ଲଣ୍ଡନ: ଜର୍ମାନ ପ୍ରତିପକ୍ଷ ୟୁଭୋନେ ଲିଗ୍ ପ୍ରଥମ ଗେମ୍ ପରେ ରିଟାୟର୍ଡ ହେବାରୁ ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ମଙ୍ଗଳବାର ଅଲ୍ ଇଂଲଣ୍ଡ ଚାମ୍ପିଅନ୍ଶିପ୍ର ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିଅନ୍ ବିଶ୍ୱ ନଂ.୧୧ ସିନ୍ଧୁ ପ୍ରଥମ ଗେମ୍ ୨୧-୧୦ରେ ଜିତିବା ପରେ ବିଶ୍ୱ ନଂ.୨୬ ଲି ରିଟାୟର୍ଡ ନିଷ୍ପତ୍ତି ନେଇଥିଲେ । ସଂଘର୍ଷପୂର୍ଣ୍ଣ ପ୍ରଥମ ଗେମ୍ ଏକଦା ୪-୪ରେ ଥିବାବେଳେ ସିନ୍ଧୁ ବ୍ରେକ୍ ବେଳକୁ ୧୧-୭ରେ ଅଗ୍ରଣୀ ଲାଭ କରିଥିଲେ । ଏହାପରେ ସେ ତାଙ୍କ ଅଗ୍ରଣୀ ବଢ଼ାଇବା ସହ ଗେମ୍ ଜିତି ନେଇଥିଲେ । ୨୮ ବର୍ଷୀୟା ହାଇଦ୍ରାବାଦୀ ଶଟ୍ଲର୍ ପରବର୍ତ୍ତୀ ରାଉଣ୍ଡ୍ରେ ଟପ୍ ସିଡ୍ କୋରିଆର ଆନ୍ ସେ ୟଙ୍ଗ୍ଙ୍କୁ ଭେଟିବେ । ପୂର୍ବରୁ ଉଭୟଙ୍କ ମଧ୍ୟରେ ଛଅଥର ମୁକାବିଲା ହୋଇଥିବା ବେଳେ ସମସ୍ତ ଥର ୟଙ୍ଗ୍ ବିଜୟୀ ହୋଇଛନ୍ତି । ତେବେ ଗତବର୍ଷ ଦୁବାଇରେ ପରସ୍ପର ଭେଟିଥିବା ବେଳେ ସିନ୍ଧୁ ବିଶ୍ୱ ନଂ.୧ ଖେଳାଳିଙ୍କ ବିପକ୍ଷରେ ଗୋଟିଏ ଗେମ୍ ଜିତିଥିଲେ । ଡାହାଣ ଆଣ୍ଠୁ ଆଘାତରୁ ନିକଟରେ ସୁସ୍ଥ ହୋଇଥିବା ଆନ୍ ସେ ୟଙ୍ଗ୍ ଗତ ରବିବାର ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ହୋଇ ସିଜନ୍ର ଦ୍ୱିତୀୟ ଟାଇଟଲ୍ ଜିତିଥିଲେ ।