ବଲାଙ୍ଗୀର: ଭ୍ୟାନ୍ ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଝାଡ଼ଖଣ୍ଡ ନମ୍ବର ଥିବା ଏକ ଡାକ ପାର୍ସଲ ଭ୍ୟାନ୍ ଧକ୍କାରେ ଆଖି ବୁଜିଛନ୍ତି ଦୁଇ ଯୁବକ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର ଏନ୍ ଏଚ୍ -୨୬ର ହୀରାପୁର ଛକ ନିକଟରେ। ମୃତକ ହେଲେ ଗୁଡ଼ଭେଲା ବ୍ଲକ କର୍ଲାଖମନ ଗାଁର ସଞ୍ଜୟ ଦତ୍ତ ବଗର୍ତି ଓ ଉଜ୍ଜ୍ୱଳ ଭୋଇ। ଦୁହେଁ ବାଇକ୍ ରେ ଲୋଇସିଂହାରୁ ବଲାଙ୍ଗୀର ଆସୁଥିବା ବେଳେ ପଛରୁ ଆସୁଥିବା ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚିପାରିନଥିଲା। ସେପଟେ ପୋଷ୍ଟମର୍ଟମକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସର ବୁଝାସୁଝା ପରେ ଶବ ବ୍ୟବଚ୍ଛେଦ ହୋଇଥିଲା। ପରିବାର ପକ୍ଷରୁ କ୍ଷତିପୂରଣ ଦାବି ହୋଇଥିବା ବେଳେ ଭ୍ୟାନ୍ ଡ୍ରାଇଭରଙ୍କୁ ଅଟକ ରଖିଛି ଲୋଇସିଂହା ପୋଲିସ।










