34.1 C
Bhubaneswar
Monday, May 25, 2026
Homeଓଡିଶାନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଶାନ୍ତ

ନବୀନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଶାନ୍ତ

ଭୁବନେଶ୍ୱର:ରାଜନୀତିରେ କେତେବେଳେ କ’ଣ ଘଟିବ ଏବଂ କିଏ କେତେବେଳେ କଡ଼ ଲେଉଟାଇବ ତାହା ଆକଳନ କରିବା କଷ୍ଟକର। ରାଜନେତାମାନଙ୍କର କାର୍ଯ୍ୟାଧାରା ଓ ଚରିତ୍ର ଅତ୍ୟନ୍ତ ବିଚିତ୍ର। ଦେଶଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବହୁ ନେତାଙ୍କୁ ଏପରି ଦେଖାଯାଇଛି ଅତିତର ତିକ୍ତତାକୁ ଭୁଲି ପଛକୁ ଫେରିଛନ୍ତି। ଆଜି ସେଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଚରଣ ସମସ୍ତଙ୍କୁ ଚକିତ କରିଛି। ହଠାତ୍ ସେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗାଡ଼ି ନିକଟକୁ ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଭିଡିଓ ଭାଇରାଲ ହେଉଛି। ଏହା ଉପରେ ତାଙ୍କର ପ୍ରତିକ୍ରିୟା ବି ଆସିଛି ଯାହା ଅତି ତାତ୍ପର୍ଯ୍ୟପୂର୍ଣ୍ଣ। ତାଙ୍କ କାର୍ଯ୍ୟ ଓ କଥାକୁ ନେଇ ଯାହା ଚର୍ଚ୍ଚା ହେଉଛି ବିଜେପିରେ କ’ଣ ତାଙ୍କର ମନ ଭରି ଗଲାଣି କି? ସେ ପୁଣି ନବୀନଙ୍କ ଶରଣକୁ ଫେରିବାକୁ ଚାହୁଁଛନ୍ତି ବୋଲି ତାଙ୍କ କାର୍ଯ୍ୟାଧାରାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।

ରାଜନୌତିକ ବ୍ୟକ୍ତିମାନେ କୌଣସି ଘଟଣାକୁ ନେଇ ଚିରକାଳ ଶତ୍ରୁ ହୋଇ ରହୁଥିବା ଦେଖାଯାଏନି। ପରିବର୍ତ୍ତିତ ପରିସ୍ଥିତିରେ ଅତିତକୁ ଭୁଲି ବର୍ତ୍ତମାନର ସୁବିଧାକୁ ଆପଣାଇ ନେଇଥାଆନ୍ତି ନେତାମାନେ। ଏହାର ଉଦାହରଣ ବେଶ୍ ଲମ୍ବା। ଜାତୀୟସ୍ତରରେ ଦେଖିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନର ରାଜ୍ୟସଭା ସାଂସଦ ନୀତିଶ କୁମାର ଗୋଟିଏ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କଡ଼ା ସମାଲୋଚକ ଥିଲେ ଓ ମୋଦୀଙ୍କୁ ତୀବ୍ର ବିରୋଧ କରୁଥିଲେ। ପରିବର୍ତ୍ତିତ ପରିସ୍ଥିତିରେ କ୍ଷମତାରେ ରହିବା ପାଇଁ ଶେଷର ସେ ମୋଦୀଙ୍କ ସହ ହାତ ମିଳାଇ ତାଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଓଡ଼ିଶା କଥା ଦେଖିଲେ ନବୀନ ପଟ୍ଟନାୟକ ଓ ବିଜୟ ମହାପାତ୍ରଙ୍କ ଭିତରେ ତିକ୍ତତା କେତେ ତଳସ୍ତରକୁ ଯାଇଥିଲା ତାହା କାହାକୁ ଅଛପା ନାହିଁ। ପଛରୁ ଛୁରି ମାରିବା ସହ ନିର୍ବାଚନ ରାଜନୀତିରୁ ଦୀର୍ଘବର୍ଷ ଧରି ବିଜୟଙ୍କୁ ଦୂରେଇ ରଖିଥିଲେ ନବୀନ। ହେଲେ ଶେଷରେ ମୁଣ୍ଡ ନଉନଥିବା ବିଜୟ ବି କ୍ଷମତା ପାଇଁ ନିଜ ପୁଅକୁ ନବୀନଙ୍କ ଶରଣରେ ଛାଡ଼ିଥିଲେ। ପରେ ଅବଶ୍ୟ ପରିଣତି ବିଜୟ ଭୋଗିଲେ। କିନ୍ତୁ ପକାଇ ଥିବା ଛେପକୁ ପ୍ରଥମେ ବିଜୟ ଢ଼ୋକିଲେ, ଏକଥାକୁ ଅସ୍ୱୀକାର କରିହେବ ନାହିଁ।

ନବୀନଙ୍କ ସହ ତିକ୍ତତା ସୃଷ୍ଟି ହେବାପରେ ଅନେକ ନେତା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ଟିକେଟ୍‌ରେ ଲଢ଼ି ବିଧାୟକ ଓ ସାଂସଦ ହୋଇଛନ୍ତି। ସେମାନଙ୍କ ଭିତରୁ ଅନେକ ବିଜେପିରେ ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି କି ବିଜେପି ସହ ଆଗକୁ ନିଜ ରାଜନୈତିକ ଭବିଷ୍ୟତ ଦେଖିପାରୁ ନାହାନ୍ତି ବୋଲି ଆଲୋଚନା ହୋଉଛି। ସେଥିପାଇଁ ଜଣଙ୍କ ପରେ ଜଣେ ଏବେ ମନ ପରିବର୍ତ୍ତନ କରୁଥିବା ନେଇ ଆଲୋଚନା ହେଉଛି। ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ନବୀନଙ୍କ ସହ ତାଙ୍କର ତିକ୍ତତା କେତେଦୂର ଯାଇଥିଲା ତାହା କାହାକୁ ଅଛପା ନାହିଁ। ସେ ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇ ସାଂସଦ ହୋଇଛନ୍ତି। କଥା କଥାକେ ସେ ବିଜେଡି ଉପରେ ବର୍ଷୁଥିଲେ ଓ ବିଜେପିର ଆଗଧାଡ଼ିର ନେତାଭାବେ ନିଜକୁ ପ୍ରତିପାଦିତ କରିବା ପାଇଁ ଉଦ୍ୟମ ଚଳାଇଥିଲେ। ଏବେ ହଠାତ୍ ସେ ସପୂର୍ଣ୍ଣ ନୀରବ ହୋଇଯାଇଛନ୍ତି ଆଉ ବିଜେପିର କାର୍ଯ୍ୟକ୍ରମରେ ଆଗଧାଡ଼ିରେ ଦେଖିବାକୁ ମିଳୁ ନାହାନ୍ତି। ନିକଟରେ ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ପ୍ରକାଶ ପାଇଥିଲା ଯେ ସେ କୁଆଡ଼େ ପୁଣି ବିଜେଡି ଫେରିବାକୁ ମନ ବଳାଇଲେଣି ଓ ଏଥିନେଇ ଯୋଗାଯୋଗରେ ଅଛନ୍ତି। ଏହି ଅଭିଯୋଗକୁ ସେ ଏପର୍ଯ୍ୟନ୍ତ ଖଣ୍ଡନ କରିନାହାନ୍ତି।

ଆଜିର ରାଜନୀତିରେ ମୁଖ୍ୟ ଚର୍ଚ୍ଚାରେ ଅଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ଏମିତ ତ ବିଭିନ୍ନ ସମୟରେ ତାଙ୍କର କାର୍ଯ୍ୟଧାରା ପାଇଁ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ସ୍ୱଭାବ ଯାହା ସେଥିରେ ସେ ବିଜେପିରେ ନିଜକୁ ଖାପ୍ ଖୁଆଇ ପାରୁ ନାହାନ୍ତି। ବିଜେଡିରୁ ନବୀନ ତାଙ୍କୁ ବିଦାକରି ଦେବାପରେ ସେ ବହୁ ବିଷୋଦଗାର କରିଥିଲେ। ବିଜେପିରୁ ଟିକେଟ୍ ନେଇ ୨୦୨୪ ନିର୍ବାଚନରେ ଜିତିବା ପରେ କେବେ ପ୍ରଶାନ୍ତଙ୍କୁ ଆଉ ବିଜେଡି ଆଡ଼କୁ ଢ଼ଳିବା ଦେଖାଯାଇ ନଥିଲା। ବିଦାହେବା ପରେ ପ୍ରଶାନ୍ତ ଯେ କେବେ ଆଉ ନବୀନଙ୍କ ସହ ଦେଖା ସାକ୍ଷାତ ହୋଇ ନାହିଁ ଏକଥା କୁହାଯାଇ ନପାରେ। ବିଧାନସଭାଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମରେ ନବୀନଙ୍କୁ ସେ ନିଶ୍ଚୟ ଦେଖିଛନ୍ତି ଓ ନିକଟତର ମଧ୍ୟ ହୋଇଛନ୍ତି। ହେଲେ କେବେ ବି ଦେଖାଯାଇ ନଥିଲା କି ସେ ନବୀନଙ୍କ ପାଖକୁ ଯାଇ ମୁଣ୍ଡିଆ ମାରିବା। ଏହା ମଧ୍ୟରେ କ’ଣ ରାଜନୈତିକ ପରିବର୍ତ୍ତନ ହୋଇଛି ଯେ ସେ ନିଜର ମନକୁ ବଦଳାଇ ନବୀନଙ୍କ ଗାଡ଼ି ପାଖକୁଯାଇ ପାଦଛୁଇଁ ମୁଣ୍ଡିଆ ମାରିଲେ। ନବୀନ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତଙ୍କ ୧୦୬ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେ ଗାଡ଼ିରୁ ଓହ୍ଲାଇବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ପ୍ରଶାନ୍ତ ପୋଲିସ ଭିଡ଼କୁ ଠେଲି ଯାଇଥିଲେ ଓ ନବୀନଙ୍କ ପାଦଛୁଇଁ ମୁଣ୍ଡିଆ ମାରିଥିଲେ। ଏହି ଘଟଣାକୁ ନେଇ ତାଙ୍କୁ ଯେତେବେଳେ ଗଣମାଧ୍ୟମରେ ପ୍ରଶ୍ନ କରାଯାଇଥିଲା ପ୍ରଶାନ୍ତ ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସେ କହିଥିଲେ ‘ ନିଶ୍ଚିତ ଭାବେ ଯାହା ହେଲେ ନବୀନବାବୁ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ମୋର ରାଜନୈତିକ ଜୀବନ ଆରମ୍ଭ ବେଳେ ତାଙ୍କର ଅବଦାନ ଓ ତାଙ୍କର ଆଶୀର୍ବାଦ ପଡ଼ିଥିଲା। ମୋତେ ରାଜନୈତିକ କ୍ଷେତ୍ରରେ ଆଗକୁ ନେଇଥିଲେ। ତାଙ୍କ ପ୍ରତି ମୋର ସେତିକି ଆନ୍ତରିକତା, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ରହିଛି। ମୋତେ ସେ ଆଶୀର୍ବାଦ ଦେଲେ। ମୋର ନିଶ୍ଚିତ ଭାବରେ ହୃଦୟର ଅନ୍ତରର ସମ୍ମାନ ରହିଛି। ତାଙ୍କର ରାଜନୈତିକ ଜୀବନ ଓ ତାଙ୍କ ଜୀବନ ମଧ୍ୟ ଦୀର୍ଘମୟ ହେଉ, ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି ଏବଂ ମୁଁ ଶେଷର ଚାହୁଁଛି ଯେ ସୁସ୍ଥ ଜୀବନ ଜିଅନ୍ତୁ ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ। ନବୀନବାବୁ ବିଜୁ ଜନତା ଦଳର ନେତା ଅଛନ୍ତି। ତାଙ୍କ ଅନ୍ତେ ସମୟ କହିବ।’ପ୍ରଶାନ୍ତଙ୍କ ଏହି ମତରୁ ତାଙ୍କ ମନୋଭବ ବିଜେଡି ଆଡ଼କୁ ଢ଼ଳିଲାଣି ତାହା ସ୍ପଷ୍ଟ ବୁଝାପଡ଼ୁଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking