ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧଳପୁର ମହାନଦୀ ବ୍ରିଜ ଘାଟରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବା ଜଣାପଡିଛି। ମାତ୍ର ସୌଭାଗ୍ୟ ବଶତଃ ଜଣେ ଶିଶୁ ସହିତ ଅନ୍ୟ ୧୧ଜଣ ଯାତ୍ରୀ ଏକ ନିଶ୍ଚିତ ମୃତ୍ୟୁରୁ ଅଳ୍ପକେ ବର୍ତୀଯାଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ ଲିପତିଙ୍ଗା ଅଞ୍ଚଳର ଗୋଟିଏ ପରିବାର ୧୨ଜଣ ଲୋକେ ଧଳପୁର ତେନ୍ତୁଳିପଦର ଗ୍ରାମକୁ ଏକ ବିବାହ ଭୋଜି ପାଇଁ ଆଠମଲ୍ଲିକ ପଟୁ ଏକ ଦେଶୀ ଡଙ୍ଗାରେ ଧଳପୁର ପଟକୁ ପାର ହେଉଥିଲେ।
ଅତ୍ୟନ୍ତ ନିଶାସକ୍ତ ଅବସ୍ଥାରେ ନାଉରିଆ ଡଙ୍ଗା ପାର କରୁଥିବା ବେଳେ ନଦୀ ମଝିରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା। ଫଳରେ ଯାତ୍ରୀମାନେ ନିଜ ଚେଷ୍ଟାରେ ଜଣେ ଶିଶୁକୁ ଧରି କୂଳରେ ସୁରକ୍ଷିତ ପହଞ୍ଚିଥିବା ଜଣାପଡିଛି। ପାଣିରେ ଦୁଇଟି ବାଇକ ବୁଡିଯାଇଥିବା ବେଳେ ଯାତ୍ରୀଙ୍କର ୪୦ହଜାର ଟଙ୍କା ସୁନା ମଧ୍ୟ ନଦୀରେ ବୁଡି ଯାଇଥିବା ଖବର ହସ୍ତଗତ ହୋଇଛି। ଖବରପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମ ବାହୀନି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜଣାପଡିଛି। ଅନ୍ୟପଟେ ହରଭଙ୍ଗା ଆଇଆଇସି ସଞ୍ଜିବୀ ରଣଭୂଇଁଷା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳେଇଥିବା ଜଣାପଡିଛି।