38.1 C
Bhubaneswar
Friday, April 26, 2024
Homeଓଡିଶାଖୁବ୍‌ଶୀଘ୍ର ଭୁବନେଶ୍ୱର-ଗୋଆ ସିଧାସଳଖ ବିମାନସେବା

ଖୁବ୍‌ଶୀଘ୍ର ଭୁବନେଶ୍ୱର-ଗୋଆ ସିଧାସଳଖ ବିମାନସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ  ବିମାନ ସେବା ଆରମ୍ଭ ନିମନ୍ତେ ବଡଧରଣର ସରକାରୀ ରିହାତି ସହ ଆନୁସଙ୍ଗିକ ବ୍ୟବସ୍ଥା କରିଥିବାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମାରୱାଡ଼ି ସମାଜ ପକ୍ଷରୁ  କୃତଜ୍ଞତା  ଜ୍ଞାପନ କରାଯାଇଛି । ମାରୱାଡ଼ି ସମାଜର  ବିଭିନ୍ନ ସହଯୋଗୀ ଶାଖା ମିଳିତଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନଠାରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ପତ୍ର ଜ୍ଞାପନ କରିଥିଲେ । ଏହି ଅବସରରେ ସମାଜର ମୁଖପାତ୍ରମାନେ କହିଥିଲେ ଯେ ଏହି ବିମାନସେବା ଆମର ଦୀର୍ଘଦିନର ଆଶା ଓ ଆବଶ୍ୟକତା ପୂରଣ କଲା । ଉଭୟ ଓଡ଼ିଶା ଓ ରାଜସ୍ଥାନର ସଂସ୍କୃତି ଓ ପରମ୍ପରା ବହୁ ପୁରାତନ । ସିଧାସଳଖ ବିମାନସେବା ଉଭୟ ରାଜ୍ୟ ମଧ୍ୟରେ ଥିବା ବନ୍ଧୁତ୍ୱ ପର୍ଯ୍ୟଟନ ଏବଂ ବେପାର ବାଣିଜ୍ୟକୁ ବହୁଗୁଣିତ କରିବ ।

ବରିଷ୍ଠ ସଦସ୍ୟମାନେ ଆହୁରି ମଧ୍ୟ କହିଥିଲେ ଯେ ବୃଦ୍ଧ ପିତା-ମାତାଙ୍କୁ ପୁରୀ ଜଗନ୍ନାଥଧାମରେ ମହାପ୍ରଭୁଙ୍କ ଦର୍ଶନ କରାଇବା ପୁତ୍ରର କର୍ତ୍ତବ୍ୟ ବୋଲି ମାରୱାଡ଼ି ସମାଜର ଦୃଢ଼ ବିଶ୍ୱାସ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ମାରୱାଡ଼ି ପୁଅ ନିଜ କର୍ତ୍ତବ୍ୟ ପାଳନରେ ବହୁଗୁଣିତ ସହାୟତା କରିବ । ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କର ଐତିହାସିକ ନିଷ୍ପତ୍ତି ଯୋଗୁ  ଏହି ସିଧାସଳଖ  ବିମାନସେବା  ଚଳିତ ବର୍ଷ  ନଭେମ୍ବର ୨ ତାରିଖ ଠାରୁ  ଆରମ୍ଭ ହେବାକୁ ଯାଉଛି । ସପ୍ତାହକୁ ତିନିଦିନ ଇଣ୍ଡିଗୋ ବିମାନ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ଯାତାୟତ କରିବ । ପ୍ରତି ଯାତ୍ରା (ଟ୍ରିପ୍‌) ପାଇଁ ରାଜ୍ୟ ସରକାର ପ୍ରାୟ ୭୫ ହଜାର ଟଙ୍କାର ସହାୟତା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସହଯୋଗ ଯୋଗାଇ ଦେବେ ।

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଗୋଆ ସିଧାସଳଖ ବିମାନସେବା ଆରମ୍ଭ ହେବ ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଥିଲେ । ଏହି ବିମାନସେବା ରାଜ୍ୟରେ ପର୍ଯ୍ୟଟନ, ଶିଳ୍ପୀକରଣ, ବେପାରବଣିଜ ବୃଦ୍ଧି କରିବା ସହ ଯୁବପିଢ଼ିଙ୍କ ନିମନ୍ତେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି  ଶ୍ରୀ ମହାପାତ୍ର କହିଥିଲେ । ମାରୱାଡ଼ି ସମାଜ, ଜୈନ ସମାଜ, ମାହେଶ୍ୱରୀ ସମାଜ, ବିକାନୀର ଜିଲ୍ଲା ନାଗରିକ ପରିଷଦ, ପୁରୁଷୋତ୍ତମ ସମାଜ, ଆପଣା ସମାଜ ଏବଂ ବାବା ରାମଦେବ ରୁନିଚେୱାଲା ଟ୍ରଷ୍ଟ୍ ତରଫରୁ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି। ଏହି ସବୁ ସମାଜର ପ୍ରତିନିଧିଭାବେ ଲକ୍ଷ୍ମଣ ମହିପାଲ, ପ୍ରକାଶ ଭୁରା, ଲାଲଚନ୍ଦ୍ ମୋହତା, ସୁପକର୍ଣ୍ଣ ଭୁରା, ବିପିନ୍ ବାଙ୍କା, ବଚ୍ଛରାଜ ବେତେଲା, ଘନଶ୍ୟାମ ପେରିୱାଲ୍ ଏବଂ ନବରତନ୍ ବୋଥ୍ରା ପ୍ରମୁଖ ମୁଖ୍ୟ ସଚିବଙ୍କୁ ଭେଟି କୃତଜ୍ଞତାପତ୍ର ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking