32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକର୍ମଚାରୀଙ୍କ ସାପ୍ତାହିକ ହାରାହାରି କାର୍ଯ୍ୟନିର୍ଘଣ୍ଟ ପ୍ରସଙ୍ଗ, ଦକ୍ଷିଣ ଓ ପୂର୍ବ ଏସିଆରେ ସର୍ବାଧିକ: ଆଇଏଲଓ

କର୍ମଚାରୀଙ୍କ ସାପ୍ତାହିକ ହାରାହାରି କାର୍ଯ୍ୟନିର୍ଘଣ୍ଟ ପ୍ରସଙ୍ଗ, ଦକ୍ଷିଣ ଓ ପୂର୍ବ ଏସିଆରେ ସର୍ବାଧିକ: ଆଇଏଲଓ

ନୂଆଦିଲ୍ଲୀ: ଦକ୍ଷିଣ ଓ ପୂର୍ବ ଏସିଆରେ କର୍ମଚାରୀଙ୍କ ସାପ୍ତାହିକ ହାରାହାରି କାର୍ଯ୍ୟନିର୍ଘଣ୍ଟ ବିଶ୍ୱରେ ସବୁଠାରୁ ଅଧିକ ବୋଲି ଜାତିସଂଘ ଅଧୀନସ୍ଥ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ପକ୍ଷରୁ ପ୍ରସ୍ତୁୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଅପରପକ୍ଷରେ ଉତ୍ତର ଆମେରିକା, ୟୁରୋପ ଓ କେନ୍ଦ୍ର ଏସିଆରେ ଏହା ସର୍ବନିମ୍ନ ବୋଲି ରିପୋର୍ଟରୁ ଜଣାପଡିଛି । ବିକାଶଶୀଳ ରାଷ୍ଟ୍ର ମଧ୍ୟରୁ ଭାରତ, ଚୀନ୍ ଓ ବ୍ରାଜିଲରେ କର୍ମଚାରୀଙ୍କ କାର୍ଯ୍ୟନିର୍ଘଣ୍ଟ ଅପେକ୍ଷାକୃତ ଅଧିକ ବୋଲି ଜଣାପଡିଛି । ଆଇଏଲଓ ପକ୍ଷରୁ କରାଯାଇଥିବା ରିପୋର୍ଟର ଶୀର୍ଷକ ‘ୱାର୍କିଂ ଟାଇମ୍ ଆଣ୍ଡ୍ ୱାର୍କ ବାଲାନ୍ସ ଏରାଉଣ୍ଡ୍ ଦି ୱାର୍ଲ୍ଡ’ ରଖାଯାଇଛି । ରିପୋର୍ଟ ଅନୁଯାୟୀ ପାଇକାରୀ ଓ ଖୁଚୁରା ସେକ୍ଟରରେ କର୍ମଚାରୀଙ୍କ ସାପ୍ତାହିକ କାର୍ଯ୍ୟନିର୍ଘଣ୍ଟ ସର୍ବାଧିକ (ପ୍ରାୟ ୪୯.୧ ଘଣ୍ଟା) ବୋଲି କୁହାଯାଇଛି । ଅର୍ଥାତ ଏହି ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀ ଦିନକୁ ହାରାହାରି ୭ ଘଣ୍ଟାରୁ ଅଧିକ ସମୟ କାମ କରିଥାନ୍ତି । ଏହାପଛକୁ ପରିବହନ ଓ ଯୋଗାଯୋଗ ସେକ୍ଟର (୪୮.୨ ଘଣ୍ଟା), ମ୍ୟାନୁଫ୍ୟାକ୍‌ଚରିଂ (୪୭.୬ ଘଣ୍ଟା) ରହିଛି । ଅପରପକ୍ଷରେ କୃଷି (୩୭.୯ ଘଣ୍ଟା), ଶିକ୍ଷା (୩୯.୩ ଘଣ୍ଟା) ଓ ସ୍ୱାସ୍ଥ୍ୟସେବା ସେକ୍ଟର (୩୯.୮ ଘଣ୍ଟା)ରେ କର୍ମଚାରୀ ଅପେକ୍ଷାକୃତ କମ ସମୟ କାର୍ଯ୍ୟ କରୁଥିବା ଜଣାପଡିଛି । ଅବଶ୍ୟ କୋଭିଡ୍ ସମୟରେ ପରିସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବା ସେକ୍ଟର କର୍ମଚାରୀ ସବୁଠାରୁ ଅଧିକ ସମୟ କାର୍ଯ୍ୟ କରିଥିଲେ । କଳ କାରଖାନାର ମେସିନ୍ ବିଭାଗରେ କାର୍ଯ୍ୟରତ କର୍ମଚାରୀ ସବୁଠାରୁ ଅଧିକ (ସପ୍ତାହକୁ ୪୮.୨ ଘଣ୍ଟା) ସମୟ କାର୍ଯ୍ୟ କରୁଥିବାବେଳେ ଏମାନଙ୍କ ପଛକୁ ସେବା ଓ ବିକ୍ରି ସେକ୍ଟର କର୍ମଚାରୀ ରହିଛନ୍ତି । ଏମାନେ ସପ୍ତାହକୁ ହାରାହାରି ୪୭ ଘଣ୍ଟା କାର୍ଯ୍ୟ କରିଥାନ୍ତି । ତେବେ କୃଷି ସେକ୍ଟରରେ ଉଭୟ କୁଶଳୀ ପେସାଦାର ଓ ଅଣକୁଶଳୀ କର୍ମଚାରୀ ସପ୍ତାହକୁ ହାରାହାରି ୪୦.୨ ଘଣ୍ଟା କାମ କରୁଥିବା ରିପୋର୍ଟରୁ ଜଣାପଡିଛି । କାର୍ଯ୍ୟନିର୍ଘଣ୍ଟକୁ ହ୍ରାସ କରାଗଲେ ଏହା ସଂପୃକ୍ତ କର୍ମଚାରୀ ଓ କମ୍ପାନୀ ସମେତ ଦେଶର ଅର୍ଥନୀତି ପାଇଁ ଲାଭଦାୟକ ହେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆଇଏଲଓ ଅନୁଯାୟୀ ପ୍ରତ୍ୟେକ କର୍ମଚାରୀ ଦିନକୁ ୮ ଘଣ୍ଟା (ସପ୍ତାହକୁ ୪୦ ଘଣ୍ଟା) କାର୍ଯ୍ୟ କରିବା ଉଚିତ । ତେବେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କର୍ମଚାରୀମାନେ ଏହାଠାରୁ ଅଧିକ କିମ୍ବା ଏହାଠାରୁ କମ ସମୟ କାର୍ଯ୍ୟ କରୁଛନ୍ତି । ବିଶ୍ୱର ଏକ ତୃତୀୟାଂଶ (୧/୩) କର୍ମଚାରୀ ନିୟମିତ ସପ୍ତାହକୁ ୪୮ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ଏକ ପଞ୍ଚମାଂଶ (୧/୫) ସପ୍ତାହକୁ ହାରାହାରି ୩୫ ଘଣ୍ଟା କିମ୍ବା ଆହୁରି କମ ସମୟ କାର୍ଯ୍ୟ କରୁଛନ୍ତି । ତେଣୁ କାର୍ଯ୍ୟନିର୍ଘଣ୍ଟ ନିର୍ଦ୍ଧାରଣ କରିବା ସମୟରେ ବ୍ୟବସାୟିକ ସଫଳତା ଏବଂ କର୍ମଚାରୀଙ୍କ ଜୀବନ ଶୈଳୀ ଉପରେ ଏହାର ପ୍ରଭାବ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking