରିଥିଲା । ଜବାବରେ ସିଏସ୍‌କେ ୧୮.୪ ଓଭର୍‌ରେ ୪ ୱିକେଟ୍ ହରାଇ ୧୭୬ ରନ୍ କରି ବିଜୟୀ ହୋଇଛି । ୧୯ତମ ଓଭର୍‌ରେ ଅଲ୍‌ଜାରୀ ଜୋସେଫ୍‌ଙ୍କ ଲଗାତାର ବଲ୍‌ରେ ଶିଭମ୍ ଦୁବେ ଗୋଟିଏ ଛକା ଓ ଚୋଟିଏ ଚୌକା ମାରି ଟିମ୍‌କୁ ବିଜୟୀ କରାଇଛନ୍ତି ।

୧୭୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍‌କେ କ୍ୟାପ୍‌ଟେନ୍ ଋତୁରାଜ ଗାଏକ୍‌ୱାଡ୍ ଚୌକାରେ ଟିମ୍‌ର ଖାତା ଖୋଲିଥିଲେ । ପ୍ରଥମ ଓଭର୍ ବୋଲିଂ କରୁଥିବା ମହମ୍ମଦ ସିରାଜ୍‌ଙ୍କୁ ଦୁଇଟି ଚୌକା ମାରିଥିଲେ । ସିରାଜ୍‌ଙ୍କ ଦ୍ୱିତୀୟ ଓଭର୍‌ରେ ରଚିନ୍ ରବୀନ୍ଦ୍ର ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ । ଚତୁର୍ଥ ଓଭର୍‌ର ଅନ୍ତିମ ବଲ୍‌ରେ ୟଶ୍ ଦୟାଲ୍ ଆର୍‌ସିବିକୁ ପ୍ରଥମ ସଫଳତା ଦେଇଥିଲେ । ୧୫ ରନ୍‌ରେ ବ୍ୟାଟିଂ କରୁଥିବା ଗାଏକ୍‌ୱାଡ୍‌ଙ୍କୁ ସ୍ଲିପ୍‌ରେ ସେ ଗ୍ରୀନ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ । ଟିମ୍‌ର ସ୍କୋର୍ ୭୧ ରନ୍ ଥିବାବେଳେ ରଚିନ୍ ରବୀନ୍ଦ୍ର ୧୫ ବଲ୍‌ରେ ୩ଟି ଲେଖାଏଁ ଚୌକା ଓ ଛକା ସହ ୩୭ ରନ୍ କରି କର୍ଣ୍ଣ ଶର୍ମାଙ୍କ ବଲ୍‌ରେ ରଜତ ପାଟିଦାରଙ୍କୁ କ୍ୟାଚ୍ ଦେଇ ଫେରିଥିଲେ । ପରେ ଆଜିଙ୍କ୍ୟ ରାହାଣେ ୨୭ ରନ୍ କରି ଗ୍ରୀନ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ । ଡାରିଲ୍ ମିଚେଲ୍ ୨୨ ରନ୍‌ରେ ଗ୍ରୀନ୍‌ଙ୍କ ବଲ୍‌ରେ ପାଟିଦାରଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ୍ ଫେରିଥିଲେ । ମିଚେଲ୍‌ଙ୍କ ଆଉଟ୍ ବେଳକୁ ଟିମ୍‌ର ସ୍କୋର୍ ୧୧୦ ରନ୍ ଥିଲା । ଏହାପରେ ଇମ୍ପାକ୍ଟ ପ୍ଲେୟାର୍ ଶିଭମ୍ ଦୁବେ ଓ ରବୀନ୍ଦ୍ର ଜାଡ଼େଜା ଆଉ କୌଣସି ୱିକେଟ୍‌ର ପତନ ଘଟିବାକୁ ନଦେଇ ଟିମ୍‌କୁ ୧୦ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ । ଶିଭମ୍ ଦୁବେ ୨୮ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୩୪ ଏବଂ ଜାଡ଼େଜା ୧୭ ବଲ୍‌ରୁ ଗୋଟିଏ ଛକା ବଳରେ ୨୫ ରନ୍ କରି ଅପରାଜିତ ଥିଲେ । ଆର୍‌ସିବି ପକ୍ଷରୁ ଗ୍ରୀନ୍ ଦୁଇଟି ୱିକେଟ୍ ନେଇଥିବା ବେଳେ ୟଶ୍ ଦୟାଲ୍ ଓ କର୍ଣ୍ଣ ଶର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଟସ୍ ଜିତି ବ୍ୟାଟିଂ ନେଇଥିବା ଆର୍‌ସିବି ପକ୍ଷରୁ ବିରାଟ କୋହଲି ଓ କ୍ୟାପ୍‌ଟେନ୍ ଫାଫ୍ ଡୁପ୍ଲେସିସ୍ ଇନିଂସ୍ ଓପନ୍ କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୪୧ ରନ୍‌ର ଭାଗୀଦାରି କରିଥିଲେ । ଡୁପ୍ଲେସିସ୍ ବିସ୍ଫୋରକ ଇନିଂସ୍ ଖେଳି ୨୩ ବଲ୍‌ରେ ୮ ଚୌକା ସହାୟତାରେ ୩୫ ରନ୍ କରିଥିବା ବେଳେ ମୁସ୍ତାଫିଜୁର୍ ରହମାନ୍ ତାଙ୍କୁ ରଚିନ୍ ରବୀନ୍ଦ୍ରଙ୍କ ହାତରେ କ୍ୟାଚ୍ କରାଇ ଏହି ଯୋଡ଼ି ଭାଙ୍ଗିବା ସହ ରନ୍ ଗତିରେ ବ୍ରେକ୍ ଲଗାଇଥିଲେ । ସ୍ପେଲ୍‌ର ପରବର୍ତ୍ତୀ ଓଭର୍‌ରେ ରଜତ ପାଟିଦାରଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରାଇ ମୁସ୍ତାଫିଜୁର୍ ଆର୍‌ସିବିକୁ ଦ୍ୱିତୀୟ ଧକ୍କା ଦେଇଥିଲେ । ଏହାର ପରବର୍ତ୍ତୀ ଓଭର୍ ବିସ୍ଖୋରକ ବ୍ୟାଟର୍ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ଖାତା ଖୋଲିନପାରି ଫେରିଥିଲେ । ଟିମ୍ ୪୪ ରନ୍‌ରେ ତୃତୀୟ ୱିକେଟ୍ ହରାଇଥିଲା । ଗୋଟିଏ ପଟେ ସର୍ତକତାର ସହ ବ୍ୟାଟିଂ କରୁଥିବା କୋହଲି କାମେରନ୍ ଗ୍ରୀନ୍‌ଙ୍କ ସହ ଇନିଂସ୍ ଆଗକୁ ବଢ଼ାଇ ୩୫ ରନ୍ ଯୋଗ କରିଥିବା ବେଳେ ମୁସ୍ତାଫିଜୁର୍ ତାଙ୍କୁ ଆଉଟ୍ କରି ନିଜର ତୃତୀୟ ୱିକେଟ୍ ହାତେଇଥିଲେ ।

କୋହଲି ୨୦ ବଲ୍‌ରେ ଗୋଟିଏ ଛକା ସହାୟତାରେ ୨୧ ରନ୍‌ର ଇନିଂସ୍ ଖେଳିଥିଲେ । କୋହଲିଙ୍କ ଛକା ଚଳିତ ସିଜନ୍‌ର ପ୍ରଥମ ଛକା ଥିଲା । କୋହଲିଙ୍କ ଆଉଟ୍ ପରେ ପରେ ୧୮ ରନ୍‌ରେ ବ୍ୟାଟିଂ କରୁଥିବା ଗ୍ରୀନ୍ ମୁସ୍ତାଫିଜୁର୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଆର୍‌ସିବି ୭୮ ରନ୍‌ରେ ୫ ୱିକେଟ୍ ହରାଇବା ପରେ ୱିକେଟ୍‌କିପର୍ ଅନୁଜ ରାୱତ୍ ଓ ଦିନେଶ କାର୍ତ୍ତିକ ଇନିଂସ୍ ସମ୍ଭାଳି ୯୫ ରନ୍‌ର ଭାଗୀଦାରି କରିବା ସହିତ ଟିମ୍‌କୁ ସମ୍ମାନଜନକ ଏକ ସ୍କୋର୍‌ରେ ପହଞ୍ଚାଇଥିଲେ । ୧୮ତମ ଓଭର୍‌ରେ ତୁଷାର ଦେଶପାଣ୍ଡେଙ୍କ ଓଭର୍‌ରେ ଉଭୟ ୨୫ ରନ୍ କରିଥିଲେ । ଏହି ଓଭର୍‌ରେ ୩ଟି ଛକା ଓ ଗୋଟିଏ ଚୌକା ସାମିଲ ଥିଲା । ୨୫ ବଲ୍‌ରେ ୪ ଚୌକା ଓ ୩ ଛକା ସହ ଧୂଆଁଧାର ୪୮ ରନ୍ କରିଥିବା ଅନୁଜ ଶେଷ ବଲ୍‌ରେ ଧୋନିଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ଦିନେଶ କାର୍ତ୍ତିକ ୨୬ ବଲ୍‌ରୁ ୩ ଚୌକା ଓ ଦୁଇ ଛକା ସହାୟତାରେ ୩୮ ରନ୍ କରି ଅପରାଜିତ ରହିଥିଲେ । ସିଏସ୍‌କେ ପକ୍ଷରୁ ମୁସ୍ତାଫିଜୁର୍ ସର୍ବାଧିକ ୪ଟି ଏବଂ ଦୀପକ ଚହର ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking