29.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଶାହାଜାହାନକୁ ତୁରନ୍ତ ଗିରଫ କର: କୋଲକାତା ହାଇକୋର୍ଟ

ଶାହାଜାହାନକୁ ତୁରନ୍ତ ଗିରଫ କର: କୋଲକାତା ହାଇକୋର୍ଟ

କୋଲକାତା: ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ପଶ୍ଚିମବଙ୍ଗ ସନ୍ଦେଶଖାଲି ଗଣଯୌନ ନିର୍ଯାତନା କାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଶାସକ ତୃଣମୂଳ କଂଗ୍ରେସ ନେତା ଶେଖ୍‌? ଶାହାଜାହାନକୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହୋଇନାହିଁ । ମାମଲାରେ ଶାହାଜାହନର କିଛି ସହଯୋଗୀ ଗିରଫ ହୋଇସାରିଥିବା ବେଳେ ସେ ଏବେବି ଫେରାର ଅଛି । ଏହି ମାମଲାରେ କୋଲକାତା ହାଇକୋର୍ଟ ଆଜି ଉଦବେଗ ପ୍ରକାଶ କରିବା ସହ ରାଜ୍ୟ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଶାହାଜାହାନକୁ କୋର୍ଟରୁ କୌଣସି ସୁରକ୍ଷା ମିଳିନି, କିମ୍ବା ପୋଲିସକୁ ଗିରଫଦାରୀ ରୋକିବା ପାଇଁ କୌଣସି ନିର୍ଦ୍ଦେଶ ମଧ୍ୟ କୋର୍ଟ ଦେଇନାହାନ୍ତି ।

ତଥାପି ଅଭିଯୁକ୍ତ କାହିଁକି ଗିରଫ ହୋଇନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ତାର ନାମ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ସେ ନିଶ୍ଚିତ ଗିରଫ ହେବା କଥା, ତେଣୁ କୌଣସି ପ୍ରକାର ତାକୁ ଗିରଫ କରିବା ପାଇଁ କୋର୍ଟ ଆଜି ବେଙ୍ଗଲ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାରେ ତୃଣମୂଳ ସାଂସଦ ତଥା ମୁଖ୍ୟମନ୍ତ୍ରୀ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଗତକାଲି ସାଙ୍ଘାତିକ ବୟାନ ଦେଇଥିଲେ । କୋର୍ଟ ଶାହାଜାହାନର ଗିରଫଦାରୀ ଉପରେ ସ୍ଥଗିତାଦେଶ ଜାରି କରିଥିବାରୁ ଏପର୍ଯ୍ୟନ୍ତ ତାକୁ ଗିରଫ କରାଯିବା ସମ୍ଭବପର ହୋଇପାରିନି । ଏହି ମନ୍ତବ୍ୟ ପରେ ବିଜେପି ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିବା ସହ ଅଭିଷେକଙ୍କ ଉପରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ଉଚିତ ବୋଲି ଦାବି କରିଥିଲା ।

ତେବେ କୋର୍ଟ ଆଜି ଏହି ମାମଲା ସମ୍ପର୍କିତ ଶୁଣାଣିରେ ଅଭିଷେକଙ୍କ ମନ୍ତବ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟ ଅଭିଯୁକ୍ତ ଶାହାଜାହନକୁ କୋର୍ଟରୁ କୌଣସି ଅନ୍ତରୀଣ କିମ୍ବା ଆଗୁଆ ସୁରକ୍ଷା ପ୍ରଦାନ କରାଯାଇନି । ଅନ୍ୟପଟେ ପୋଲିସକୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ରୋକିବା ପାଇଁ କୌଣସି ନିର୍ଦ୍ଦେଶ ମଧ୍ୟ ମିଳିନି । ତେଣୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ତୁରନ୍ତ ଗିରଫ କରୁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଅଭିଯୁକ୍ତ ବିରୋଧରେ ମୋଟ ୪୩ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୪୨ ଟି ମାମଲାରେ ଚାର୍ଜସିଟ ମଧ୍ୟ ଦାଖଲ କରାଯାଇସାରିଛି । ଏଥିମଧ୍ୟରେ ଆଦିବାସୀଙ୍କ ଜଙ୍ଗଲଜମି ଜବରଦଖଲ ମାମଲା ଓ ଅନ୍ୟ ଅପରାଧିକ ମାମଲା ରହିଛି । ସେହିପରି ଚଢାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଟିମକୁ ଆକ୍ରମଣ ମାମଲା ମଧ୍ୟ ରହିଛି । ଏହି ମାମଲାରେ କୋର୍ଟ ରାଜ୍‌ଯ ପୋଲିସ ଓ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀଙ୍କୁ ନେଇ ଏକ ମିଳିତ ଏସଆଇଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାହା ମଧ୍ୟ କାର୍ଯ୍ୟକାରୀ ହୋଇନଥିବାରୁ ଆଜି କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking