32.1 C
Bhubaneswar
Monday, May 20, 2024
Homeଓଡିଶାପ୍ରଧାନଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ପାଇଁ ସ୍କୁଲ ମିଶ୍ରଣ ଅଭିଯୋଗ: ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷିତ ଯୁବକ-ଯୁବତୀ

ପ୍ରଧାନଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ପାଇଁ ସ୍କୁଲ ମିଶ୍ରଣ ଅଭିଯୋଗ: ପିଲାମାନଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷିତ ଯୁବକ-ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବଗଡ଼ା ପଞ୍ଚାୟତ ବଳିରାଜ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗତ ୧୯୩୯ରେ ସ୍ଥାପିତ ହୋଇଥିଲା। ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ୱହୀନତା ଓ ଅବହେଳା ପାଇଁ ଅନ୍ୟ ସ୍କୁଲ ସହିତ ମିଶ୍ରଣ ହୋଇଯାଇଥିବା ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ବଳିରାଜ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସ୍ୱାଇଁ ଗତ କୋଭିଡ ସମୟରେ ଦିନକ ପାଇଁ ସ୍କୁଲକୁ  ଯାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

୨୦୨୦ଅକ୍ଟୋବର ୨୯ତାରିଖ ସୁଦ୍ଧା ଅନ୍‌ଲାଇନ ମାଧ୍ୟମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମ ଲେଖାଇବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଥିଲେ ବି ଏସମ୍ପର୍କରେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଭିଭାବକ କିମ୍ବା ଗ୍ରାମ୍ୟ ଶିକ୍ଷା କମିଟିକୁ କିଛି ଜଣାଇନଥିଲେ । କୌଣସି ସୂତ୍ରରୁ ଏସମ୍ପର୍କରେ ଜାଣିବା ପରେ ପ୍ରାଧାନ ଶିକ୍ଷୟିତ୍ରୀଙ୍କ ଘରକୁ ଆସି ପଚାରିବାରୁ, ସ୍କୁଲରେ ନାମ ଲେଖାଇବାକୁ ସିଆରସିସି ଓ ବ୍ଲକ ଶିକ୍ଷାଧିକାରୀ ତାଙ୍କୁ ମନା କରିଛନ୍ତି ବୋଲି କହିଥିଲେ । କିନ୍ତୁ ସିଆରସିସି, ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ପଚାରିବାରୁ, ସେମାନେ ଘଟଣାକୁ ଅସ୍ୱୀକାର କରିଥିଲେ । ନାମଲେଖା ବନ୍ଦ କରିବାକୁ ଉପରିସ୍ଥ ଅଧିକାରୀଙ୍କ କୌଣସି ନିର୍ଦ୍ଦେଶପତ୍ର ପ୍ରଧାନ ଶିକ୍ଷୟିତ୍ରୀ ଅଭିଭାବକଙ୍କୁ ଦେଖାଇ ପାରିନଥିଲେ । ପ୍ରଧାନଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଓ କର୍ତ୍ତବ୍ୟରେ ଅବହେଳା ପାଇଁ ସେହି ଶିକ୍ଷାବର୍ଷରେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମ ଲେଖା ହୋଇପାରିନଥିଲା ।

ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ହୋଇଯିବାରୁ ସେହି ସ୍କୁଲ ଅନ୍ୟ ଏକ ସ୍କୁଲ ସହିତ ମିଶ୍ରଣ ହେବାର ପ୍ରଶ୍ନ ଉଠିଥିଲା । ଏହାପରେ ପ୍ରଧାନଶିକ୍ଷୟିତ୍ରୀ କାହାକୁ କିଛି ନଜଣାଇ ଜଣେ ବିଭାଗୀୟ ଅଧିକାରୀଙ୍କୁ ଡାକି ସ୍କୁଲରୁ ତୁଣୁପୁର ପ୍ରାଥମିକ ବିଦ୍ୟାଳୟ ଏକ କିମି ଦୂରତା ଭିତରେ ବୋଲି ପ୍ରଶାସନକୁ ରିପୋର୍ଟ ଦେବାରେ ସହାୟତା ପ୍ରଦାନ କରିବାରୁ ସମ୍ପୃକ୍ତ ବିଦ୍ୟାଳୟଟି ତୁଣୁପୁର ସରକାରୀ ପ୍ରାଥମିକ ସ୍କୁଲରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରକୃତପକ୍ଷେ ବଳିରାଜ ପ୍ରାଥମିକ ସ୍କୁଲଠାରୁ ତୁଣପୁର ପ୍ରାଥମିକ ସ୍କୁଲର ଦୂରତ୍ୱ ଏକ କିମିରୁ ଅଧିକ । ବଳିରାଜ ପ୍ରାଥମିକ ସ୍କୁଲରେ ପାଠପଢୁଥିବା ବଳିରାଜ, ଜଗନ୍ନାଥପୁର, ଅରଡାସାହି, ଡିହସାହି ପ୍ରଭୃତି ଗ୍ରାମର ପିଲାମାନେ ଏତେଦୂର ତୁଣୁପୁର ପ୍ରାଥମିକ ସ୍କୁଲକୁ ଯିବା ସମ୍ଭବ ନୁହେଁ ବୋଲି ଅଭିଭାବକ ସନ୍ତୋଷ କୁମାର ତ୍ରିପାଠୀ, ପ୍ରହଲ୍ଲାଦ ସେଠୀ, ରତ୍ନାକର ବାରିକ, ସୁବାସ ସେଠୀ, ଖଗେଶ୍ୱର ମହାନ୍ତି, ଧନଞ୍ଜୟ ପରିଡା, ହୃଷିକେଶ ମଲ୍ଲ, ରମାକାନ୍ତ ସାହୁ, ଅଖିଳ ଲେଙ୍କା, ମଙ୍ଗୁଳି ପୃଷ୍ଟି, ପ୍ରଦୀପ ରାଉଳ, କେଳୁ ଚରଣ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ପୂର୍ବରୁ ଅଭିଭାବକ ଓ ଗ୍ରାମବାସୀ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଫଳରେ ଗ୍ରାମର ଶିକ୍ଷିତ ଯୁବକ ଯୁବତୀ ହେମଲତା ଓଝା, ସତ୍ୟବ୍ରତ ନାୟକ, ଜିତେନ୍ଦ୍ର ମୁଦୁଲି ଓ ପୁଷ୍ପାଞ୍ଜଳି ବିଶ୍ୱାଳ ପ୍ରମୁଖ ସେହି ସ୍କୁଲର ଶ୍ରେଣୀଗୃହରେ ଏବେବି ୪୦ରୁ ଊର୍ଦ୍ଧ୍ୱ ଛୋଟ ଛୋଟ ପିଲାମାନଙ୍କୁ ଦୈନିକ ଶିକ୍ଷାଦାନ କରୁଥିବା ଦେଖାଯାଇଛି । ଜିଲ୍ଲାପାଳ ତୁରନ୍ତ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବଳିରାଜ ସରକାରୀ ପ୍ରାଥମିକ ସ୍କୁଲକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମ୍ୟ କମିଟି ସମ୍ପାଦକ ପ୍ରଦୀପ କୁମାର ପତି, ୱାର୍ଡସଭ୍ୟ ବାବୁଲି ସେଠୀ, ହରିହର ଶତପଥୀ, ଚନ୍ଦ୍ରମଣୀ ରାଉଳ, ଶ୍ରୀଧର ସେଠୀ, ଫକୀର ଚରଣ ଓଝା, ସୁବୁଧି ଚରଣ ସାହୁ, ମୁରଲୀଧର ସାହୁ, ରବୀନ୍ଦ୍ର ସାମଲ ପ୍ରମୁଖ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking