କଟକ: ସାବଧାନ । କଟକ ବାଲିଯାତ୍ରା ବୁଲିବାକୁ ଯାଇ ଖାଦ୍ୟ ବଦଳରେ ଖାଉଛନ୍ତି କି ବିଷ । କଟକ ବାଲିଯାତ୍ରାରେ ବାସି ଖାଦ୍ୟ ବିକ୍ରି ନେଇ ସାଂଘାତିକ ଅଭିଯୋଗ ହୋଇଛି । ଏନେଇ କଟକ ମହାନଗର ନିଗମ ଫୁଡ ସେଫ୍ଟି ଟମ ଅଚାନକ ଖାଦ୍ୟର ମାନ ଯାଞ୍ଚ କରିବାକୁ ଚଢାଉ କରିଛି । ଏହି ଚଢାଉରେ ପାଖାପାଖି ୨ କ୍ୱିଣ୍ଟାଲ ବାସି ଖାଦ୍ୟ ଜବତ କରାଯାଇଛି । ଏହାସହ ବ୍ୟବହାର ଅନୁପଯୋଗୀ ତେଲ, ଏକ୍ସପାୟରୀ କ୍ଷୀର ଓ ଦହି ଠାବ ହୋଇଛି । ଗତକାଲି ଥିଲା ବାଲିଯାତ୍ରାର ତୃତୀୟ ସନ୍ଧ୍ୟା । ଆଜି ସକାଳୁ ସକାଳୁ କଟକ ମହାନଗର ନିଗମର ଦୁଇ ଜଣିଆ ଫୁଡ ସେଫ୍ଟି ଟିମ ବିଭିନ୍ନ ଷ୍ଟଲରେ ଯାଞ୍ଚ କରିଥିଲେ । ଏହି ସମୟରେ ବାସି ଖାଦ୍ୟ ସହ ମିଆଦ ଶେଷ ହୋଇଥିବା ଖାଦ୍ୟ ସାମଗ୍ରୀ ଠାବ ହୋଇଥିଲା । ବାଲିଯାତ୍ରାରେ ପ୍ରସିଦ୍ଧ ବାରିପଦାର ମୁଢି ମାଂସ ଖାଇବାକୁ ମଧ୍ୟ ଲୋକଙ୍କ ଭିଡ ଜମିଥାଏ । ହେଲେ ଏହି ଷ୍ଟଲରେ ଅପମିଶ୍ରିତ ମାଂସ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଚଢାଉ ପରେ ଫୁଡ ଟିମ ମାଂସକୁ ନଷ୍ଟ କରିଛି । ତେବେ ପ୍ରଶ୍ନ ଯେ, ଲକ୍ଷ ଲକ୍ଷ ଲୋକ ବାଲିଯାତ୍ରାକୁ ଆସୁଛନ୍ତି, ଯଦି ଏଭଳି ଅପମିଶ୍ରିତ , ନିମ୍ବମନାର ଖାଦ୍ୟ ଖାଇ ଅସୁସ୍ଥ ହେଲେ ଦାୟୀ କିଏ ରହିବ ।










