ଝାରସୁଗୁଡା : ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ନେତୃତ୍ୱରେ ଆଜି ବାଲିଜୋରୀସ୍ଥିତ ଏଫସିଆଇ ଗୋଦାମ ସମ୍ମୁଖରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛି । ଏହାସହ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନକରି କୁହାଯାଇଛି ଯେ, କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ଚାଷୀ ମାରଣା ନିତି ଅବଳମ୍ବନ କରିଛନ୍ତି । ହେଲେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବହୁ ଯୋଜନା କରୁଛି ବୋଲି ଲୋକଙ୍କୁ ବିଜେପି କର୍ମୀମାନେ ଭ୍ରମିତ କରୁଛନ୍ତି । ତେଣୁ ଚାଷୀଙ୍କ ପାଖରେ ସେମାନଙ୍କ ହକ ପହଞ୍ଚାଇବାସହ ବିଜେପିର କୃଷକ ମାରଣା ନିତି ବନ୍ଦ କରିବା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ପକ୍ଷରୁ ଏହି ଧାରଣା ଦିଆଯାଇଥିବା ବିଧାୟକ ଶ୍ରୀ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ ରବି ଫସଲ କ୍ରୟ କରନ୍ତୁ । ଚାଷୀଙ୍କୁ ଉପଯୁକ୍ତ ସମୟରେ ଧାନ, ବିହନ, ସାର, ଔଷଧ ଯୋଗାଣ କରନ୍ତୁ । ଏହାସହ ରାଜ୍ୟ ସରକାରଙ୍କ ବାକି ରଖିଥିବା ୭ ହଜାର କୋଟି ଟଙ୍କା ଅବିଳମ୍ବେ ପ୍ରଦାନ କରନ୍ତୁ । ଧାନର ସର୍ବନିମ୍ନ ମୂଲ୍ୟ ୨ହଜାର ୯ଶହ ୫୦ ଟଙ୍କା କରନ୍ତୁ । ଚାଷୀଙ୍କର ପେଟକୁ ଲାତ ମାରିବାର ନିତି ବନ୍ଦ କରି ଓଡ଼ିଶା ସରକାରଙ୍କଠାରୁ ଧାନ କିଣନ୍ତୁ ବୋଲି ଦାବିକରି ବିଜେଡି ପକ୍ଷରୁ ସ୍ଥାନୀୟ ଏଫସିଆଇ ମ୍ୟାନେଜରଙ୍କର ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ବିଶ୍ୱନାଥ ନାଏକ, ରବି ସିଂହ, ତାପସ ରାୟ ଚୌଧୁରୀ, ତ୍ରିନାଥ ଗୁଆଲ, ସନ୍ଦୀପ ଅବସ୍ତୀ, ଶମ୍ଭୁ ମହାନ୍ତି, କୈଳାସ ନାୟକ, ହରିଷ ଗଣତ୍ରା, ମିତ୍ରଭାନୁ ସାହୁ, ମିନତୀ ନାଏକ, ରଘୁମଣି ପଟେଲ ରାଜୁ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ପ୍ରତାପ ନନ୍ଦ, ପିଣ୍ଟ ୁ ପାଢ଼ୀ, ଜୟ ପ୍ରକାଶ କୁଅଁର, ତୁଳସୀ ପ୍ରସାଦ ଦାସ, ମଦନ ହାତୀ, ଫୁପୁ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ଅଶୋକ ଦାସ, ସନ୍ତୋଷ ରାଓ, ବାବୁନ ସରକାର, ଗୋବିନ୍ଦ ସିଙ୍ଘାଣିଆ ପ୍ରମୁଖଙ୍କ ସହ ବିଜେଡି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।