ନୂଆଦିଲ୍ଲୀ: ମ୍ୟାଚ୍ ପୂର୍ବରୁ ଅକ୍ଲାଣ୍ଡ୍ର ଏକ ନିର୍ମାଣାଧୀନ କୋଠାରେ ଜଣେ ବନ୍ଧୁକଧାରୀ ଦୁଇ ଜଣ ଶ୍ରମିକଙ୍କୁ ଗୁଳି କରିଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହି ଗୁଳି ଚାଳନା ଘଟଣାରେ ଜଣେ ପୁଲିସ୍ ଅଧିକାରୀ ଓ ୪ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ଏହି ୨୪ ବର୍ଷୀୟ ଆକ୍ରମଣକାରୀ ଜଣକ ମଧ୍ୟ ନିହତ ହୋଇଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି । ଏହି ଅଘଟଣ ପରେ ପ୍ରଧାନମନ୍ତ୍ରୀ କ୍ରିସ୍ ହିପ୍କିନ୍ସ ନିର୍ଦ୍ଧାରିତ ସମୟରେ ପ୍ରଥମ ମ୍ୟାଚ୍ ଖେଳାଯିବ ଓ ମ୍ୟାଚ୍ରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ସ୍ପଷ୍ଟ କରିଥିଲେ ।
ନିହତ ଶ୍ରମିକମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନ୍ୟୁଜିଲାଣ୍ଡ୍-ନରୱେ ମ୍ୟାଚ୍ ପୂର୍ବରୁ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟପକ୍ଷରେ ଆକ୍ରମଣକାରୀ ଯୁବକ ଜଣକ ପୂର୍ବରୁ ଘରୋଇ ହିଂସାକାଣ୍ଡରେ ସାମିଲ୍ ଥିଲା ଓ ଏଥିପାଇଁ ଗୃହବନ୍ଦୀ ଭାବେ ରହିଥିଲା । ସେ ପୂର୍ବରୁ ଉକ୍ତ ନିର୍ମାଣାଧୀନ କୋଠାରେ କାମ କରୁଥିଲେ ହେଁ କୌଣସି କାରଣରୁ ସେଠାରୁ ତାକୁ ବିଦାୟ କରିଦିଆଯାଇଥିଲା । ତେଣୁ ସେ ଗୁରୁବାର କରିଥିବା ଆକ୍ରମଣ ଏହି ଘଟଣା ସହ ଜଡ଼ିତ ଥାଇପାରେ ବୋଲି ପୁଲିସ୍ କମିଶନର୍ ଆଣ୍ଡ୍ର୍ୟୁ କୋଷ୍ଟର୍ ଅନୁମାନ କରିଛନ୍ତି।