28.1 C
Bhubaneswar
Saturday, June 21, 2025
Homeଓଡିଶାଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

ଉପକୂଳ ରାଜପଥ ନିର୍ମାଣ ଟେଣ୍ଡର ବାତିଲ ରାଜ୍ୟବାସୀଙ୍କ ପାଇଁ ଏକ ଧୋକା: ବିଜେଡି

ଭୁବନେଶ୍ୱର: ଏନଏଚଏଆଇ ଦ୍ୱାରା ଓଡ଼ିଶାରେ ନିର୍ମାଣ ହେବାକୁ ଥିବା ଉଚ୍ଚାଭିଳାଷୀ ଉପକୂଳବର୍ତ୍ତୀ ରାଜପଥର ଟେଣ୍ଡରକୁ ଅଚାନକ ବାତିଲ କରାଯିବାକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ପ୍ରକଳ୍ପର ଭିତ୍ତିପ୍ରସ୍ତରକୁ ଇତି ମଧ୍ୟରେ ଦଶ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରକଳ୍ପରେ କୌଣସି ଅଗ୍ରଗତି ହୋଇନାହିଁ ଓ ଏବେ ଟେଣ୍ଡର ବାତିଲ ପରେ, ଏହାର ନିର୍ମାଣକୁ ନେଇ ଅନିଶ୍ଚିତତା ଦେଖା ଦେଇଛି । ତେଣୁ, ବିଜେପିର ଡବଲ ଇଞ୍ଜିନ ଡବଲ ବିକାଶ ନାରା ଡବଲ ଧୋକାରେ ପରିଣତ ହୋଇଛି ବୋଲି ବିଜେଡି କହିଛି ।ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, କେନ୍ଦ୍ର ସରକାରଙ୍କ ଉଚ୍ଚାଭିଳାଷୀ ଭାରତମାଳା ପ୍ରକଳ୍ପର ଅଂଶ ଭାବେ, ଓଡ଼ିଶାରେ ପ୍ରାୟ ୪୧୩ କିଲୋମିଟର ଲମ୍ୱର ଉପକୂଳବର୍ତ୍ତୀ ରାଜପଥ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା, ଜୁଲାଇ ୯ ତାରିଖରେ, ପିପିଲି ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ସହିତ, ରତନପୁର ଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ ରାଜପଥ ଭାବେ ମାନ୍ୟତା ଦେଇ ଏହାକୁ ଉପକୂଳ ରାଜପଥ ସହିତ ସଂଯୋଗ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେଲେ, ରାଜ୍ୟର ଭିତ୍ତିଭୂମି, ଗମନା ଗମନ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହିତ ରାଜ୍ୟ ପାଇଁ ଅନେକ ନୂଆ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ ବୋଲି କୁହାଯାଇଥିଲା ।

ପରବର୍ତ୍ତୀ ସମୟରେ, ଏହି ପ୍ରକଳ୍ପର ଦୂରତା ୪୧୩ କିମିରୁ ୩୪୬ କିମିକୁ କମାଇ ଦିଆଯାଇଥିଲା । ରାମେଶ୍ୱର ଠାରୁ ରତନପୁର ପର୍ଯ୍ୟନ୍ତ ୧୭୬ କିମି ଚାରି ଲେନ ବିଶିଷ୍ଟ ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଅପରପକ୍ଷରେ, ରତନପୁର ଠାରୁ ୧୭୦ କିମି ରାସ୍ତା ନିର୍ମାଣର ଡିପିଆର ପ୍ରସ୍ତୁତି ସ୍ତରରେ ଅଟକି ରହିଛି । ଏହି ପ୍ରକଳ୍ପର କାମ ଆଗେଇବାରେ ଅହେତୁକ ବିଳମ୍ୱ ହୋଇଥିବା ବେଳେ, ଟେଣ୍ଡରକୁ ଅଚାନକ ବାତିଲ କରିବା, ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲି ଯାଇଛି ।

ଶ୍ରୀ ଦାସବର୍ମା କହିଥିଲେ, ଏହି ଟେଣ୍ଡରକୁ ବାତିଲ କରିବା ପାଇଁ ପ୍ରଶାସନିକ କାରଣ ଦର୍ଶାଯାଇଥିଲେ ମଧ୍ୟ ବିଶେଷକରି ପ୍ରକଳ୍ପର ପୁନଃଆକଳନ ପରେ ପ୍ରକଳ୍ପର ଢାଞ୍ଚାରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି । ଆରମ୍ଭରୁ, ଏହି ପ୍ରକଳ୍ପରେ ନିର୍ମିତ୍ତ ହେବାକୁ ଥିବା ରାଜପଥ ଚାରି ଲେନ ବିଶିଷ୍ଟ ହେବ ବୋଲି କୁହାଯାଇଥିଲା ଓ ସେହି ହିସାବରେ ଟେଣ୍ଡର ଆହ୍ୱାନ ମଧ୍ୟ କରାଯାଇଥିଲା । କିନ୍ତୁ, ପ୍ରକଳ୍ପର ପୁନଃଆକଳନ ପରେ, ଏହାକୁ ଦୁଇ ଲେନ କରାଯିବ ବୋଲି ସୂଚନା ମିଳିଛି, ଯାହା ଆଦୌ ଗ୍ରହଣୀୟ ନୁହେଁ ।

୨୦୧୫ ମସିହାରୁ, ଏହି ପ୍ରକଳ୍ପର ପରିକଳ୍ପନା ହୋଇଥିଲା ଓ ଏହି ପ୍ରକଳ୍ପ ନିର୍ମିତ୍ତ ହେଲେ ରାଜ୍ୟର ଭିତ୍ତିଭୂମି, ଗମନା ଗମନ, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ସହାୟକ ହୋଇଥାନ୍ତା । ଏହାଛଡା, ଓଡିଶା ଏକ ବାତ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ, ପ୍ରସ୍ତାବିତ ଉପକୂଳ ରାଜପଥ ବାତ୍ୟା ଅଞ୍ଚଳରେ ସହାୟତା ପ୍ରଦାନ ପାଇଁ ମଧ୍ୟ ସହାୟକ ହୋଇଥାନ୍ତା । କିନ୍ତୁ, ଏହି ପ୍ରକଳ୍ପରେ ଅହେତୁକ ବିଳମ୍ୱ ଘଟିବାରୁ ଓ ଏବେ ଟେଣ୍ଡର ବାତିଲ ହୋଇ ଏହାକୁ ଚାରି ଲେନ ପରିବର୍ତ୍ତେ ଦୁଇ ଲେନ କରିବା ପାଇଁ ନିଷ୍ପତ୍ତି ରାଜ୍ୟର ସ୍ୱାର୍ଥ ବିରୋଧୀ ନିଷ୍ପତ୍ତି । ତେଣୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ତୁରନ୍ତ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରନ୍ତୁ ଓ ଏହି ପ୍ରକଳ୍ପ କିପରି ପୂର୍ବ ଯୋଜନା ଅନୁଯାୟୀ ଚାରି ଲେନ ବିଶିଷ୍ଟ ହେବା ସହିତ ଶୀଘ୍ର ସମ୍ପୂର୍ଣ୍ଣ ହେବ, ତାହା ନିଶ୍ଚିତ କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ । ବିଜେପି ସରକାର ଡବଲ ଇଂଜିନ ଡବଲ ବିକାଶ ନାରା ଦେଇ ଆସୁଥିବା ବେଳେ ଉପକୂଳ ରାଜପଥ ପ୍ରକଳ୍ପ ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ଅପେକ୍ଷାକୁ ଧୋକା ସଦୃଶ୍ୟ ହୋଇଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking