ପୁରୀ: ଶ୍ରୀମନ୍ଦିରରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଜଣେ ୱେବ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। କିଛି ଦିନ ତଳେ କ୍ୟାମେରାମ୍ୟାନ ସନାତନ ଭୋଇଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିବା ବେଳେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ‘ସମୟ ଲାଇଭ୍’ର ରିପୋର୍ଟର ଆଦିତ୍ୟ ମହାରଣାଙ୍କୁ କେତେକ ସେବାୟତ ଆକ୍ରମଣ କରିଥିବା ଅଭିଯୋଗସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଦିତ୍ୟ ଶ୍ରୀମନ୍ଦିର ନିକଟରେ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ପଶ୍ଚିମ ଦ୍ୱାର ନିକଟରେ କେତେକ ସେବାୟତ ଭକ୍ତଙ୍କଠାରୁ ଟଙ୍କା ନେଇ ମନ୍ଦିର ଭିତରକୁ ପ୍ରବେଶ କରାଉଥିବା ଦୃଶ୍ୟ ସେ କ୍ୟାମେରାରେ କଏଦ କରିଥିବା କୁହାଯାଉଛି। ଏହାକୁ କେନ୍ଦ୍ର କରି ଆଦିତ୍ୟ ଓ କେତେକ ସେବାୟତଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ସେବାୟତମାନେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆଦିତ୍ୟ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।










