26.1 C
Bhubaneswar
Wednesday, November 25, 2026
Homeଓଡିଶାବିଜେପି ସରକାର ଓ ଟାଟା ପାୱାରର ମଧୁଚନ୍ଦ୍ରିକା ପାଇଁ ଦୁର୍ଦ୍ଦିନରେ ଅଛନ୍ତି ଠିକା କର୍ମଚାରୀ: ବିଜେଡି

ବିଜେପି ସରକାର ଓ ଟାଟା ପାୱାରର ମଧୁଚନ୍ଦ୍ରିକା ପାଇଁ ଦୁର୍ଦ୍ଦିନରେ ଅଛନ୍ତି ଠିକା କର୍ମଚାରୀ: ବିଜେଡି

ଭୁବନେଶ୍ୱର : ରାଜ୍ୟର ବିଦୁ୍ୟତ୍ ବଣ୍ଟନ କ୍ଷେତ୍ରରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ନ୍ୟାୟସଙ୍ଗତ ଦାବିକୁ ଅଣଦେଖା କରୁଥିବା ବିଜେପି ସରକାର ଓ ଟାଟା ପାୱାରକୁ କଡା ସମାଲୋଚନା କରିଛି ବିଜେଡି ।ଆଜି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଗାନ୍ଧୀ ମାର୍ଗରେ ଚାଲିଥିବା ଅନିର୍ଦ୍ଦିଷ୍ଟ ଅନଶନ ଓ ପ୍ରତିବାଦ ବର୍ତ୍ତମାନ ୫୦ ଦିନ ବିତିଗଲାଣି । କର୍ମଚାରୀମାନେ ଚାକିରି ସୁରକ୍ଷା, ବହିଷ୍କୃତ ଶ୍ରମିକଙ୍କ ପୁନଃନିଯୁକ୍ତି, ସମାନ କାମ ପାଇଁ ସମାନ ମଜୁରି ଓ ଚୁକ୍ତି ପ୍ରଥାର ପରିସମାପ୍ତି ଦାବି କରିଛନ୍ତି । ଆଜି ଭୁବନେଶ୍ୱର ଓ ପିପିଲି ଅଞ୍ଚଳରେ କିଛି କର୍ମଚାରୀ ଉଚ୍ଚ ଭୋଲ୍ଟେଜ୍ ଟାୱାର୍ରେ ଚଢ଼ି ଆତ୍ମହତ୍ୟା ପରି ଭୟଙ୍କର ପଦକ୍ଷେପ ନେବା ଜନମାନସରେ ଉଦ୍ବେଗ ସୃଷ୍ଟି କରିଛି । ଏହା ସରକାରଙ୍କ ଅପାରଗତା ଓ ଟାଟା ପାୱାରର ଦାୟିତ୍ୱହୀନତାର ପ୍ରମାଣ ।

ବିଜେପି ସରକାର ଏବଂ ଟାଟା ପାୱାରଙ୍କ ଅଭିସନ୍ଧିମୂଳକ କର୍ମଚାରୀ ମାରଣ ନୀତି ଲାଗି ଆଜି ବିଦୁ୍ୟତ ବିତରଣ କ୍ଷେତ୍ରରେ ସଂକଟ ଦେଖାଦେଇଛି । ଜୁନ୍ ୨୦୨୪ରୁ ନଭେମ୍ୱର ୨୦୨୬ ପର୍ଯ୍ୟନ୍ତ ସରକାରୀ ବଜେଟ୍ ସହାୟତା ଓ ବିଭିନ୍ନ ସୁବିଧା ଦେଇ ଟାଟା ପାୱାରକୁ ପୃଷ୍ଠପୋଷକତା ଦିଆଯାଉଥିବା ବେଳେ, ସାଧାରଣ ଶ୍ରମିକଙ୍କ ମୌଳିକ ଅଧିକାର ଓ ଦାବିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯିବା ଦୁର୍ଭାଗ୍ୟଜନକ । ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ ନିଜର ରିପୋର୍ଟ ଓ ନିଜଆଡୁ କରିଥିବା ମାମଲାରେ ଟାଟା ପାୱାର ପରିଚାଳିତ ବିତରଣ କମ୍ପାନୀ ଗୁଡିକର ବିଫଳତାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି । ସେବା ମାନଦଣ୍ଡ ପାଳନ ନ କରିବା, ଅନଧିକୃତ ଚାର୍ଜ ଆଦାୟ, ନବୀକରଣ ଓ ଗ୍ରାହକ ସେବାରେ ବିଫଳତା ଇତ୍ୟାଦି ବିଷୟରେ ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ ଚିନ୍ତାପ୍ରକଟ କରିଥିଲା ବେଳେ ସରକାର ନିଦା ବିଷ୍ଣୁ ହୋଇ ଟାଟା ପାୱାରକୁ ସୁରକ୍ଷା ଦେଉଛନ୍ତି ।

ବିଜୁ ଜନତା ଦଳ ଦାବି କରୁଛି ଚୁକ୍ତିଭିତ୍ତିକ ବିଦୁ୍ୟତ୍ କର୍ମଚାରୀଙ୍କ ସମସ୍ତ ନ୍ୟାୟସଙ୍ଗତ ଦାବି ତୁରନ୍ତ ପୂରଣ କରାଯାଉ, ବହିଷ୍କୃତ ଶ୍ରମିକଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦିଆଯାଉ ଏବଂ ଚାକିରି ସୁରକ୍ଷା ସୁନିଶ୍ଚିତ କରାଯାଉ, ଟାଟା ପାୱାର ଓ ସରକାର ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଓ ବଜେଟ୍ ସହାୟତାର ସମ୍ପୂର୍ଣ୍ଣ ତଦନ୍ତ କରାଯିବା ସହ ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗର ରିପୋର୍ଟ ଅନୁଯାୟୀ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବିଜେପି ସରକାର ଯଦି ଶ୍ରମିକଙ୍କ ଦାବିକୁ ଅଣଦେଖା କରନ୍ତି, ତେବେ ବିଜେଡି ଏହି ସଂଘର୍ଷକୁ ଆହୁରି ତୀବ୍ର କରି ଓଡ଼ିଶାର ଶ୍ରମିକ ଓ ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢେଇ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking