ପୁରୀ: ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ଜଣେ ନାବାଳକ ଓ ଯୁବକ । ପୁରୀ ସମୁଦ୍ର କୂଳ ହୋଟେଲ୍ ଶୁଭ ପ୍ୟାଲେସ ସମ୍ମୁଖ ସେକ୍ଟର ୧୪ରେ ଏହି ଅଘଟଣ ଘଟିଛି। ତେବେ ତୁରନ୍ତ ଅଗ୍ନିଶମ ବିଭାଗ ଓ ଲାଇଫ୍ ଗାର୍ଡ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁରରୁ ପୁରୀ ଆସିଥିଲେ ଆକାଶ ସିଂ ଓ ପ୍ରତାପ ସିଂ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ହଠାତ୍ ବଡ଼ ଢେଉ ଆସିବାରୁ ଦୁହେଁ ଭାସି ଯାଇଥିଲେ । ତେବେ କୂଳରେ ଥିବା ଲୋକେ ଏହା ଦେଖି ଚିତ୍କାର କରିବାରୁ ତୁରନ୍ତ ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସମୁଦ୍ର ଭିତରକୁ ସେମାନଙ୍କୁ ଉଦ୍ଧାର ପାଇଁ ଯାଇଥିଲେ । ଆଉ କିଛି ସମୟ ଭିତରେ ଉଭୟଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିଥିଲେ । ଉଦ୍ଧାର ପରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟ ସୁସ୍ଥ ଅଛନ୍ତି ।










