ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ, ଦାନା ପାଇଁ ପୁଣି ଫେରିଲେ ଦାଦନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଦିନକୁ ଦିନ କରୋନା କାୟା ବିସ୍ତାର କରୁଛି । ଏହାକୁ ନେଇ ପ୍ରତିଦିନ ବିଭାଗୀୟ ଅଧିକାରୀ ରିପୋର୍ଟ ପ୍ରଦାନ କରୁଛନ୍ତି । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଉଛି । କିନ୍ତୁ ଗାଁ ଗାଁରୁ ପ୍ରତିଦିନ ଶ୍ରମିକମାନଙ୍କୁ ବେଶ ଅସହାୟ ଅବସ୍ଥାରେ ଗାଡି ଯୋଗେ ଅଣାଯାଉଛି । ବିଭିନ୍ନ ଠିକା କମ୍ପାନୀ ଦ୍ୱାରା ଶ୍ରମିକ ଅଣାଯାଉଥିବା ବେଳେ କୋଭିଡ ନିୟମ ଆଦୌ ପାଳନ କରାଯାଉ ନାହିଁ । ଏହି ଗାଡିରେ ଯେଉଁ ଭଳି ଭାବେ ଯାତ୍ରା କରୁଛନ୍ତି ତାହା ସମ୍ପୁର୍ଣ୍ଣ ବିପଦଜନକ ହୋଇଥିବା ବେଳେ ବେଆଇନ ମଧ୍ୟ । ଏହା କୋଭିଡ ଗାଇଡ ଲାଇନକୁ ଉଲ୍ଲଂଘନ କରୁଛି । ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ମଧ୍ୟ ନାହିଁ । ବଲାଙ୍ଗିର ସହରରେ ଖୋଲାଖୋଲି ଭାବେ ପ୍ରତି ଦିନ କେତେ ଯେ ଗାଡି ଶ୍ରମିକ ଚାଲାଣରେ ଲାଗିଛନ୍ତି ତାର କିଛି ହିସାବ ନାହିଁ । ବଲାଙ୍ଗିର ସହରର କଲେଜ ଛକରୁ ବଲାଙ୍ଗିର ମୁଖ୍ୟ ବଜାର ଦେଇ ଅନେକ ଗାଡି ଯାଉନଥିବା ବେଳେ ଏହା କଲେଜ ଛକରୁ ସିଧା ଆଦର୍ଶ ପଡା, ରାଜେନ୍ଦ୍ର ପଡା ଓ ମହିଳା ମହାବିଦ୍ୟାଳୟ ରାସ୍ତା ଦେଇ ଅନ୍ୟତ୍ର ଯାଉଛନ୍ତି । ଟାଉନ ଥାନା ଦେଇ ଗଲେ ଧରାପଡି ଯିବା ଆଳରେ ପ୍ୟାଲେସ ଲାଇନ ରାସ୍ତାକୁ ଅତି ସହଜ ଭାବେ ଶ୍ରମିକ ଚାଲାଣକାରୀ ଗାଡିମାନେ ସୁବିଧା ରାସ୍ତା ବୋଲି ବାଛି ନେଇଛନ୍ତି । ତେବେ ଏସବୁ ଟାଉନ ଥାନା ପୁଲିସ, ପ୍ରଶାସନ ତଥା ଆରଟିଓଙ୍କ ଠାରେ ଖବର ଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଗାଁ’ରୁ ସହରକୁ ଶ୍ରମିକମାନଙ୍କୁ ନେବା ଆଣିବା ପାଇଁ କିଛି ଠିକା ସଂସ୍ଥା ସହ ବଡ ଧରଣରର ଡିଲ ଥିବା ବେଳେ ଏହାକୁ ସୁରକ୍ଷା ଦେଉଛି ନିଜେ ପୁଲିସ ଓ ସଂପୃକ୍ତ ବିଭାଗର ଅଧିକାରୀ । କରୋନା କାଳରେ ଲୋକଙ୍କ ଜୀବନକୁ ବାଜି ଲଗେଇ ଏଭି ବିପଦ ଜନକ କାମ କରୁଥିବା ଲୋକଙ୍କ ବିରୋଧରେ ଆଇନ ଆନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ଜିଲ୍ଲାପାଳ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ସଚେତନ ମହଲରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here