33.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟରୋଗ ଚିକିତ୍ସା ନା’ରେ ଠକେଇ ଓ ଶୋଷଣ : ଅକାଳରେ ଯାଉଛି ଅନେକ ନିରିହ ଜୀବନ

ରୋଗ ଚିକିତ୍ସା ନା’ରେ ଠକେଇ ଓ ଶୋଷଣ : ଅକାଳରେ ଯାଉଛି ଅନେକ ନିରିହ ଜୀବନ

ମୁନିଗୁଡା: ରାୟଗଡା ଜିଲ୍ଲା ଗୁଣୁପୁର ସବ୍‌ଡିଭିଜନର ବିଭିନ୍ନ ବ୍ଲକରେ ଏବେ ଘୁରି ବୁଲୁଛନ୍ତି ବିହାରୀ, ୟୁପି, ହରିଆନା ଆଉ ବଙ୍ଗାଳି ଜଡ଼ିବୁଟି ଗୁଣି ଗାରେଡ଼ି ଚିକିତ୍ସକ । ଅସମ୍ଭବକୁ ଏମାନେ ସମ୍ଭବ କରାଇ ଦେବାର ଭରସା ଦେଇ ଲୁଟି ନେଉଛନ୍ତି ଗରିବ ଓ ଗାଉଁଲି ମଣିଷଙ୍କ କଷ୍ଟୋପାର୍ଜିତ ହଜାରହଜାର ଟଙ୍କା । ଏମାନେ ସର୍ବସମ୍ମୁଖରେ ଲୋକଙ୍କୁ ବୋକା ବନେଇବାରେ ଓସ୍ତାଦ । ଏମାନଙ୍କ କହିବା ଶୈଳୀ,ଭଗବାନଙ୍କ ନାଁରେ ଶପଥ ଆଉ ରୋଗ ଭଲ କରିଦେବାର ଗ୍ୟାରେଣ୍ଟିର ମାୟା ଜାଲରେ ଫସି ଯାଉଛନ୍ତି ସରଳି ଗାଁ ଲୋକେ । ଅନେକ କ୍ଷେତ୍ରରେ ଶିକ୍ଷିତ,ସରକାରୀ କର୍ମଚାରୀ ଓ ଚତୁର ବ୍ୟକ୍ତି ମଧ୍ୟ ଅସାଧ୍ୟ ରୋଗରୁ ତ୍ରାହି ପାଇବା ପାଇଁ ଏହି ଜଡ଼ିବୁଟି,ଡେଉଁରିଆ,ତାବିଜ ଓ ଝଡା ଫୁଙ୍କା ବେପାରୀଙ୍କ ଶିକାର ହେଉଥିବାର ରୋଚକ ଖବର ହସ୍ତଗସ୍ତ ହେଇଛି ଖୋଦ ମୁନିଗୁଡା ସଦର ମହକୁମା ରେଳଷ୍ଟେସନ ସମ୍ମୁଖ ରାସ୍ତା କଡରୁ । ଜଣେ ହିନ୍ଦୀଭାଷୀ ଯୁବକ ନିଜ କଳା କୌଶଳ ସହିତ ତିମି ମେରୁହାଡ଼,ତୈଳ,ତାବିଜ ଓ ଡେଉଁରିଆର ପସରା ମେଳାଇବା ସହିତ ବଡ଼ପାଟିରେ ଚତ୍କାର କରି ଗ୍ରାହକ ମାନଙ୍କୁ ଆକୃଷ୍ଟ କରୁଥିବାର ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ୟକ୍ତି ଜଣଙ୍କ ଗ୍ୟାରେଣ୍ଟି ଦେଇ କହୁଥାଏ ଏହି ତିମି ହାଡ଼ ତାବିଜ ଅଣ୍ଟାରେ ନାଲି ଡୋରରେ ବାନ୍ଧିଲେ ଅଣ୍ଟାବିନ୍ଧା ଗୋଟିଏ ଦିନରେ ଭଲ ହୋଇଯିବ । ସେହିପରି ତିମିତେଲ ଆଣ୍ଠୁ ଗଣ୍ଠିରେ ମାଲିସ କଲେ ବୁଢା ବୁଢ଼ୀ ଯବାନ ଟୋକାଙ୍କ ଭଳି ଦୌଡ଼ି ପାରିବେ । ଏସବୁକୁ ନେବାକୁ ଲୋକଙ୍କ ମଧ୍ୟରେ ଅସମ୍ଭବ ଭିଡ଼ । ଛଡାପଡା ହୋଇ ନେଇଯାଉଛନ୍ତି ଯେମିତି ସମୁଦ୍ର ମନ୍ଥନରୁ ବାହାରିଥିବା ଇଏ ଯେପରି ଅମୃତ କଳଶ । ଅଣ୍ଟା, ଆଣ୍ଠୁଗଣ୍ଠି ବିନ୍ଧା, ଦରଜ, ଗ୍ୟାଷ୍ଟ୍ରିକି, ଗୁପ୍ତରୋଗ ପାଇଁ ଗ୍ୟାରେଣ୍ଟି ଦେଇ ବିକି ଦେଉଛନ୍ତି । ସମସ୍ତ ଦାନ୍ତ, କାନ ସଫା କରିବା ଇତ୍ୟାଦି ଚିକିତ୍ସା ସେମାନେ କରିପାରିବାର ଗ୍ୟାରେଣ୍ଟି ଦେଇ ଚିକିତ୍ସା ପଦ୍ଧତି ଆପଣାଉଛନ୍ତି । ଏମାନେ କେଉଁଠୁ ଆସିଛନ୍ତି, ଚିକିତ୍ସା ପଦ୍ଧତି ଠିକ୍ କି ନାହିଁ, ଚିକିତ୍ସା ନାଁରେ ଅନ୍ୟ କିଛି ଉଦ୍ଦେଶ୍ୟ ଅଛିକି, ସହରର ପବ୍ଲିକ ପ୍ଲେସ ଅବା ଗାଁ ଗଣ୍ଡାରେ ନିର୍ଭୟରେ ସେମାନଙ୍କ ଆଡ୍ଡା ଜମେଇ ବେପାର କରୁଥିବା ବେଳେ କେହି କିପରି ଅଙ୍କୁଶ ଲଗାଉନାହାଁନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷତଃ ଗାଁ ଗଣ୍ଡାରେ ଥିବା ବୁଢ଼ାବୁଢ଼ୀ, ଅସାଧ୍ୟ ରୋଗରେ ପୀଡିତ ରୋଗୀ ହିଁ ଏମାନଙ୍କ ମାୟା ଜାଲରେ ପଡି ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ପ୍ରଶାସନ ଏମାନଙ୍କ ପ୍ରତି ନିଘା ରଖିବା ଦାୟିତ୍ୱ ନୁହେଁକି? ବିଜ୍ଞାନ ଯୁଗରେ ଏବେ ମଧ୍ୟ ମଣିଷ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଶିକାର ହେଉଛି । ସାମାନ୍ୟ ରୋଗବ୍ୟାଧି ହେଲେ ମଧ୍ୟ ଆମ ଅଞ୍ଚଳର ମଣିଷ ମେଡିକାଲ ପରିବର୍ତ୍ତେ ଝଡାଫୁଙ୍କା, ଚେଙ୍କ, ଡେଉଁରିଆ, ତାବିଜ ପାଇଁ ବେଜୁଣି, ଦିଶାରୀ, ଗୁଣିଆ ଏବଂ ହିନ୍ଦୀ ଓ ବଙ୍ଗଭାଷୀ ଧପାବାଜି ଚିକିତ୍ସିତ ଉପରେ ନିର୍ଭର କରୁଛନ୍ତି । ଏଥିପାଇଁ ଅନେକ ଜୀବନ ଅକାରଣେ ଯାଉଛି । ସ୍ୱାଧୀନତାର ୭୫ତମ ବର୍ଷକୁ ଦେଶ ଅମୃତ ମହୋତ୍ସବ ରୂପେ ପାଳନ କରୁଥିବା ବେଳେ ଆଜି ମଧ୍ୟ ଆମ ଅଞ୍ଚଳରେ ଅଜ୍ଞାନ ଅନ୍ଧକାର ଭରି ରହିଛି । ଅନ୍ଧ ବିଶ୍ୱାସର ଅଳନ୍ଦି ମଧ୍ୟରେ ଆଜି ଅଧିକାଂଶ ଫସି ରହିଛନ୍ତି । ଗୁଣୁପୁର ସବ୍‌ଡିଭିଜନର ୭ ବ୍ଲକରେ ଏହି ମାୟାବୀ ମାନଙ୍କ ମାୟାଜାଲ ପଲ୍ଲୀରୁ ସହରର ଗଳୀ କନ୍ଦି ପର୍ଯ୍ୟନ୍ତ ବିଛା ଯାଇଛି । ଏଥିପାଇଁ ସରକାରୀ,ବେସରକାରୀ ସ୍ତରରେ ବ୍ୟାପକ ସଚେତନତା ଆବଶ୍ୟକ । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପ୍ରଶାସନ ଏମାନଙ୍କ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରିବା ନିହାତି ଆବଶ୍ୟକ ହୋଇ ପଡିଛି । ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଲେ ଏମାନଙ୍କ କଳା କାରନାମା ସମ୍ପୂର୍ଣ୍ଣ ଲୋପ ପାଆନ୍ତା ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking