ନୂଆଦିଲ୍ଳୀ: ଆସନ୍ତା ମାସ ଅଗଷ୍ଟ ଶେଷ ସୁଦ୍ଧା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତି ହେବେ । ଆଜି ଏସମ୍ପର୍କରେ ବିଜେପି ପକ୍ଷରୁ ଏକ ବଡ଼ ସୂଚନା ଦିଆଯାଇଛି । ବିଜେପି ଶିବିରରୁ ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ଅଗଷ୍ଟ ଶେଷ ସୁଦ୍ଧା ଦଳକୁ ମିଳିପାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଗଷ୍ଟ ମାସରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ଜଣେ ନୂଆ ଚେହେରାଙ୍କୁ ଏହି ଦାୟିତ୍ୱ ଦେବାକୁ ବିଜେପି ଯୋଜନା କରୁଛି । ସୁତରାଂ ଦଳ ପକ୍ଷରୁ ସର୍ବମତାନୁସାରେ ଏହି ସମୟ ସୁଦ୍ଧା ଜଣେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ତେବେ ବିଜେପିର ଅଧ୍ୟକ୍ଷ ପଦ ଦୌଡରେ ସ୍ମୃତି ଇରାନୀ ସବୁଠୁ ଆଗରେ ଥିବା କୁହାଯାଉଛି । ଆଜି ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କୌଣସି ମହିଳାଙ୍କୁ ଦଳ ସୁଯୋଗ ଦେଇନଥିବା ବେଳେ ପ୍ରଥମ ଥର ପାଇଁ ଏହା ଉପରେ ଦଳ ବିଚାର କରୁଥିବା ଜଣାପଡିଛି । ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ସମସ୍ତ ରାଜ୍ୟର ମହାସଚିବଙ୍କ ବୈଠକରେ ମଧ୍ୟ ଏନେଇ ବିଚାର ବିମର୍ଶ କରାଯାଉଥିବା ଜଣାପଡିଛି । ମୋଦୀଙ୍କ ତୃତୀୟ କାଳରେ ଜେପି ନଡ୍ଡାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସମୟରେ ଏକସଙ୍ଗେ ୨ଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ (ବିଜେପିର ଅଧ୍ୟକ୍ଷ ଦାୟିତ୍ୱ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ) ତୁଲାଉଥିବାରୁ ନଡ୍ଡାଙ୍କ ଉପରେ ଅଧିକ ଚାପ ପଡୁଥିବା ଦୃଷ୍ଟିକୋଣରୁ ଦଳ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଚିନ୍ତା କରୁଛି ।