କୋଲ୍କାତା : ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟ୍ରଫି ଭ୍ରମଣ କାର୍ଯ୍ୟକ୍ରମ ଆଇସିସି ପକ୍ଷରୁ ହାତକୁ ନିଆଯାଇଥିବା ବେଳେ ଗୁରୁବାର ଏହା କୋଲ୍କାତାରେ ପହଞ୍ଚିଛି । ସ୍ଥାନୀୟ ମଡର୍ଣ୍ଣ ହାଇସ୍କୁଲ୍ଠାରେ ଆୟୋଜିତ ଏକ ଉତ୍ସବରେ ଏହି ଟ୍ରଫିକୁ ଦେଶର କିମ୍ବଦନ୍ତୀ ମହିଳା କ୍ରିକେଟର୍ ଝୁଲନ୍ ଗୋସ୍ୱାମୀ ସ୍ୱାଗତ କରିଛନ୍ତି । ଏହି ଅବସରରେ ଝୁଲନ୍ ଟିମ୍ ଇଣ୍ଡିଆ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦଠାରେ ୨୦୧୧ ସଂସ୍କରଣର ସଫଳତା ଦୋହରାଇବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେହିପରି ଘରୋଇ ଦଳର ପ୍ରଦର୍ଶନ ଯାହା ବି ହେଉନା କାହିଁକି, ଖେଳାଳିମାନଙ୍କୁ ଭାରତୀୟ କ୍ରିକେଟ୍ପ୍ରେମୀମାନେ ଭରପୂର ସମର୍ଥନ ଦେବାକୁ ମଧ୍ୟ ଝୁଲନ୍ ଅପିଲ୍ କହିଥିଲେ । ସେ କହିଥିଲେ ଯେ ଜିତିବା କିମ୍ବା ହାରିବା ଖେଳର ଅଂଶବିଶେଷ ।
କିନ୍ତୁ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଥିବା କ୍ରିକେଟର୍ମାନେ ସବୁବେଳେ ଆମ ପାଇଁ ହିରୋ ସଦୃଶ । ତେଣୁ ସେମାନଙ୍କୁ ସମସ୍ତେ ସମର୍ଥନ ଦେଲେ, ଦଳ ନିଶ୍ଚିତ ଭାବେ ୧୨ ବର୍ଷର ସଫଳତାକୁ ପୁଣିଥରେ ଦୋହରାଇପାରିବ ବୋଲି ଝୁଲନ୍ ଆଶା ବ୍ୟକ୍ତ କରିଥିଲେ । ଏହି ଅବସରରେ ଝୁଲନ୍ଙ୍କ ସହ ସ୍କୁଲ୍ ପିଲାମାନେ ଫଟୋ ଉଠାଇବା ସହ ବିଶ୍ୱକପ୍ ଟ୍ରଫିକୁ ବେଶ୍ ପାଖରୁ ଦେଖିବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ । କୋଲ୍କାତାରୁ ଟ୍ରଫିଟି ତ୍ରିଭାନ୍ଦ୍ରମ୍ ଓ ପରେ କେରଳ ଗସ୍ତ କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ବିଶ୍ୱକପ୍ ଟ୍ରଫି ଭାରତ ବ୍ୟତୀତ କୁଏତ୍, ବାହରିନ୍, ମାଲେସିଆ, ଆମେରିକା, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ, ଇଟାଲୀ ପରି ମୋଟ ୧୮ଟି ଦେଶ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ।