ବେଙ୍ଗାଲୁରୁ: ଦମ୍ପତିଙ୍କ ମଧ୍ୟରେ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ । କର୍ଣ୍ଣାଟକ ପରପ୍ପନା ଅଗ୍ରହରା ପୋଲିସ ଷ୍ଟେସନରେ ଏକ ବିରଳ ମାମଲା ରୁଜୁ ହୋଇଛି । ସ୍ୱାମୀ ପ୍ରାୟ ବର୍ଷେ ଧରି ଶାରୀରିକ ସମ୍ପର୍କ ନ ରଖିବାରୁ ଶେଷରେ ୨୧ ବର୍ଷୀୟ ପତ୍ନୀ ଆଇନର ଆଶ୍ରୟ ନେଇ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଶାରୀରିକ ସମ୍ପର୍କ ପାଇଁ ଅନାଗ୍ରହ ପ୍ରକାଶ କରି ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏହି ୨୧ ବର୍ଷୀୟ ମହିଳା ଜଣକ ଗୃହିଣୀ ହୋଇଥିବା ବେଳେ ତାଙ୍କ ବୈବାହିକ ଜୀବନ ସୁଖଦ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀ ଜଣେ ‘ବଦ ରାଗି’ ବୋଲି ସେ କହିଛନ୍ତି । ବିବାହ ସମୟରେ ସେ ସ୍ୱାମୀଙ୍କ ସହିତ ଯାହା ସବୁ ପ୍ରତିଶୃତି ବା ପ୍ରତିଜ୍ଞା ନେଇଥିଲେ ତାହା ଧୂଳିସାତ ହୋଇଥିବା ବେଳେ ଏକ ସୁଖୀ ବୈବାହିକ ଜୀବନରୁ ତାଙ୍କର ଆସ୍ଥା ଉଠିଯାଇଛି ବୋଲି ଅଭିଯୋଗ କରିଛନ୍ତି ମହିଳା ।
ସବୁରି ପରେ ତାଙ୍କ ସ୍ୱାମୀ ଆପୋଷ ବୁଝାମଣାରେ ଛାଡ଼ପତ୍ର ଦେବାକୁ ରାଜି ହେଉନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ମହିଳା । ମହିଳା ଆହୁରି ଅଭିଯୋଗ କରିଛନ୍ତି ଯେ ସେମାନେ ପରସ୍ପର ପାଇଁ ଫିଟ ନୁହେଁ । ଏଣୁ ସେମାନଙ୍କ ମଧ୍ୟରେ ପ୍ରେମଭାବ ଜାଗ୍ରତ ହେଉନାହିଁ । ଏଣୁ ଏହି ସମ୍ପର୍କକୁ ଭାଙ୍ଗିବା ଲାଗି ସେ ସ୍ୱାମୀଙ୍କ ସହିତ ଅନେକ ଥର କଥା ହେବାକୁ ଚେଷ୍ଟା କରିଛନ୍ତି । ହେଲେ ତାଙ୍କ ସ୍ୱାମୀ ବଦ ରାଗି ହୋଇଥିବାରୁ ବିରକ୍ତି ଭାବ ପ୍ରକାଶ କରିବା ସହ ସଙ୍ଗେ ସଙ୍ଗେ କ୍ରୋଧିତ ହୋଇଯାଆନ୍ତି ବୋଲି କହିଛନ୍ତି ମହିଳା । ଏଣୁ ସେ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି । ଏହି ଦମ୍ପତି ବର୍ଷେ ପୂର୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ମହିଳା ଜଣକ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାର ହୋଇଥିବା ବେଳେ ତାଙ୍କ ସ୍ୱାମୀ ହସନ ଜିଲ୍ଲାର ଅଧିବାସୀ । ଉଭୟ ପରିବାରର ସମ୍ମତି କ୍ରମେ ଦୁହେଁ ବିବାହ କରିଥିଲେ ।
ବିବାହ ପର୍ଯ୍ୟନ୍ତ ଦୁହେଁ ପରସ୍ପର ପାଇଁ ଅଚିହ୍ନା ଥିଲେ । ବିବାହ ପୂର୍ବରୁ ଦୁହେଁ କୌଣସି ବାର୍ତ୍ତାଳାପ ମଧ୍ୟ କରୁନଥିଲେ । ମହିଳାଙ୍କ ସ୍ୱାମୀ ସିକ୍ୟୁରିଟି ସର୍ଭିସ ଫାର୍ମରେ ଜଣେ ସୁପରଭାଇଜର ଭାବେ କାମ କରନ୍ତି । ସୂଚନା ଥାଉ କି ଗତ ମାସରେ ଦମ୍ପତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । କୋର୍ଟଙ୍କ ରାୟ ଅନୁସାରେ ଯଦି ପତି ପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବା ଏକପ୍ରକାର ମାନସିକ ନିର୍ଯାତନା । ଏଣୁ କୋର୍ଟ ଏକ ଦମ୍ପତିଙ୍କ ଛାଡ଼ପତ୍ର ଲାଗି ଅନୁମତି ଦେଇଥିଲେ । କୋର୍ଟ କହିଥିଲେ ଶାରିରୀକ ସମ୍ପର୍କ ସ୍ଥାପନ ପାଇଁ ସ୍ୱାମୀଙ୍କୁ ଅନୁମତି ନଦେବା କ୍ରୁରତା ବା ନିଷ୍ଠୁରତା । ବିନା କୌଣସି କାରଣରେ ଜୀବନସାଥୀଙ୍କ ସହ ଶାରିରୀକ ସମ୍ବନ୍ଧ ପାଇଁ ମନା କରିବା ନିଷ୍ଠୁରତା ସହ ସମାନ । ଯଦି ଦୀର୍ଘ ଦିନ ଧରି ସ୍ତ୍ରୀ ନିଜ ସ୍ୱାମୀଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରନ୍ତି ଏହାକୁ ମାନସିକ କ୍ରୁରତା କୁହାଯିବ ।