ଭୁବନେଶ୍ୱର: ସାରା ରାଜ୍ୟରେ ଆଜିଠାରୁ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଭିନ୍ନ ବନଖଣ୍ଡ ଓ ଜଳାଶୟର ପକ୍ଷୀ ଗଣନା କରାଯିବ । ଏହି କାର୍ଯ୍ୟକ୍ରମରେ ୨୫ରୁ ଅଧିକ ଟିମ ସାମିଲ ହୋଇଛନ୍ତି । ଚିଲିକାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଲାଣି ।
ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ମଧ୍ୟ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି। ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ବହୁ ବିରଳ ତଥା ବିଦେଶାଗତ ପକ୍ଷୀଙ୍କ ପ୍ରିୟ ସ୍ଥଳୀ ରୂପେ ମହାନଦୀ ରିଭର ସିଷ୍ଟମ ବେଶ ଜଣାଶୁଣା। ବିଶେଷ କରି ବ୍ରାହ୍ମଣୀ ଡକ୍, ଇଣ୍ଡିଆନ ସ୍କିମର, ବାର ହେଡେଡ଼ ଗିଜ ଆଦି ପ୍ରଜାତିର ପକ୍ଷୀଙ୍କ ସମାଗମ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହୋଇଥାଏ। ସାତକୋଶିଆରେ ୧୦ଟି ଟିମ ନିୟୋଜିତ ହୋଇଛନ୍ତି । ସାଇବେରିଆ ସମେତ ବିଦେଶରୁ ବହୁ ସଂଖ୍ୟାରେ ପକ୍ଷୀ ଏଠାକୁ ଆସନ୍ତି ।
ଚିଲିକା, ଭିତରକନିକ ଓ ହୀରାକୁଦ ଜଳ ଭଣ୍ଡାରୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ବନଖଣ୍ଡ ଓ ଜଳାଶୟରେ ଚାଲିଛି ପକ୍ଷୀ ଗଣନା । ତେବେ ପକ୍ଷୀ ଓ କୁମ୍ଭୀର ଗଣନା ସମୟରେ ମହାନଦୀ ରିଭର ସିଷ୍ଟମରେ ମାଛ ଧରିବା ନିମନ୍ତେ ପ୍ରତିବନ୍ଧକ ଲଗାଯାଇଛି।