ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଆକଭାନକୁ ନେଇ ସଜାଗ ବିଜୁ ଜନତା ଦଳ । ବାତ୍ୟା ମୁକାବିଲା ସହ ଜନସାଧାରଣଙ୍କୁ ସହାୟତା, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ୭ଟି ଜିଲ୍ଲାରେ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । ଗଞ୍ଜାମରୁ ବାଲେଶ୍ୱର, ୭ଟି ଜିଲ୍ଲା ପାଇଁ ୭ ଜଣ ନେତାଙ୍କୁ ଦାୟିତ୍ୱ ମିଳିଛି । ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ବାତ୍ୟା ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟର ତଦାରଖ କିରବେ ଏହି ନେତାମାନେ । ଜିଲ୍ଲାୱାରୀ ଦାୟିତ୍ୱ ଅନୁସାରେ, ଗଞ୍ଜାମ ଜିଲ୍ଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଗଜପତି ପାଇଁ ନିରଞ୍ଜନ ପୂଜାରୀ, , ପୁରୀ ପାଇଁ ଦେବୀ ପ୍ରସାଦ ମିଶ୍ର ଏବଂ କନ୍ଧମାଳ ପାଇଁ ପଦ୍ମନାଭ ବେହେରାଙ୍କୁ ଦାୟିତ୍ୱ ମିଳିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲା ପାଇଁ ପ୍ରଦୀପ ଅମାତ. ଜଗତସିଂହପୁର ପାଇଁ ଅରୁଣ କୁମାର ସାହୁ ଏବଂ ବାଲେଶ୍ୱର ପାଇଁ ସୁଦାମ ମାର୍ଣ୍ଡିଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ଏହି ୭ ଜଣ ନେତା ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି ଓ ପରବର୍ତ୍ତୀ ସ୍ଥିତି ଉପରେ ନଜର ରଖିବେ । କେବଳ ନେତା ନିଯୁକ୍ତି ନୁହେଁ, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଜେଡି ନେତା ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ ଏହି ନେତାମାନେ। ବାତ୍ୟା ପୂର୍ବ ପ୍ରସ୍ତୁତି, ଜନସାଧାରଣଙ୍କୁ ଆବଶ୍ୟକ ସହାୟତା, ରିଲିଫ୍ ବଣ୍ଟନ ଏବଂ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ। ସମ୍ପୃକ୍ତ ଜିଲ୍ଲାରେ ଦଳୀୟ ସ୍ତରରେ ସମନ୍ୱୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ରହିବ।











