ମୁମ୍ବାଇ: ଜଣେ ୨୦ ବର୍ଷୀୟା ଯୁବତୀଙ୍କ ରକ୍ତାକ୍ତ ମୃତଦେହକୁ ନଭି ମୁମ୍ବାଇ ଉରାନ୍ ରେଲୱେ ଷ୍ଟେସନ୍ ନିକଟରେ ଥିବା ଏକ ଜଙ୍ଗଲୀ ବୁଦା ମୂଳରୁ ଠାବ କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ଏକ ପ୍ରେମବ୍ୟାପାର ଜନିତ ହତ୍ୟାକାଣ୍ଡ ବୋଲି ଜାଣିବାକୁ ମିଳିଛି । ଅଭିଯୁକ୍ତ ପ୍ରେମିକଜଣକ ଯୁବତୀଙ୍କୁ ବାରମ୍ବାର ଛୁରୀ ଭୁଷି ହତ୍ୟା କରିବା ପରେ ମୃତଦେହକୁ ଏଠାକୁ ଆଣି ଫିଙ୍ଗିଦେଇଥିବା ପୁଲିସ୍ ଅନୁମାନ କରୁଛି । ଅନ୍ୟପକ୍ଷେ ଅଭିଯୁକ୍ତ ଯୁବକଜଣକ ମଧ୍ୟ ଫେରାର ଅଛି । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ବୋଲି ତଦନ୍ତ ସମୟରୁ ପୁଲିସ୍ ଜାଣିବାକୁ ପାଇଛି । ପୁଲିସ୍ କହିଛି ଯେ, ମୃତ ଯୁବତୀଙ୍କ ନାମ ଯଶଶ୍ରୀ ଶିନ୍ଦେ ଏବଂ ତାଙ୍କ ଘର ଉରାନ୍ ଅଞ୍ଚଳରେ ବୋଲି ଚିହ୍ନଟ କରାଯାଇଛି । ତାଙ୍କ ପରିବାର ଲୋକ ତାଙ୍କ ନିଖୋଜ ଅଭିଯୋଗ ପୁଲିସ୍ରେ ଦାଖଲ କରିଥିଲେ । ଯଶଶ୍ରୀ ନିଜ ଘର ଠାରୁ ୨୫ କିମି ଦୂର ବେଲାପୁରରେ କାମ କରୁଥିଲେ । ପୁଲିସ୍ ଏବେ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ।