33.1 C
Bhubaneswar
Sunday, June 26, 2022
Homeଓଡିଶାକରୋନା ପରେ ଦାଦନମୁହାଁ ଯୁବକ-ଯୁବତୀ

କରୋନା ପରେ ଦାଦନମୁହାଁ ଯୁବକ-ଯୁବତୀ

ଫୁଲବାଣୀ: କନ୍ଧମାଳରୁ ହଟୁନି ଦାଦନ ଦୁଃଖ । କରୋନା କଟକଣା ହଟିବା ପରେ ପୁଣିଥରେ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟରେ ବେକାରୀ ଯୁବକଯୁବତୀ ହେଉଛନ୍ତି ଦାଦନମୁହାଁ । ତେବେ ପୂର୍ବଦିନମାନଙ୍କ ଅପେକ୍ଷା ଏହି ସଂଖ୍ୟା ଏବେ ଦୃତ ଗତିରେ ବୃଦ୍ଧି ପାଉଥିବା ବେଳେ ଏନେଇ ପ୍ରଶାସନ ପାଖରେ କୌଣସି ପ୍ରକାର ଖୋଜ୍ ଖବର ମଧ୍ୟ ନାହିଁ । ଗାଁ ଗାଁରେ ରୋଜଗାର ପାଇଁ ସରକାରୀ ସ୍ତରରେ ଯେଉଁ ଉଦ୍ୟମ କରାଯାଉଛି ସେଥିରେ ଲୋକେ ସନ୍ତୁଷ୍ଟ ହୋଇ ପାରୁନଥିବା ଯୋଗୁଁ ବାଧ୍ୟ ହୋଇ ଦାଦନମୁହାଁ ହେଉଛନ୍ତି ବୋଲି କୁହାଯାଇଛି ।

କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ବ୍ଳକରୁ ଯୁବକ ଓ ଯୁବତୀମାନେ ଦାଦନମୁହାଁ ହେଉଥିବା ବେଳେ ବିଶେଷକରି ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡ଼ିବନ୍ଧ ଓ ରାଇକିଆ ଭଳି ଅନ୍ୟ କେତେକ ବ୍ଳକରେ ଏହି ଦାଦନମୁହାଁ ସଂଖ୍ୟା ଅଧିକ ବୋଲି କୁହାଯାଇଛି । ତେବେ ଏହାକୁ ରୋକିବା ପାଇଁ ବିିଭିନ୍ନ ବ୍ଳକରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ ଏଥିରେ ଅନେକ ସନ୍ତୁଷ୍ଟ ହୋଇ ପାରୁନାହାନ୍ତି । କୁଶଳି ଶ୍ରମିକମାନଙ୍କ ପାଇଁ ସେଭଳି କିଛି ଯୋଜନା ନଥିବା ଯୋଗୁଁ ବାଧ୍ୟ ହୋଇ ସେମାନେ ଦାଦନମୁହାଁ ହେଉଥିବା ବେଳେ ଅନେକ ସମୟରେ ଦାଦନଙ୍କ ଶବ ମଧ୍ୟ ଘରକୁ ଆସୁଥିବାର ଦେଖାଯାଇଛି । ନିକଟରେ ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଲଦାପଙ୍କା ଗ୍ରାମର ପୁଙ୍କୁ ନାୟକ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଟ୍ରେନ୍‌ରେ ହିଁ ସେ ଅସୁସ୍ଥ ହୋଇ ପଡିଥିବା ବେଳେ ସାଥିରେ ଯାଉଥିବା ଅନ୍ୟମାନେ ତାଙ୍କୁ ତୁରନ୍ତ ଚିକିତ୍ସାପାଇଁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାର ଏକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କେବଳ ସେତିକି ନୁହେଁ, ବିଶେଷ ଭାବେ ଜିଲ୍ଲାର ବହୁ ଦର୍ଗମ ଅଞ୍ଚଳର ଯୁବକ ଓ ଯୁବତୀମାନେ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଥିବା ବେଳେ ଅନେକ ସମୟରେ ବିଭିନ୍ନ ଦଲାଲମାନଙ୍କର ଶୀକାର ହେଉଥିବାର ବହୁ ନଜିର ମଧ୍ୟ ରହିଛି ।

ଦଲାଲ ମାନଙ୍କ ଶୀକାର ହେଉଥିବା ସହିତ ଯେଉଁ ଠାରେ କାମ କରିଛନ୍ତି ସେଠାରୁ ମଧ୍ୟ ନିଜର ପାଉଣା ନପାଇବା ଭଳି ଅନେକ ଅଭିଯୋଗ କରି ଗତ କିଛିବର୍ଷ ମଧ୍ୟରେ ଖୋଦ୍ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ କେବଳ ପଞ୍ଜୀକରଣରେ ହିଁ ଶ୍ରମ କାର୍ଯ୍ୟାଳୟରେ ରହିଯାଇଥିବା ମଧ୍ୟ ଅନେକ ଦାଦନ ଅଭିଯୋଗ କରିଛନ୍ତି । ଗତ ୨ ବର୍ଷ ତଳେ କରୋନାର ପ୍ରଥମ ପର୍ଯ୍ୟାୟ ବେଳେ ସରକାରୀ ଭାବେ ୧୨ ହଜାରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକ କାମ ଅଭାବ ସହିତ କରୋନାରୁ ରକ୍ଷା ପାଇବା ପାଇଁ ନିଜ ନିଜ ଗ୍ରାମକୁ ଫେରିଥିବାର ରେକର୍ଡ଼ କରାଯାଇଥିଲେ ମଧ୍ୟ ପରବର୍ତ୍ତୀର୍ ସମୟରେ କରୋନା କଟକଣା ହଟିବା ପରେ ଆଉ ସେ ନେଇ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କରୋନା କଟକଣା ହଟିବା ପରେ ପରେ ପୁଣିଥରେ ଦାଦନମାନଙ୍କ ଫେରନ୍ତା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ତାହା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଜିଲ୍ଲାର ଅନେକ ବ୍ଳକରୁ ଦାଦନମାନେ ଯାଉଥିବା ବେଳେ ଗତ କିଛିଦିନ ମଧ୍ୟରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ୧୦ଟି ପଞ୍ଚାୟତର ପ୍ରାୟ ୬୭୭୧ଟି ପରିବାର ସଦସ୍ୟମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ଏକ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାଯାଇଛି ।

ତଥ୍ୟ ଅନୁସାରେ ଇତିମଧ୍ୟରେ ୨୧.୦୮ ପ୍ରତିଶତ ପରିବାର ଇତି ମଧ୍ୟରେ ଦାଦନ ପାଇଁ ଅନ୍ୟ ରାଜ୍ୟମାନଙ୍କୁ ଗସ୍ତ କରିଥିବାବେଳେ ଦାଦନ ଯିବା ଅପେକ୍ଷାରେ ରହିଛନ୍ତି ୧୪.୪୪ ପ୍ରତିଶତ ପରିବାର । କୋଭିଡ଼୍ ପରେ ପରେ ଏହି ଦାଦନ ସଂଖ୍ୟା ବୃଦ୍ଧି ପାଇଥିବା ମଧ୍ୟ ସର୍ଭେରୁ ଜଣାଯାଇଛି । ଇତିମଧ୍ୟରେ କେବଳ ଦାରିଙ୍ଗବାଡ଼ି ବ୍ଳକର ୫୯.୦୫ ପ୍ରତିଶତ ଯୁବକ ଓ ଯୁବତୀ କେରଳ ଗସ୍ତ କରିଥିବା ବେଳେ ୧୪% ତାମିଲନାଡ଼ୁ , ୮ ପ୍ରତିଶତ ଓଡ଼ିଶାର ବିିଭିନ୍ନ ଅଞ୍ଚଳକୁ ଓ ୪.୦୧ ପ୍ରତିଶତ କର୍ଣ୍ଣାଟକ, ୩.୮ ପ୍ରତିଶତ ଆନ୍ଧ୍ରପ୍ରଦେଶ ଓ ୩.୦୨ ପ୍ରତିଶତ ମହାରାଷ୍ଟ୍ରକୁ ଦାଦନ ଖଟିବାକୁ ଯାଇଛନ୍ତି। ମୋଟ ଗସ୍ତଙ୍କ ମଧ୍ୟରୁ ୫୪.୧୯ ପ୍ରତିଶତ ହେଉଛନ୍ତି ଆଦିବାସୀ ଓ ୩୭.୪୨ ପ୍ରତିଶତ ହେଉଛନ୍ତି ହରିଜନ ଏବଂ ୭.୮୨ ପ୍ରତିଶତ ହେଉଛନ୍ତି ଅନ୍ୟନ୍ୟ ବର୍ଗର ବୋଲି ସର୍ଭେରୁ ଜଣାଯାଇଛି ।

ଶହ ଶହ ସଂଖ୍ୟାରେ ଯୁବକ ଓ ଯୁବତୀ ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ହାତଗଣତି କିଛି ରୋଜଗାର କରୁଥିବାବେଳେ ଅନେକ ଦଲାଲ ମାନଙ୍କର ଶୀକାର ହୋଇଥାନ୍ତି ଓ ଆଉ କେତେକ ଯେତିକି ରୋଜଗାର କରିଥାନ୍ତି ସେହି ତୁଳନାରେ ସେମାନଙ୍କର କିଛି ସଞ୍ଚୟ ହୋଇ ପାରିନଥାଏ ବୋଲି ମଧ୍ୟ ସର୍ଭେରୁ ଜଣାଯାଇଛି । ଏପରିକି ଅନେକ ବିବାହିତ ଯୁବକମାନେ ଦାଦନ ଖଟିବାକୁ ଯାଇ ଆଉ ଫେରିନଥାନ୍ତି । ଯେଉଁ ସ୍ଥାନରେ ସେମାନେ ସେମାନେ କାମ କରିଥାନ୍ତି ସେହି ସବୁ ସ୍ଥାନରେ ସେମାନେ ଦ୍ୱିତୀୟ ବିବାହ କରି ରହିଯାଉଥିବା ଯୋଗୁଁ ନିଜର ବାସ୍ତବିକ ପରିବାର ଠାରୁ ଦୂରେଇ ରହୁଥିବା ମଧ୍ୟ ସର୍ଭେରୁ ଜଣାଯାଇଛି ।

ଫଳରେ ଅନେକ ପରିବାର ପାଇଁ ଦାଦନ ଖଟିବାକୁ ଯାଇ ପରିବାର ଭାଙ୍ଗିଯାଉଥିବାର ମଧ୍ୟ ସର୍ଭେରୁ ଜଣାଯାଇଛ । ଦାଦନ ସମସ୍ୟା ଦୂର କରିବା ପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଇଥିବାବେଳେ ସେଥି ମଧ୍ୟରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଉଛି ଅନ୍ୟତମ । ତେବେ ସେଠାରେ ନିୟୋଜିତ ହେଉଥିବା ଶ୍ରମିକମାନେ ଠିକ୍ ସମୟରେ ସେମାନଙ୍କ ପାଉଣା ନପାଇବା ଯୋଗୁଁ ସରକାରଙ୍କ ଯୋଜନାକୁ ସଂପୂର୍ଣ୍ଣଭାବେ ସେମାନେ ବିଶ୍ୱାସ କରିପାରୁନାହାନ୍ତି । ଫଳରେ କୌଣସି ଉପାୟ ନପାଇ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି କୁହାଯାଇଛି । ତେବେ ଏହା କେବଳ ଦାରିଙ୍ଗବାଡ଼ି ବ୍ଳକ ନୁହେଁ, ଜିଲ୍ଲାର ଅନେକ ବ୍ଲକରେ ଦିନକୁ ଦିନ ଦାଦନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking