29.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୧୧୭କୁ ବୃଦ୍ଧି : ସିଲ୍‌ଚରରେ ବିକଟାଳ ସ୍ଥିତି

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୧୧୭କୁ ବୃଦ୍ଧି : ସିଲ୍‌ଚରରେ ବିକଟାଳ ସ୍ଥିତି

ଗୁଆହାଟୀ: ଆସାମରେ ଦେଖାଦେଇଥିବା ଭୟଙ୍କର ବନ୍ୟାରେ ଚାରିଜଣ ଶିଶୁଙ୍କ ସମେତ ଆଉ ଦଶଜଣଙ୍କ ମୃତ୍ୟୁ ଘଟିବା ଫଳରେ ମୋଟ ମୃତ୍ୟୁସଂଖ୍ୟା ୧୧୭ରେ ପହଞ୍ଚିଛନ୍ତି । ଏହି ବନ୍ୟାରେ ରାଜ୍ୟର ୨୮ଟି ଜିଲ୍ଲାର ୩୩.୦୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଚାଚାର୍ ଜିଲ୍ଲାର ସିଲ୍‌ଚର ଟାଉନ୍‌ରେ ବିକଟାଳ ସ୍ଥିତି ସୃଷ୍ଟି ହୋଇଛି । ଏହି ଟାଉନ୍ କ୍ରମାଗତ ପାଞ୍ଚଦିନ ଧରି ବନ୍ୟାଜଳରେ ବୁଡ଼ିରହିଛି । ଅନ୍ୟପକ୍ଷରେ ବାରପେଟା, ଧୁବ୍ରି, କରିମଗଞ୍ଜ ଏବଂ ଉଦୟଗିରି ଜିଲ୍ଲାରେ ଦୁଇଜଣ ଲେଖାଏଁ ବ୍ୟକ୍ତି ବନ୍ୟା ଯୋଗୁଁ ପ୍ରାଣ ହରାଇଛନ୍ତି । ସେହିପରି କାଚାର ଏବଂ ମୋରିଗାଓଁ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଜଣାଯାଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଗୁରୁବାର ରାଜ୍ୟର ୩୦ ଜିଲ୍ଲାର ୪୫.୩୪ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଥିଲେ । ତେବେ ଶୁକ୍ରବାର ଅଧିକାଂଶ ନଦୀରେ ଜଳସ୍ତର ହ୍ରାସ ପାଇଥିବାରୁ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି ।

ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ସିଲ୍‌ଚର ଟାଉନ୍‌ର ଅପହଞ୍ଚ ଇଲାକାରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ସହ ବନ୍ୟା ସ୍ଥିତି ଆକଳନ ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇଟି ଡ୍ରୋନ୍ ନିୟୋଜିତ କରାଯାଇଛି । ସେହିପରି ଭୁବନେଶ୍ୱର ଏବଂ ଇଟାନଗରର ଆଠଟି ଏନ୍‌ଡିଆର୍‌ଏଫ୍ ଟିମ୍ ସହ ଦିମାପୁର ଆର୍ମି ଟିମ୍‌କୁ ସିଲଚର୍‌ରେ ଉଦ୍ଧାର ଏକ ରିଲିଫ୍ କାର୍ଯ୍ୟରେ ଲଗାଯାଇଛି । ସିଲ୍‌ଚର ଟାଉନ୍‌ରେ ଜଳବନ୍ଦୀ ଅବସ୍ଥାରେ ଥିବା ୧୪୦ ଜଣ ଲୋକଙ୍କୁ ସେମାନଙ୍କ ଘରୁ ଭାରତୀୟ ଆର୍ମିର ଜବାନମାନେ ଉଦ୍ଧାର କରିଛନ୍ତି । ନାଗାଓଁ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ଥିବାବେଳେ ଲୋକମାନେ ନଦୀବନ୍ଧ ଏବଂ ହାଇୱେ ଉପରେ ଆଶ୍ରୟ ନେଇଛନ୍ତି ।

ମୁକେଶ ଅମ୍ବାନୀଙ୍କ ୨୫ କୋଟି ସହାୟତା ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପୁତ୍ର ଅନନ୍ତ ଆସାମ ବନ୍ୟାକ୍ଳିଷ୍ଟଙ୍କ ପାଇଁ ୨୫ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସେମାନେ ଆସାମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌କୁ ଏହି ଅର୍ଥ ପ୍ରଦାନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା ଟ୍ୱିଟ୍‌କରି ଏହି ଆର୍ଥିକ ସହାୟତା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମ୍ୟାନେଜିଂ ଡାଇରେକ୍ଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଏହି ସହାୟତା ରାଶି ଆମ ବନ୍ୟା ରିଲିଫ୍ କାର୍ଯ୍ୟକୁ ଆଗକୁ ବଢ଼ାଇ ନେବାରେ ଯଥେଷ୍ଟ ସହାୟତା କରିବ । ସେହିପରି ତିବତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ତାଙ୍କ ଗାଡେନ୍ ଫୋଡ୍ରାଙ୍ଗ୍ ଟ୍ରଷ୍ଟ୍‌ରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଅଏଲ୍ ଇଣ୍ଡିଆ ଲିମିଟେଡ୍ ୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଟି-ସିରିଜ୍ ମାଲିକ ଏବଂ ମ୍ୟୁଜିକ୍ ପ୍ରଡ୍ୟୁସର ଭୂଷଣ କୁମାର ୧୧ ଲକ୍ଷ, ଗାୟକ ସୋନୁ ନିଗମ ୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking