41.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶବେଙ୍ଗାଲୁରୁ ବିସ୍ଫୋରଣ ଘଟଣା; ମାଷ୍ଟରମାଇଣ୍ଡ୍ ସମେତ ୨ ଗିରଫ

ବେଙ୍ଗାଲୁରୁ ବିସ୍ଫୋରଣ ଘଟଣା; ମାଷ୍ଟରମାଇଣ୍ଡ୍ ସମେତ ୨ ଗିରଫ

ବେଙ୍ଗାଲୁରୁ : ବେଙ୍ଗାଲୁରୁ କୁଣ୍ଡଲାହାଲି ସ୍ଥିତ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ୨ ଅପରାଧୀ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ଏଜେନ୍ସି ଏନ୍‌ଆଇଏ । ଶୁକ୍ରବାର ପଶ୍ଚିମବଙ୍ଗର କୋଲକାତା ସହରରେ ଏମାନେ ଛଦ୍ମ ନାମରେ ଲୁଚି ରହିଥିବା ସୂଚନା ମିଳିବା ମାତ୍ରେ ଏନ୍‌ଆଇଏ ପକ୍ଷରୁ ଚଢ଼ଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି । ଏହି ୨ ଅପରାଧୀଙ୍କ ମଧ୍ୟରୁ ଜଣେ ଘଟଣାର ମାଷ୍ଟରମାଇଣ୍ଡ୍ ରହିଥିବା ବେଳେ ଅନ୍ୟଜଣେ ଘଟଣା ଘଟିିବା ଦିନ ବୋମାଥିବା ବ୍ୟାଗ୍‌କୁ କାଫେରେ ରଖିଆସିଥିଲା । ତେବେ ଏମାନଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଘଟଣାର ମାଷ୍ଟରମାଇଣ୍ଡ ଥିବା ଅଭିଯୁକ୍ତର ନାମ ଅବଦ୍ଦୁଲ୍ ମାଥିନ୍ ତାହା ହୋଇଥିବା ବେଳେ ବୋମା ଭର୍ତ୍ତି ବ୍ୟାଗ୍ କାଫେରେ ଛାଡିଥିବା ଯୁବକର ନାମ ମୁସାବିର ହୁସୈନ୍ ସାଜିବ୍ ବୋଲି ଜଣାପଡ଼ିଛି ।
ପ୍ରକାଶ, ମାର୍ଚ୍ଚ ୧ରେ ବେଙ୍ଗାଲୁରୁ ସ୍ଥିତ ରାମେଶ୍ୱରମ୍ କାଫେ’ରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ୯ଜଣ ଆହତ ହୋଇଥିଲେ । ତେବେ ବିସ୍ଫୋରଣ ଘଟିବା ପରେ ପରେ ସିସିଟିଭି ଫୁଟେଜ୍‌ରୁ ଜଣେ ବ୍ୟକ୍ତି ବୋମା ଭର୍ତ୍ତିଥିବା ଏକ ବ୍ୟାଗ୍ ସହ କାଫେ ମଧ୍ୟକୁ ଯିବା ଏବଂ ସେଠାରେ ଏକ ଡାଇନିଂ ଟେବୁଲ୍‌ରେ ବସି କିଛି ଖାଇବା ଅର୍ଡର କରିଥିଲେ ମଧ୍ୟ ନଖାଇ ପଳାଇଆସିଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଉକ୍ତ ଯୁବକଜଣକ ବିନା ବ୍ୟାଗ୍‌ରେ ବାହାରକୁ ଚାଲିଆସୁଥିବା ଏବଂ ଟୋପି ତଥା କପଡ଼ା ସାହାଯ୍ୟରେ ମୁହଁକୁ ଲୁଚାଇବାକୁ ଚେଷ୍ଟା କରିବା ଆଳରେ ସେଠାରୁ ପଳାୟନ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଯୁବକଜଣକ ଯେତେବେଳେ ବ୍ୟାଗ୍ ସେଠାରେ ଛାଡିଆସିଥିଲା ଏହାର କିଛି କ୍ଷଣମଧ୍ୟରେ ସେଠାରେ ଭୟାବହ ବିସ୍ଫୋରଣ ହୋଇଥିଲା ଏବଂ କିଛି କାଫେ କର୍ମଚାରୀଙ୍କ ସମେତ ମୋଟ୍ ୯ଜଣ ଗୁରୁତର ଆହତ ହୋଇଥିଲେ ।
ଏନ୍‌ଆଇଏ ମୁଖପାତ୍ର କହିଛନ୍ତି, ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଫେରାର ଥିବା ଅମଦ୍ଦୁଲ ମଥିନ୍ ତାହା ଏବଂ ମୁସାଭିର ହୁସେନ୍ ଶାଜିବ କୋଲକାତା ସହରରେ ଏକ ଭଡା ଘରେ ମିଥ୍ୟା ପରିଚୟ ଦେଇ ରହୁଥିବା ଜଣାପଡିଥିଲା । ଏହି ଦୁଇ ଅଭିଯୁକ୍ତଙ୍କୁ ୨୦୨୦ ମସିହାର ଏକ ଆତଙ୍କବାଦୀ ଘଟଣାରେ ମଧ୍ୟ ବହୁପୂର୍ବରୁ ଖୋଜା ଯାଉଥିଲା । ଅବଦ୍ଦୁଲ୍ ମାଥିନ୍ ତାହା ବେଙ୍ଗାଲୁରୁ ସ୍ଥିତ ଆଇଏସ୍‌ଆଇଏସ୍‌-ଅଲ୍ ହିନ୍ଦ୍ ଆତଙ୍କୀ ନେଟୱାର୍କର ଜଣେ ସକ୍ରିୟ ସଦସ୍ୟ । ତେବେ ମୁସାବିର ହୁସୈନ୍ ସାଜିବ୍‌ର ଏପ୍ରକାର ଆତଙ୍କୀ କାର୍ଯ୍ୟକଳାପ ସମ୍ପର୍କରେ ଏବେ ଖୋଳତାଡ ଚାଲିଛି । କିନ୍ତୁ ଉଭୟଙ୍କୁ ଏକ ବିଦେଶୀ ଫୋନ୍ ନମ୍ବରରୁ ନିର୍ଦ୍ଦେଶ ଆସୁଥିଲା ଏବଂ ଏସବୁ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଧ୍ୟ ମିଳୁଥିଲା ବୋଲି ଜଣାପଡିଛି । ତେବେ ଏହି ଦୁଇଜଣଙ୍କ ଗିରଫଦାରୀ ପରେ କର୍ଣ୍ଣାଟକ ସମେତ ଦେଶର ଅନ୍ୟ କେଉଁ କେଉଁ ରାଜ୍ୟରେ ଆତଙ୍କବାଦୀଙ୍କ ପାଇଁ କାମ କରୁଥିବା ସ୍ଲିପର ସେଲ୍ ସମ୍ପର୍କରେ ଏକ ବଡ଼ ସୂଚନା ଆଗକୁ ମିଳିପାରିବ ବୋଲି ଅନୁମାନ କରାଯାଉଛି । ଏନ୍‌ଆଇଏ ପକ୍ଷରୁ ଏହି ୨ଜଣଙ୍କ ଉପରେ ୧୦ ଲକ୍ଷ ଲେଖାଏ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, ମାର୍ଚ୍ଚ ୩ରେ ଏହି ଘଟଣାର ତଦନ୍ତ ଭାରତ ଏନ୍‌ଆଇଏ ଉପରେ ନ୍ୟସ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking