32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶବିଜେପିର ଗେମ ପ୍ଲାନ ବିରୋଧୀଙ୍କ ସବୁ ଆଶାରେ ପାଣି ପକାଇ ଦେଇଛି

ବିଜେପିର ଗେମ ପ୍ଲାନ ବିରୋଧୀଙ୍କ ସବୁ ଆଶାରେ ପାଣି ପକାଇ ଦେଇଛି

ନୂଆଦିଲ୍ଲୀ : ଆସିଛି ୫ ରାଜ୍ୟର ଜନାଦେଶ । ସବୁ ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ପୁଣିଥରେ ୪ ରାଜ୍ୟରେ ସରକାର ଗଠନ କରିବାକୁ ଜନମତ ପାଇଛି ବିଜେପି । ଦରବୃଦ୍ଧି, ଚାଷୀ ଓ ବେକାରୀ ଭଳି ସମସ୍ୟା ବିଜେପି ବେକରେ କଣ୍ଟା ହୋଇ ଲାଗିବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ବିଜେପିର ଗେମ ପ୍ଲାନ ବିରୋଧୀଙ୍କ ସବୁ ଆଶାରେ ପାଣି ପକାଇ ଦେଇଛି । ବିଜେପି ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ପୂର୍ଣ୍ଣବହୁଳ ହାସଲ କରିଛି । ଏହାର ଅର୍ଥ ବିଜେପି ଏଠାରେ ପୁଣି ସରକାର ଗଠନ କରିବାକୁ ଯାଉଛି । ଏହି ସବୁ ରାଜ୍ୟରେ ବିଜେପି ୨.୦ ସରକାର ଆରମ୍ଭ ହେବାକୁ ଯାଇଛି । କେବଳ ପଞ୍ଜାବରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ । ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଏକାକୀ ୧୧୭ ଆସନରୁ ୯୨ଟିରେ ଜିତି ନୂଆ ଇତିହାସ ସୃଷ୍ଟି କରିଛି । ବାକି ୪ ରାଜ୍ୟ ବିଜେପି ରଙ୍ଗରେ ଗେରୁଆମୟ ହୋଇଛି ଏବଂ ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଜେପି ଏବେ ସୁଦ୍ଧା ୧୦୯ଟିରେ ଜିତିଥିବା ବେଳେ ୧୬୦ଟିରେ ଆଗରେ ରହିଛି । ଏପରି ଟ୍ରେଣ୍ଡ ଜାରି ରହିଲେ ବିଜେପି ରାଜ୍ୟରେ ୨୬୯ଟି ଆସନ ଦଖଲ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବ । ୨୦୧୭ରେ ଦଳ ଏଠାରେ ଏକାକୀ ୩୧୨ ଆସନରେ ବିଜୟୀ ହୋଇଥିଲେ । ସେହିପରି ବିଜେପି ମେଣ୍ଟ ସପକ୍ଷରେ ୩୨୨ ଆସନ ପଡ଼ିଥିଲା । ହେଲେ ବିଜେପି ମେଣ୍ଟର ଆସନ କିମିଛି । ତଥାପି ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୦୨କୁ ଅତି ସହଜରେ ହାସଲ କରିପାରିଛି । ଏହାରି ଭିତରେ ବିଜେପିକୁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଥିବା ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ୨୦୧୭ ଅପେକ୍ଷା ବଢ଼ିଛି । କିନ୍ତୁ ସରକାର ଗଠନ ପାଇଁ ଦଳ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହିଁ । ସପା ୩୨ଟିରେ ଜିତିଥିବା ବେଳେ ୯୮ରେ ଲିଡ କରୁଛି । ମାୟାବତୀଙ୍କ ବିଏସପି ଗୋଟିଏ ଆସନ ପାଇଛି । କଂଗ୍ରେସ ୨ଟି ଆସନରେ ସୀମିତ ରହିଛି । ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୨ଟି ଆସନ ଯାଇଛି । ବିଜେପି ଉତ୍ତର ପ୍ରଦେଶରେ ସରକାର ଗଠନ କରିବାକୁ ଯାଉଥିବାରୁ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ । ପଞ୍ଜାବରେ ଆପ୍ ମଧ୍ୟ ତା’ର ଯାଦୁ ଦେଖାଇଛି । କଂଗ୍ରେସକୁ ମାତ୍ ଦେଇ ଆପ୍ ଦଖଲ କରିଛି କ୍ଷମତା । ୧୧୭ ବିଧାନସଭା ଆସନରୁ ଆପ୍ ୯୨ଟି ଜିତିଥିବା ବେଳେ କଂଗ୍ରେସ ୧୮ଟି, ବିଜେପି ମେଣ୍ଟ, ଅକାଳୀ ଦଳ ୪ଟି ଓ ଅନ୍ୟାନ୍ୟ ଦଳ ଖାତାକୁ ଗୋଟିଏ ଆସନ ଯାଇଛି । ଆପ୍ ଜିତିଥିବାରୁ ଭଗୱନ୍ତ ମାନ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ସେହିଭଳି ଗୋଆରେ ସରକାର ଗଠନ କରିବାକୁ କୌଣସି ରାଜନୀତିକ ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ରାଜ୍ୟର ୪୦ ବିଧାନସଭା ଆସନରୁ କ୍ଷମତାସୀନ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଛି । ହେଲେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧ । ବିଜେପି ପଛକୁ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଆପ୍ ଓ ଟିଏମସି ୨ଟି ଲେଖାଏ ଆସନ ଦଖଲ କରିଛନ୍ତି । ସେହିପରି ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନ ଜିତିଛନ୍ତି । ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି । ତେଣୁ ଗୋଆରେ ପୁଣି ବିଜେପି ସରକାର ଗଠନ କରିବ । ହେଲେ ପ୍ରମୋଦ ସାୱନ୍ତ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ନାହିଁ, ତା’ର ନିଷ୍ପତ୍ତି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ । ଉତ୍ତରାଖଣ୍ଡରେ ବିଜେପିକୁ ସ୍ପଷ୍ଟ ବହୁତ ମିଳିଛି । ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୪୦ଟିରେ ଜିତି ସାରିଛି । ସେହିପରି ବାକି ୮ଟି ଆସନରେ ଲିଡ୍ କରୁଛି । ଲିଡର ମାତ୍ରା ଏତେ ଅଧିକ ଅଛି ଯେ ଏହି ୮ଟି ଯାକ ଆସନରେ ମଧ୍ୟ ବିଜେପି ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଏହାର ଅର୍ଥ ରାଜ୍ୟରେ ବିଜେପି ଏକାକୀ ୪୮ଟି ଆସନ ଦଖଲ କରିବ । ୨୦୧୭ରେ ଦଳ ଏଠାରେ ୫୭ଟି ଆସନ ଜିତିଥିଲା । ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬କୁ ବେଶ ସହଜରେ ହାସଲ କରିନେଇଛି । କଂଗ୍ରେସ ୧୫ଟି ଆସନ ଜିତିଥିବା ବେଳେ ଆଉ ୩ଟିରେ ଆଗରେ ରହିଛି । ଆପ ଏଠାରେ ଖାତା ଖୋଲିବାକୁ ସକ୍ଷମ ହୋଇନି । ସେହିପରି ଅନ୍ୟାନ୍ୟ ଦଳ ୪ଟି ଆସନରେ ବାଜିମାତ କରିଛନ୍ତି । ଆପ୍ ପଞ୍ଜାବରେ ସରକାର ଗଠନ କରିଥିବା ବେଳେ ଉତ୍ତରାଖଣ୍ଡରେ ଖାତା ନ ଖୋଲିପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହେବା ରାଜ୍ୟ ତଥା କେନ୍ଦ୍ରୀୟ ବିଜେପି ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି । କାରଣ ଏବେ ଉତ୍ତରାଖଣ୍ଡରେ କିଏ ବିଜେପିର ମୁଖ୍ୟମନ୍ତ୍ରୀ ହେବେ, ସେନେଇ ଟେନସନ ବଢ଼ିଛି । ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା । ଏପରି କି ତାଙ୍କ ନେତୃତ୍ୱରେ ବିଜେପି ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ବି ଲଢ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking