28.1 C
Bhubaneswar
Thursday, May 2, 2024
Homeଓଡିଶାକୋଟିଆ ପାଇଁ ଚିନ୍ତା ନାହିଁ, ବିଜେଡ଼ି ନେତା ଆନ୍ଧ୍ରର ଭାଷା କହୁଛନ୍ତି : ବିଜେପି

କୋଟିଆ ପାଇଁ ଚିନ୍ତା ନାହିଁ, ବିଜେଡ଼ି ନେତା ଆନ୍ଧ୍ରର ଭାଷା କହୁଛନ୍ତି : ବିଜେପି

 କୋଟିଆବାସୀଙ୍କ କଷ୍ଟ ଓ ବାସ୍ତବ ସମସ୍ୟାକୁ ଉପସ୍ଥାପନ କଲେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଡସାହି ବିଧାୟକ ସନାତନ ବିଜୁଳି ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ

 ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା କରି କୋଟିଆ ଗ୍ରାମପୁଞ୍ଜକୁ ଓଡ଼ିଶା ସରକାର ଆନ୍ଧ୍ରକୁ ଟେକିଦେବାର ଷଡଯନ୍ତ୍ର ରଚୁନାହାନ୍ତି ତ?
 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସକାରାତ୍ମକ ମନୋବୃତିକୁ ବିଜେଡି ଗ୍ରହଣ ନକରିବା ରାଜନୈତିକ ଅପରିପକ୍ୱତାର ନିଦର୍ଶନ
 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ସୀମା ବିବାଦ ନେଇ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କୁ ଅବଗତ କରିବା ସହ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାଧାନ ପାଇଁ ଚିଠି ଲେଖିଛନ୍ତି, ଯାହାକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି
 ଓଡ଼ିଶାର ଭୌଗୋଳିକ ସୀମା ରେଖା ଭିତରେ ଆନ୍ଧ୍ରର ଚର୍ଚ୍ଚ, ସ୍କୁଲ, ଆବାସ ଯୋଜନା, ପାଣି ଟାଙ୍କି, ବିଦ୍ୟୁତ୍ ସେବାର ଭିତିଭୂମିକୁ ବିରୋଧ ନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ଘେରକୁ ଟାଣୁଛି
 ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ? ସମ୍ପୃକ୍ତ ଜିଲ୍ଲାପାଳ ଓ ଆରଡିସି କାହା ପ୍ରରୋଚନାରେ ନୀରବ ରହୁଛନ୍ତି ? ସ୍ଥାନୀୟ ପ୍ରଶାସନ କଣ ୫ଟି ଅନ୍ତର୍ଭୃକ୍ତ ନୁହେଁ କି ?
 କୋଟିଆରେ ୨୮ଟି ରେଭିନ୍ୟୁ ଭିଲେଜରୁ ୨୧ଟିରୁ ଉର୍ଦ୍ଧ୍ୱ ଅଂଚଳରେ ପ୍ରବେଶ ନାହିଁ ଏବଂ ୭ଟି ରେଭିନ୍ୟୁ ଭିଲେଜରେ ରାଜ୍ୟ ସରକାରଙ୍କ ତରଫରୁ ଖଜଣା ସଂଗ୍ରହ କରିବା ସମ୍ଭବପର ହେଉଛି,ଯାହା ଆଶ୍ଚର୍ଯ୍ୟଜନକ
 ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୭ ବର୍ଷ ପୂର୍ତି ପାଳନ କରୁଥିବା ବେଳେ କୋଟିଆରେ ତେଲୁଗୁ ଭାଷାରେ ଲେଖାଯାଇଥିବା ଫଳକ ଓ ପୋଷ୍ଟର ଦେଖି ଅତ୍ୟନ୍ତ କଷ୍ଟ ଲାଗୁଛି
 ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ହେଉ ବା ଗୋଟିଏ ମାଇଲଖୁଂଟରେ ଗୋଟିଏ ପାର୍ଶ୍ୱରେ ଆନ୍ଧ୍ର ସରକାରଙ୍କ ତେଲୁଗୁ ଏବଂ ଅପର ପାର୍ଶ୍ୱରେ ଓଡ଼ିଆରେ ଲେଖା ରହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ
 ଓଡ଼ିଶାର ବିଜୁଳି ଖୁଂଟ ଏବଂ ଟ୍ରାନ୍ସଫର୍ମର କେବଳ ଲୋକ ଦେଖାଣିଆ, ବାସ୍ତବରେ କୋଟିଆବାସୀ ଲୋକମାନେ ଆନ୍ଧ୍ରର ବିଦ୍ୟୁତ ସରବରାହ ଉପରେ ନିର୍ଭର କରୁଛନ୍ତି

ଭୁବନେଶ୍ୱର : କୋଟିଆ ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା କଥାକୁ ସମର୍ଥନ କରିବା ପରିବର୍ତେ ବିଜେଡ଼ି ନେତା ଆନ୍ଧ୍ରପ୍ରଦେଶ ସରକାରଙ୍କ ଭାଷା କହୁଛନ୍ତି, ଯାହା ଦୁର୍ଭାଗ୍ୟଜନକ ଏବଂ ଓଡ଼ିଶା ବିରୋଧୀ ମାନସିକତାର ପ୍ରତିଫଳନ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ କୁହାଯାଇଛି ।
ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଗସ୍ତ କରିଥିବା ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଡସାହି ବିଧାୟକ ସନାତନ ବିଜୁଳି ଏବଂ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ମିଳିତ ଭାବେ ପ୍ରେସମିଟ୍ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି । ବିଧାୟକମାନେ ଯେ କୋରାପୁଟର କୋଟିଆ ଗ୍ରାମପୁଞ୍ଜ ଓ ଫାଟୁସିନେରୀ ଅଂଚଳର ଦୃଶ୍ୟ ବହୁ ସମ୍ବେଦନଶୀଳ ଓ ଦୃଦୟ ବିଦାରକ ଥିଲା । କୋଟିଆ ପାଇଁ ମୁଖ୍ୟ ରାସ୍ତା ଥିଲା ବେଳେ ଗାଁର ନିକଟବର୍ତୀ ଅଂଚଳରେ ଆଜି ବି ଦୁରାବସ୍ଥା ଲାଗି ରହିଛି । ସରକାରଙ୍କ କିଛି ଯୋଜନା ପହଁଚିଛି । ଲୋକକଲ୍ୟାଣ ନାହିଁ । ଭୁବନେଶ୍ୱରରେ ବସି ନେତା ଓ ବାବୁମାନେ କୋଟିଆରେ ରାସ୍ତାଘାଟ ଠିକ୍ ଅଛି ଏବଂ ନିର୍ମାଣ କାର୍ଯ୍ୟରେ ୧୫୦ କୋଟି ଟଙ୍କା ବିନିଯୋଗ ହୋଇଛି କହିବା ହାସ୍ୟାସ୍ପଦ । ସେଠାରେ ବୟସ୍କ ଲୋକଙ୍କୁ ଠିକ୍ ସମୟରେ ଭତା ମିଳୁନାହିଁ । ଭତା ଆଣିବା ପାଇଁ ବିନା ସାଧନରେ ୨୫ରୁ ୩୦ କିମି ଯିବାକୁ ପଡୁଛି । ଏଥିରେ ମଧ୍ୟ ତୃତୀୟ ବ୍ୟକ୍ତି କମିଶନ ନେବାରେ ମଧ୍ୟ ପଛାଉ ନାହାନ୍ତି । ଘୋଡା ଛଅ ଟଙ୍କା, ଦାନା ନଅ ଟଙ୍କା ନ୍ୟାୟରେ କୋଟିଆବାସୀଙ୍କୁ ହଇରାଣ କରିବା କଣ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ?
ସ୍ଥାନୀୟ ନାଗରିକଙ୍କ କହିବାନୁସାରେ କୋଟିଆରେ ୨୮ଟି ରେଭିନ୍ୟୁ ଭିଲେଜରୁ ୨୧ଟିରୁ ଉର୍ଦ୍ଧ୍ୱ ଅଂଚଳରେ ପ୍ରବେଶ ନାହିଁ, ଯାହା ଆଶ୍ଚର୍ଯ୍ୟଜନକ । ୨୮ଟି ରେଭିନ୍ୟୁ ଭିଲେଜରୁ ମାତ୍ର ୮୭ଟି ରେଭିନ୍ୟୁ ଭିଲେଜରେ ରାଜ୍ୟ ସରକାରଙ୍କ ତରଫରୁ ଖଜଣା ସଂଗ୍ରହ କରିବା ସମ୍ଭବପର ହେଉଛି । ଏକ ନମ୍ବର ପ୍ରଶାସକଙ୍କ ନିଷ୍କ୍ରିୟତା । କୋଟିଆ ଗ୍ରାମପୁଞ୍ଜର ଜନସାଧାରଣଙ୍କର ଜମି ୧୯୫୬ ମସିହାରୁ ବନ୍ଦୋବସ୍ତ ହୋଇପାରିନାହିଁ । ଏଥିନିମନ୍ତେ ରାଜ୍ୟ ସରକାରଙ୍କର ଆନ୍ତରିକତାର ଅଭାବ କୋଟିଆବାସୀଙ୍କୁ କଷ୍ଟ ଦେଉଛି । ଭୂ-ବନ୍ଦୋବସ୍ତ ଓ ରାଜସ୍ୱ ପରିଚାଳନାରେ ରାଜ୍ୟ ସରକାର ଏକ ନମ୍ବର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏ କଥାରୁ ସ୍ପଷ୍ଟ ହେଉଛି ପ୍ରଚାର ଓ ବାସ୍ତବତା ମଧ୍ୟରେ ପାର୍ଥକ୍ୟ କେତେ ?
ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଦୁଇ ଦିନ ହେବ କୋଟିଆକୁ ନେଇ ଯେଉଁ ରାଜନୀତି ବୟାନବାଜି ବିଶେଷ ଭାବରେ ବିଜେଡିର ବକ୍ତବ୍ୟ ରାଜ୍ୟବାସୀଙ୍କୁ କଷ୍ଟ ଦେଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଟିଆ ମାଟିରୁ ସାଢେ ୪ କୋଟି ଦଳ, ମତ ନିର୍ବିଶେଷରେ ଆନ୍ଧ୍ରର ଅନୁପ୍ରବେଶ ବିରୋଧରେ ଏକଜୁଟ୍ ହେବାକୁ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ବିଜେଡି ସ୍ୱାଗତ କରିବା ବଦଳରେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତାର ପରିଚୟ । ଓଡ଼ିଶା ଶ୍ରୀଜଗନ୍ନାଥଙ୍କର ମାଟି । ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ଓ ଶ୍ରୀଜଗନ୍ନାଥଙ୍କ ସେବକ ଭାବେ ତାଙ୍କର ସକାରାତ୍ମକ ମନୋବୃତିକୁ ବିଜେଡି ଗ୍ରହଣ ନକରିପାରିବା ରାଜନୈତିକ ଅପରିପକ୍ୱତାର ନିଦର୍ଶନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ମସିହା ଏପ୍ରିଲ ୯ ତାରିଖରେ କୋଟିଆ ଗସ୍ତ ସମୟରେ ଲୋକ ମାନଙ୍କର ସମସ୍ୟା ଶୁଣିବା ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଚିଠି ଦେବା ସହ ବ୍ୟକ୍ତିଗତ ଭାବରେ ଭେଟ କରି କୋଟିଆ ସମସ୍ୟା ଉପରେ ଆଲୋଚନା କରିଥିଲେ । ୨୦୨୦ ଓ ୨୦୨୧ରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ । ପରବର୍ତୀ ସମୟରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ୨୨ ସେପ୍େଟମ୍ବର ୨୦୨୧ରେ ମଧ୍ୟ କୋଟିଆ ଗ୍ରାମପୁଞ୍ଜ ବିବାଦର ସମାଧାନ ପାଇଁ ଚିଠି ମାଧ୍ୟମରେ ୪ଟି ପ୍ରସ୍ତାବ ଦେଇଥିଲେ । ୩୧ ଅକ୍ଟୋବର ୨୦୨୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୁନର୍ବାର ପତ୍ର ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଗଠିତ ଅନ୍ତରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ସେ ରାଜ୍ୟର ସୀମା ବିବାଦ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକ ପାଇଁ ବାରମ୍ବାର ଚିଠି ମାଧ୍ୟମରେ ଅନୁରୋଧ କରି ଆସିଛନ୍ତି, ତାହାକୁ କର୍ଣ୍ଣପାତ ନ କରି ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ବିରୋଧୀ ମାନସିକତାର ପରିଚୟ ।
ଆଜି କୋଟିରେ ଯାହା ବିକାଶ ହୋଇଛି ବୋଲି ରାଜ୍ୟ ସରକାର କହୁଛନ୍ତି, ସେ ସବୁ କାହା ଟଙ୍କାରେ ବିକାଶ ହୋଇଛି ବୋଲି ସ୍ପଷ୍ଟୀକରଣ ଦେବେ କି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ, ସୌଭାଗ୍ୟ ଯୋଜନା, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ , ଏହି ଯୋଜନା ସମେତ ଆହୁରି ଅନ୍ୟାନ୍ୟ ଯୋଜନା କାହାର ? ମୋଦି ସରକାରର ନା ରାଜ୍ୟ ସରକାରଙ୍କର ? ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୭ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ସେହି ଅଞ୍ଚଳରେ ତେଲୁଗୁ ଭାଷାରେ ଲେଖାଯାଇଥିବା ଫଳକ ଓ ପୋଷ୍ଟର ଦେଖି ଅତ୍ୟନ୍ତ କଷ୍ଟ ଲାଗୁଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ହେଉ ବା ଗୋଟିଏ ମାଇଲଖୁଣ୍ଟରେ ଗୋଟିଏ ପାର୍ଶ୍ୱରେ ଆନ୍ଧ୍ର ସରକାରଙ୍କ ତେଲୁଗୁ ଏବଂ ଅପର ପାର୍ଶ୍ୱରେ ଓଡ଼ିଆରେ ଲେଖା ରହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ।
ବଡସାହି ବିଧାୟକ ଶ୍ରୀ ବିଜୁଳି କହିଛନ୍ତି ଯେ ୨୦୨୧ ଅଗଷ୍ଟ ୩୧ ତାରିଖରେ ସୁପ୍ରିମକୋର୍ଟ କୋଟିଆ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା କରି ବାଟ ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧ ନଭେମ୍ବର ୮ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ସାକ୍ଷାତ୍ ହୋଇଥିଲା । ଏହି ସାକ୍ଷାତ୍ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ଓ ଫଳପ୍ରଦ ଥିଲା ବୋଲି ବୈଠକ ପରବର୍ତୀ ବିବୃତିରୁ ଜଣାପଡିଥିଲା । ଏକ ଯୁଗ୍ମ ଉଚ୍ଚସ୍ତରୀୟ କମିଟି କୋଟିଆ ପଂଚାୟତରେ ଥିବା ୨୧ଟି ଗ୍ରାମପୁଞ୍ଜର ବିବାଦକୁ ସମାଧାନ କରିବେ ବୋଲି ମତପ୍ରକାଶ କରିଥିଲେ । ଏହି ସାକ୍ଷାତର ପାଖାପାଖି ଦେଢ ବର୍ଷ ପରେ ମଧ୍ୟ ବିବାଦର ସମସ୍ୟା ସମାଧାନ ହେବା ପରିବର୍ତେ ଆନ୍ଧ୍ର ସରକାର ଓଡ଼ିଶା ସୀମାନ୍ତକୁ ଆକ୍ରାମକ ଭାବେ ଅନୁପ୍ରବେଶ କରିବା ଏକ ସଙ୍ଗୀନ ପ୍ରସଙ୍ଗ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା କରି କୋଟିଆ ଗ୍ରାମପୁଞ୍ଜକୁ ଓଡ଼ିଶା ସରକାର ଆନ୍ଧ୍ରକୁ ଟେକିଦେବାର ଷଡଯନ୍ତ୍ର ରଚୁନାହାନ୍ତି ତ ? ଯଦି ଏହା ସତ୍ୟ ନୁହେଁ ତେବେ ସୀମାନ୍ତର ୧୦ କିମି ଆଭ୍ୟନ୍ତରରେ ଆନ୍ଧ୍ର ସରକାର ଯେଉଁଭଳି ଭାବରେ ସ୍ଥାୟୀ ନିର୍ମାଣ କାର୍ଯ୍ୟ କରୁଛନ୍ତି ଓ କୋରାପୁଟ ତଥା ଓଡ଼ିଶା ପ୍ରଶାସନ ନିରବରେ ତାହାକୁ ପରୋଷ ସମର୍ଥନ ଦେଉଛି ; ତାହା ଓଡ଼ିଶା ସରକାରଙ୍କର ଓଡ଼ିଶା ବିରୋଧୀ ମାନସିକତାକୁ ପ୍ରତିପାଦିତ କରୁଛି ।
ଓଡ଼ିଶାର ବିଜୁଳି ଖୁଂଟି ଏବଂ ଟ୍ରାନ୍ସଫର୍ମର କେବଳ ଲୋକ ଦେଖାଣିଆ, ବାସ୍ତବରେ କୋଟିଆବାସୀ ଲୋକମାନେ ଆନ୍ଧ୍ରର ବିଦ୍ୟୁତ ସରବରାହ ଉପରେ ନିର୍ଭର କରୁଛନ୍ତି । ଓଡ଼ିଶାର ଭୌଗୋଳିକ ସୀମା ରେଖା ଭିତରେ ଆନ୍ଧ୍ରର ଚର୍ଚ୍ଚ, ସ୍କୁଲ, ଆବାସ ଯୋଜନା, ପାଣି ଟାଙ୍କି, ବିଦ୍ୟୁତ୍ ସେବାର ଭିତିଭୂମିକୁ ବିରୋଧ ନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ଘେରକୁ ଟାଣୁଛି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ? ସମ୍ପୃକ୍ତ ଜିଲ୍ଲାପାଳ ଓ ଆରଡିସି କାହା ପ୍ରରୋଚନାରେ ନୀରବ ରହୁଛନ୍ତି? ସ୍ଥାନୀୟ ପ୍ରଶାସନ କଣ ୫ଟି ଅନ୍ତର୍ଭୃକ୍ତ ନୁହେଁ କି ବୋଲି ବିଧାୟକମାନେ ପ୍ରଶ୍ନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking