ଭୁବନେଶ୍ୱର : ମାର୍ଗଶିର ଗୁରୁବାର, ଘରେ ମାଆ ଲକ୍ଷ୍ମୀଙ୍କ ପୂଜା ଓ ମାଣବସାର ଆସର । ହେଲେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଘରେ ମାଣବସା ପୂଜା କରିବା ବଦଳରେ ରାଜରାସ୍ତାରେ ବ୍ରତ ପାଳିଛନ୍ତି ଶହ ଶହ ଅଙ୍ଗନବାଡ଼ି ଦିଦି । ସକାଳୁ ଉପବାସ ରହି ରାସ୍ତା ଉପରେ ପୂଜାର୍ଚ୍ଚନା କରିବା ସହ ବ୍ରତକଥା ପାଠ କରିଛନ୍ତି । ନିଜ ହକ୍ ଓ ନ୍ୟାୟ ପାଇଁ ମାଆ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ ।୭ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ପୁରୀ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ଅଙ୍ଗନବାଡ଼ି ଦିଦିମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବା ପରେ ଗାନ୍ଧିମାର୍ଗରେ ଆନ୍ଦୋଳନକାରୀଙ୍କ ସଂଖ୍ୟା ବଢ଼ିଛି ।
ସରକାରୀ ମାନ୍ୟତା ପ୍ରଦାନ ସହ ଅଙ୍ଗନବାଡ଼ି ମାଷ୍ଟରଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ହେଲ୍ପରଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ୩ ବର୍ଷ ସହିଲୁ ଆଉ ସହିବୁନି, ଏଣିକି ସ୍ଥାୟୀ ସମାଧାନ କରନ୍ତୁ ସରକାର ବୋଲି ଅଙ୍ଗନବାଡ଼ି କର୍ମୀ କହିଛନ୍ତି । ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଅନିର୍ଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।










