ଫୁଲବାଣୀ: ଗୋଟିଏ ଜୁଈରେ ଜଳିଲା ମା ଓ ଝିଅଙ୍କ ମରଶରୀର । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ସହରରେ । ଗତକାଲି ଅପରାହ୍ନ ସମୟରେ ଫୁଲବାଣୀ ତ୍ରିଦେବ ନଗରରେ ବାସ କରୁଥିବା ବ୍ରଜବନ୍ଧୁ ମାଝୀଙ୍କ ଘର କାନ୍ଥ ପଡ଼ିଯିବାରୁ ପରିବାରର ୪ ଜଣ ଚାପିହୋଇ ରହିଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି ସଦସ୍ୟ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଫୁଲବାଣୀ ମେଡିକାଲରେ ପହଞ୍ଚାଇଥିଲେ । ମାତ୍ର ସେଠାରେ ଡାକ୍ତର ମା’ ସୁରଥୀ ମାଝୀ ଓ ୫ ବର୍ଷର ଶିଶୁକନ୍ୟା ସ୍ମିତାରାଣୀ ମାଝୀଙ୍କୁ ମୃତ ଘୋଷଣା କରିଥିଲେ । ରାତି ହୋଇଯାଇଥିବାରୁ ଉଭୟଙ୍କ ଶବ ସତ୍କାର ହୋଇ ପାରିନଥିଲା । ଆଜି ସକାଳୁ ଉଭୟଙ୍କ ମରଶରୀର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ପରିବାର ଲୋକେ ଉଭୟଙ୍କ ଶବକୁ ଗୋଟିଏ ଜୁଇରେ ଦାହ କରିଛନ୍ତି ।