କୋଲକତା : ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ଗରମ ହେବାରେ ଲାଗିଛି। ଘନ ଘନ ପ୍ରଚାର ଏବଂ ରୋଡ ଶୋ ମଧ୍ୟ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି ତାଲିକାରେ ୬୩ ଜଣ ପ୍ରାର୍ଥୀ ରହିଛନ୍ତି। ଆଉ ଏହି ୬୩ ଜଣଙ୍କ ମଧ୍ୟରେ ବିଜେପିର ଚାରି ସାଂସଦ, ଜଣେ କେନ୍ଦ୍ରମନ୍ତ୍ରୀ ଓ ଟଲିଉଡର ୪ କଳାକାର ରହିଛନ୍ତି। ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟୋଲାଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି।
ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଲାହିରି ଅଲିପୁରଦ୍ୱାର, ଡୋମଜୁରରୁ ରାଜୀବ ବାନାର୍ଜୀ, ସିଙ୍ଗୁରରୁ ରବୀନ୍ଦ୍ରନାଥ ଭଟ୍ଟାଚାର୍ୟ୍ୟ, ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ତାରକେଶ୍ୱରରୁ ପ୍ରାର୍ଥୀ ହେବେ। ସାଂସଦ ନିଶିଥ ପ୍ରମାଣିକ ଦିନହାଟ ବିଧାନସଭା ଆସନରୁ, ତାଲିଗଞ୍ଜରୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଅଭିନେତା ୟଶ ଦାସଗୁପ୍ତ ଚଣ୍ଡିତାଲାରୁ ପ୍ରାର୍ଥୀ ହେବେ। ଅଭିନେତ୍ରୀ ପାୟଲ ସରକାର ବେହାଲା ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଡକ୍ଟର ଇନ୍ଦ୍ରନିଲ ଖାନ କସବାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀ ହାଓ୍ୱାଡାର ଶ୍ୟାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସାଂସଦ ଲୋକେଟ୍ ଚାଟାର୍ଜୀ ଚୁଞ୍ଚୁଡାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋନାରପୁର ଦକ୍ଷିଣରୁ ଅଞ୍ଜନା ବସୁ ପ୍ରାର୍ଥୀ ହେବେ। ସେହିପରି ହାଓ୍ୱାଡା ଦକ୍ଷିଣରୁ ରାତିସେନ ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୭ରୁ ଏପ୍ରିଲ୍ ୨୯ ଯାଏ ଭୋଟିଂ ହେବାକୁ ଥିବାବେଳେ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସବା ନିର୍ବାଚନ ଫଳାଫଳ ଆସିବ । ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ଲହରୀ ଚାଲିଛି। ଏହି ବିଧାନସଭା ନିର୍ବାଚନରେ ବିଜେପି 200ରୁ ଅଧିକ ଆସନରେ ଜିତିବ ବୋଲି ସେ ଦାବି କରିଛନ୍ତି।