20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶଚୀନ୍‌ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍‌ର ବାଚସ୍ପତି

ଚୀନ୍‌ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍‌ର ବାଚସ୍ପତି

ୱାଶିଂଟନ୍ : ଚୀନ-ତାଇୱାନ୍ ମଧ୍ୟରେ ପ୍ରବଳ ତିକ୍ତତା । ଏହାରି ଭିତରେ ତାଇପାଇରେ ପହଞ୍ଚିଛନ୍ତି ଆମେରିକା ସିନେଟ୍‌ର ବାଚସ୍ପତି ନାନ୍‌ସି ପେଲୋସି। ନିଆଁରେ ଘିଅ ଢାଲିବା ସଦୃଶ ନାନ୍‌ସି ତାଇୱାନ ଯାଇଛନ୍ତି । ଚୀନର ବାରମ୍ବାର ଚେତାବନୀ ଓ ଧମକ ସତ୍ତ୍ୱେ ନାନ୍‌ସିଙ୍କ ଗସ୍ତ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ସେପଟେ ତାଇୱାନ୍ ସହ ଆମେରିକାର ବନ୍ଧୁତ୍ୱ ଚୁକ୍ତି ଆଧାରରେ ଏହି ଗସ୍ତ । ତାଇୱାନକୁ ସମସ୍ତ ପରିସ୍ଥିତିରେ ସହାୟତା କରିବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ । ଉପୁଜିଥିବା ପରିସ୍ଥତିର ମୁକାବିଲା ପାଇଁ ତାଇୱାନ୍ ନେତାଙ୍କ ସହ ଆଲୋଚନା କରିବାକୁ ଏହି ଗସ୍ତ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ନାନ୍‌ସି । ସେପଟେ ନିଆଁ ସହ ଖେଳିଲେ ପୋଡ଼ି ଯିବା ନିଶ୍ଚିତ ବୋଲି କହିଛନ୍ତି ଚୀନ୍ ବୈଦେଶିକ ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍ । ସେ ଚେତାବନୀ ଦେବା ପରେ ଆଲର୍ଟରେ ରହିଛି ତାଇୱାନ୍ ସେନା । ଚୀନ୍‌ର ଆକ୍ରମଣ ଆଶଙ୍କାକୁ ଦେଖି ପୁରା ଦମ୍‌ରେ ଯୁଦ୍ଧ ପ୍ରସ୍ତୁତି ବି ଚାଲିଛି । ସେନା ଅଧିକାରୀ ଓ ଯବାନଙ୍କ ଛୁଟି ବାତିଲ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପକ୍ଷରେ ପେଲୋସିଙ୍କ ଗସ୍ତକୁ ନେଇ ଚୀନ୍ ଉତ୍ତେଜିତ ହେବାର କୌଣସି କାରଣ ନାହିଁ ବୋଲି ୱାଶିଂଟନ ପକ୍ଷରୁ କୁହାଯାଇଛି । ଅଯଥାରେ ବିବାଦ ସଂକଟ ସୃଷ୍ଟି ନକରିବାକୁ ବେଜିଂକୁ ପରାମର୍ଶ ଦେବା ସହ ଆମେରିକାର ତାଇୱାନ୍ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଆମେରିକା ନ୍ୟାସନାଲ କାଉନସିଲ ମୁଖପାତ୍ର ଜନ୍ କିର୍ବି କହିଛନ୍ତି । ତେବେ ଦେଖିବାକୁ ଗଲେ ପରିସ୍ଥିତି ଏବେ ଦୁଇ ଦେଶ ମଧ୍ୟରେ ଏପରି ହୋଇଛି ଯେ କେତେବେଳେ ବି ଯୁଦ୍ଧ ଆରମ୍ଭ ହୋଇପାରେ । ସୂଚନାଯୋଗ୍ୟ, ତାଇୱାନକୁ ଚାଇନା ସବୁବେଳେ ନିଜର କହି ଆସୁଛି । ହେଲେ ଏହାକୁ ସେଠାକାର ଲୋକ ଗ୍ରହଣ କରୁ ନାହାନ୍ତି ଓ ଚାଇନା ବିରୋଧରେ ବିକ୍ଷୋଭ କରୁଛନ୍ତି । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ନାନ୍‌ସି ତାଙ୍କ ଏସିଆ ଟ୍ରିପ ଆରମ୍ଭ କରିଛନ୍ତି । ସେ ମାଲେସିୟାରେ ପହଞ୍ଚିବା ପରେ ସେଠାରୁ ଯାଇ ତାଇୱାନରେ ପହଞ୍ଚିଛନ୍ତି ।

ନାନ୍‌ସିଙ୍କ ପହଞ୍ଚିବା ପୂର୍ବରୁ ଚାଇନା ଧମକ ଦେଇଥିଲା । ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଥିଲେ ଯେ, “ଚାଇନାର ସାର୍ବଭୌମତ୍ୱ ସୁରକ୍ଷା ସ୍ୱାର୍ଥକୁ ଯଦି ଆମେରିକା ଅଣଦେଖା କରିବ, ତା’ହେଲେ ଏଥିପାଇଁ ଦେଶକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଯାହା ବି ଘଟଣା ଘଟିବ, ସେଥିପାଇଁ ଆମେରିକା ହିଁ ଦାୟୀ ରହିବ ।” ସେହିପରି ନାନ୍‌ସି ପହଞ୍ଚିବା ପରେ ମଧ୍ୟ ଚାଇନା ଧମକ ଦେବାକୁ ପଛାଇ ନାହିଁ । ଚାଇନା ମୁଖପାତ୍ର ହୁଆ ଚୁନୟିଙ୍ଗ ଟ୍ୱିଟ କରିଛନ୍ତି, ଏହା କୌଣସି ପ୍ରକାରର ଅଣସ୍ୱୀକୃତି ପ୍ରାପ୍ତ ଗସ୍ତ ନୁହେଁ । କାରଣ ଆମେରିକା ସଂସଦର ବାଚସ୍ପତି ତୃତୀୟ ସର୍ବୋଚ୍ଚ ପାହ୍ୟାର ଅଧିକାରୀ । ସେ ମିଲିଟାରୀ ବିମାନରେ ଆସି ଉତ୍ତେଜନା ସୃଷ୍ଟି କରିବା ଭଳି କାମ କରିଛନ୍ତି । କିଛି ବର୍ଷ ହେଲାଣି ଆମେରିକା ପ୍ରଶାସନ ୱାନ ଚାଇନା ନୀତିକୁ ଅଣଦେଖା କରି ଆସୁଛି । ତାଇୱାନ ସହ ଆମେରିକା ତା’ର ସମ୍ପର୍କ ବୃଦ୍ଧି କରିବାରେ ଲାଗିଛି ଓ ତାଇୱାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି । ଏହାକୁ ଚାଇନା ଆଦୌ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି । ନାନ୍‌ସି ତାଇୱାନରେ ପହଞ୍ଚିବା ପରେ ସେଠାକାର ଗଣତନ୍ତ୍ରକୁ ସବୁବେଳେ ସମ୍ମାନ କରେ ବୋଲି କହି ପରୋକ୍ଷରେ ଚାଇନାର ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking