ଲକ୍ଷ୍ନୌ : ହିନ୍ଦୁଧର୍ମର ଅନ୍ୟତମ ଧର୍ମଗ୍ରନ୍ଥଭାବେ ପରିଚିତ ‘ରାମଚରିତମାନସ’ର ଜେରକ୍ସ କପି ପୋଡିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୁଲିସ ଲକ୍ଷ୍ନୌ ସହରର ବୃନ୍ଦାବନ ଅଞ୍ଚଳରେ ବାସ କରୁଥିବା ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ସୋମବାର ମାମଲା ରୁଜୁ କରିଛି । ବିଜେପି ନେତା ସତ୍ନାମ ସିଂହ ଲାଭିଙ୍କ ଏତଲାକୁ ଆଧାର କରି ଭାରତୀୟ ପିଙ୍ଗଳ କୋଡ୍ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନଥିବା ପ୍ରକାଶ ।
ଏତଲାରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ଅନୁଯାୟୀ ଅଖିଳ ଭାରତୀୟ ଓବିସି ମହାସଭାର କେତେକ ସଦସ୍ୟ ଏହି ପୋଡି ଘଟଣାରେ ସଂପୃକ୍ତ ଅଛନ୍ତି । ‘ରାମଚରିତମାନସ’ର କେତେକ ଅଧ୍ୟାୟରେ ମହିଳା ଓ ଦଳିତଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରାଯାଇଥିବାରୁ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପ୍ରରୋଚନାରେ ଏଭଳି ପୋଡାପୋଡି କାର୍ଯ୍ୟ ସମ୍ପାଦିତ ହୋଇଥିବା ଜଣାପଡିଛି ।
ରାଜ୍ୟର ଟାଣୁଆ ଓବିସି ନେତାଭାବେ ପରିଗଣିତ ମୌର୍ଯ୍ୟ ଷୋଡଶ ଶତାବ୍ଦସୀରେ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ରଚିତ ‘ରାମଚରିତମାନସ’ ଧର୍ମଗ୍ରନ୍ଥକୁ ବ୍ୟାନ୍ କରିବାକୁୁ ଆହ୍ୱାନ ଦେଇଛନ୍ତି । ସୂଚନାଯୋଗ୍ୟ ଏଭଳି ମନ୍ତବ୍ୟ ଦେବାପରେ କେତେକ ସାଧୁ ଓ ସନ୍ଥ ମୌର୍ଯ୍ୟଙ୍କ ମୁଣ୍ଡକାଟ୍ ଓ ଜିହ୍ୱା ଛେଦନ ପାଇଁ ଧମକ ଦେଇସାରିଛନ୍ତି ।