33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶ୫ ମଧ୍ୟରୁ ୪ ରାଜ୍ୟରେ ବିଜେପିର ବାଜିମାତ୍‌: ୟୁପିରେ ଯୋଗୀ, ପଞ୍ଜାବରେ କେଜ୍ରିୱାଲ କରିସ୍ମା, ଉତ୍ତରାଖଣ୍ଡ,...

୫ ମଧ୍ୟରୁ ୪ ରାଜ୍ୟରେ ବିଜେପିର ବାଜିମାତ୍‌: ୟୁପିରେ ଯୋଗୀ, ପଞ୍ଜାବରେ କେଜ୍ରିୱାଲ କରିସ୍ମା, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ମଧ୍ୟ ବିଜେପି

ନୂଆଦିଲ୍ଲୀ: ନିକଟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ଭଳି ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି । ତିନିଦିନ ପୂର୍ବେ ପ୍ରକାଶିତ ଏକ୍‌ଜିଟ୍ ପୋଲ୍‌ର ଆକଳନକୁ ସତ୍ୟ ପ୍ରମାଣିତ କରି ବିଜେପି ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ପୁଣି ଥରେ କ୍ଷମତାକୁ ଫେରିଥିବାବେଳେ ପଞ୍ଜାବରେ କଂଗ୍ରେସ ଦୁର୍ଗକୁ ଧୂଳିସାତ୍ କରି ଆପ୍ ପ୍ରଥମ ଥର ଦିଲ୍ଲୀ ବାହାରେ ସରକାର ଗଠନ କରିବାକୁ ଯାଉଛି । ବିଜେପିର ସବୁ କଳ, ବଳ ଓ କୌଶଳକୁ ପଛରେ ପକାଇ ପଞ୍ଜାବରେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରିସ୍ମା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ବିଜେପି କ୍ରମାଗତ ଦ୍ୱିତୀୟ ଥର କ୍ଷମତାକୁ ଫେରି ରାଜ୍ୟ ରାଜନୀତିରେ ଇତିହାସ ସୃଷ୍ଟି କରିଥିବାବେଳେ ମଣିପୁର ଓ ଗୋଆରେ ମୁଖ୍ୟ ବିରୋଧୀ କୁହାଯାଉଥିବା କଂଗ୍ରେସର ସରକାର ଗଠନ ଆଶାକୁ ଚୁରମାର୍ କରିଦେଇଛି ।

ଲୋକସଭା ହେଉ କିମ୍ବା ବିଧାନସଭା, ଭାରତୀୟ ରାଜନୀତିରେ ଉତ୍ତର ପ୍ରଦେଶର ନିର୍ବାଚନ ଫଳାଫଳ ସବୁବେଳେ କୌଣସି ନା କୌଣସି ଆଗୁଆ ସଙ୍କେତ ପ୍ରଦାନ କରିଥାଏ । ଚଳିତ ବିଧାନସଭା ନିର୍ବାଚନରେ ମୋଟ ୪୦୩ ମଧ୍ୟରୁ ବିଜେପି ଓ ତାହାର ସହଯୋଗୀ ଦଳ ୨୬୬ ଆସନରେ ବିଜୟୀ ହୋଇଛନ୍ତି । ସରକାର ଗଠନ ପାଇଁ ଏଠାରେ ୨୦୨ଟି ଆସନରେ ବିଜୟୀ ହେବାର ଆବଶ୍ୟକତା ରହିଥିବାବେଳେ ବିଜେପି ନେତୃତ୍ୱାଧୀନ ମେଣ୍ଟ ଏହି କୁହୁକ ସଂଖ୍ୟାଠାରୁ ଯଥେଷ୍ଟ ଆଗରେ ରହିଛି । ବିଜେପି ଦ୍ୱିତୀୟ ଥର ଏଠାରେ ସରକାର ଗଠନର ସୁଯୋଗ ପାଇଥିଲେ ସୁଦ୍ଧା ୨୦୧୭ ନିର୍ବାଚନ ତୁଳନାରେ କ୍ଷତିର ସମ୍ମୁଖୀନ ହୋଇଛି । ୨୦୧୭ରେ ବିଜେପି ଏକାକୀ ୩୧୨ ଆସନ ହାତେଇ ଥିବାବେଳେ ଏଥର ବିଜେପିି ମେଣ୍ଟକୁ ୨୬୬ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଦଳ ଏଠାରେ କ୍ଷମତାରେ ଥିବାବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ହେଉଛି ବାରାଣସୀ । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର ସୁଫଳ ରାଜ୍ୟ ଉପରେ ଅଜାଡି ହୋଇପଡିବା ସ୍ୱାଭାବିକ୍ । ପୁନଶ୍ଚ ପ୍ରଚାର ଅଭିଯାନରେ ମୋଦୀଙ୍କଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପର୍ଯ୍ୟନ୍ତ ବିଜେପିର ସବୁ ହେଭିୱେଟ୍‌ମାନେ କୌଣସି ପ୍ରକାର ଅବହେଳା କରିନଥିଲେ । ଏହାସତ୍ତ୍ୱେ ବିଜେପି ହାତରୁ ଏତେସଂଖ୍ୟକ ଆସନ ହାତଛଡା ହେବା ଶୁଭ ସଙ୍କେତ ନୁହେଁ ବୋଲି ପର୍ଯ୍ୟବେକ୍ଷକ ମହଲ ମତବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଏଠାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିବା ସମାଜବାଦୀ ପାର୍ଟି ସରକାର ଗଠନର ସୁଯୋଗରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ଗତ ନିର୍ବାଚନ ତୁଳନାରେ ଏଥର ଆଖିଦୃଶିଆ ଉନ୍ନତି ଆଣିପାରିଛି । ୨୦୧୭ରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ସମାଜବାଦୀ ପାର୍ଟି ମାତ୍ର ୪୭ ଆସନରେ ବିଜୟୀ ହୋଇଥିବାବେଳେ ଏଥର ଏହି ସଂଖ୍ୟାକୁ ୧୩୨ରେ ପହଞ୍ଚାଇବାରେ ସକ୍ଷମ ହୋଇଛି । ଯଦି ଭୋଟରମାନେ ବିଜେପି ଆଡୁ ମୁହଁ ଫେରାଇ ନିଅନ୍ତି, ତେବେ ୨୦୨୭ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରି ସମାଜମାଦୀ ପାର୍ଟି କ୍ଷମତା ଅକ୍ତିଆର କରିବା ଅସମ୍ଭବ ନୁହେଁ ବୋଲି କୁହାଯାଉଛି । ଏକଦା ୟୁପି ନିର୍ବାଚନରେ ଦଳିତ ସଂପ୍ରଦାୟର ଭୋଟକୁ ଆଧାର କରି ସରକାର ଗଠନ କରିଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏକପ୍ରକାର ସ୍ଥିତି ହରାଇଛି । ଗତ ନିର୍ବାଚନରେ ଦଳ ୧୯ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର ମାତ୍ର ୨ଟି ଆସନ ହାତେଇବାକୁ ଯାଉଛି ।

ଚଳିତ ନିର୍ବାଚନରେ ପଞ୍ଜାବର ଫଳାଫଳ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଏଠାରେ କଂଗ୍ରେସ କ୍ଷମତାସୀନ ଥିବାବେଳେ ବିଜେପି ପ୍ରଭାବ ବିସ୍ତାର କରିବ ବୋଲି ଆଶା କରାଯାଉଥିଲା । ତେବେ ସବୁ ଆକଳନକୁ ମିଥ୍ୟା ପ୍ରମାଣିତ କରି ଆପ୍ ଏକପ୍ରକାର ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି । ବିଧାନସଭାର ମୋଟ ୧୧୭ ମଧ୍ୟରୁ ଆପ୍ ୯୨ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିବା ନିଶ୍ଚିତ କରିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ଓ ବିଜେପିର ସମସ୍ତ ଦବ୍‌ଦବା ସତ୍ତ୍ୱେ ଆପ୍ ଭଳି ଏକ ଆଞ୍ଚଳିକ ଦଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିବା ଉପରୋକ୍ତ ଦୁଇଟି ଦଳ ପାଇଁ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି । ଗତ ନିର୍ବାଚନରେ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିବାବେଳେ ଆପ୍ ୨୦ଟି ଆସନ ସହ ଦ୍ୱିତୀୟ ବୃହତ୍ତମ ଦଳର ମାନ୍ୟତା ହାସଲ କରିଥିଲା । ଏଥର କଂଗ୍ରେସର ଅନ୍ତଦ୍ୱର୍ନ୍ଦ୍ୱ ଦଳୀୟ ପରାଜୟର ମୁଖ୍ୟ କାରଣ ପାଲଟିଛି । ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ୍ ସିଂହ ସିଦ୍ଧୁଙ୍କ ଔଦ୍ଧତ୍ୟ ଏବଂ ଜିଦ୍‌ଖୋର ମନୋବୃତ୍ତି ଦଳ ପାଇଁ କାଳ ହୋଇଛି । ସିଦ୍ଧୁଙ୍କ ସହ ବ୍ୟକ୍ତିଗତ ଆକ୍ରୋଶରୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଆସନ ସହ ଦଳରୁ ବିଦା କରିବା ଏବଂ ଚରଣଜିତ ସିିଂହ ଚନ୍ନିଙ୍କୁ ସିଦ୍ଧୁଙ୍କ ବିରୋଧ ହିଁ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଂଗ୍ରେସ ଏଥର ମାତ୍ର ୧୮ଟି ଆସନ ହାତେଇବାରେ ସଫଳ ହୋଇପାରିଛି । ଗତ ନିର୍ବାଚନରେ ବିଜେପି ୩ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର ସେହି ସଂଖ୍ୟାକୁ ଅତିକ୍ରମ କରିପାରିନାହିଁ । ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର ସବୁ ତୁଙ୍ଗ ନେତୃବର୍ଗଙ୍କ ସମସ୍ତ ରଣକୌଶଳ ଫେଲ୍ ମାରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ୩ଟି ବିବାଦୀୟ କୃଷି ଆଇନ୍ ବିଜେପି ପାଇଁ ଅଶୁଭ ଫଳ ଆଣିଦେଇଛି । ଏଠାରେ ଅପରପକ୍ଷରେ କେଜ୍ରିୱାଲଙ୍କ ଏକାଧିକ ପ୍ରତିଶ୍ରୁତି ରାଜ୍ୟବାସୀଙ୍କୁ ବେଶ ପ୍ରଭାବିତ କରିଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ଅନ୍ୟ ପ୍ରସଙ୍ଗରେ ଆପ୍‌ର ନିର୍ବାଚନୀ ପ୍ରତିଶ୍ରୁତି ଦଳକୁ ସଫଳତାର ଶିଖରରେ ପହଞ୍ଚାଇଛି ।

ଉତ୍ତରାଖଣ୍ଡରେ ବିଜେପି ୭୦ ମଧ୍ୟରୁ ୪୮ଟିରେ ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିଛି । ରାଜ୍ୟ ଗଠର ୨୧ ବର୍ଷ ମଧ୍ୟରେ ବିଜେପି ଏକମାତ୍ର ଦଳ ଯାହା କ୍ରମାଗତ ଦ୍ୱିତୀୟ ଥର ଏଭଳି କୃତିତ୍ୱ ହାସଲ କରିଛି । ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାଜିତ ହେବା ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ବିଗତ କିଛି ବର୍ଷ ମଧ୍ୟରେ ବିଜେପି ପକ୍ଷରୁ ତିନି ତିନିଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଥିବାବେଳେ ଏହା ନିର୍ବାଚନ ଉପରେ କୁପ୍ରଭାବ ପକାଇବ ବୋଲି ଆଶା କରାଯାଉଥିଲା । ତେବେ ବିରୋଧୀ କଂଗ୍ରେସ (୧୮)କୁ ପଛରେ ପକାଇ ବିଜେପି ସମ୍ମାନ ରକ୍ଷା କରିପାରିଛି । ମଣିପୁରର ୬୦ଟି ଆସନ ମଧ୍ୟରୁ ବିଜେପି ୩୦ଟିରେ ବିଜୟୀ ହୋଇଥିବାବେଳେ ସହଯୋଗୀ ଦଳଙ୍କ ସହାୟତାରେ ସରକାର ଗଢିବା ନିଶ୍ଚିତ ହୋଇପଡିଛି । ଏଠାରେ କଂଗ୍ରେସକୁ ମାତ୍ର ୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଗୋଆର ୪୦ଟି ମଧ୍ୟରୁ ବିଜେପି ୨୦ଟିରେ ବିଜୟୀ ହୋଇଥିବାବେଳେ ପୂର୍ବଭଳି ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ପୁଣି ସରକାର ଗଠନ କରିବା ନିଶ୍ଚିତ ଜଣାପଡିଛି । ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଏକ୍‌ଜିଟ୍ ପୋଲ୍ ଆକଳନ କରିଥିବାବେଳେ ଏହା ମିଥ୍ୟା ପ୍ରମାଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking