26.1 C
Bhubaneswar
Monday, November 23, 2026
Homeଓଡିଶାଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ସମନ୍ୱିତ ଉଦ୍ୟମ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ସମନ୍ୱିତ ଉଦ୍ୟମ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସାମୂହିକ ଉଦ୍ୟମ ଉପରେ ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାର ବିକାଶ ଲକ୍ଷ୍ୟ ହାସଲ ପାଇଁ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ ବିକାଶମୂଳକ କାର୍ଯ୍ୟର ନିୟମିତ ସମୀକ୍ଷା ସୁନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ସମୟରେ ରାଜ୍ୟପାଳ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲାପାଳ ଅମୃତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବିଭିନ୍ନ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟରେ ସମାପ୍ତି ପାଇଁ ବିଭାଗୀୟ ସମନ୍ୱୟ ଓ ନିୟମିତ ସମୀକ୍ଷାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ଏଥିସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ସାକାର କରିବା ଦିଗରେ ଯୋଗଦାନ ରଖିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ।

ବୈଠକରେ ସାଇନ୍ସ ସିଟି, ଶିଳ୍ପାଞ୍ଚଳ, ବୃହତ୍ ଜଳସେଚନ ପ୍ରକଳ୍ପ, କ୍ରୀଡ଼ା ଭିତ୍ତିଭୂମି, ପାଠାଗାର, ପାଇକ ସ୍ମାରକୀ ଓ ସାଂସ୍କୃତିକ କେନ୍ଦ୍ର, ବୟନ ଶିଳ୍ପ ହବ୍‌ର ସମ୍ପ୍ରସାରଣ, ଚିଲିକା ଇକୋ-ଟୁରିଜିମ୍ ଓ ବନ୍ୟଜନ୍ତୁ ପର୍ଯ୍ୟଟନ ସର୍କିଟ୍, ଐତିହ୍ୟ ଓ ତୀର୍ଥସ୍ଥଳୀର ଭିତ୍ତିଭୂମି ଏବଂ ପାନୀୟ ଜଳ ସୁବିଧା ଆଦି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହାସହ ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଏବଂ ଆଇନଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉପରେ ଜୋର ଦେବା ସହ ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।ଖୋର୍ଦ୍ଧା ଜିଲ୍ଲା ଗସ୍ତ ଅବସରରେ ରାଜ୍ୟପାଳ ଟାଙ୍ଗୀ ବ୍ଲକ୍‌ର ଭୁଷଣ୍ଡପୁରସ୍ଥିତ ପବିତ୍ର ମା’ ଉଗ୍ରତାରା ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଓଡ଼ିଶାବାସୀଙ୍କ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ସେ ମା’ଙ୍କ ଆଶୀର୍ବାଦ ପ୍ରାର୍ଥନା କରିଥିଲେ। ପରେ ସେ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ସାନରାଉତପଡ଼ା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ଏବଂ ପିଏମ୍‌ଏୱାଇ-ଜି, ପୋଷଣ ଓ ମୁଦ୍ରା ଭଳି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଓ ତୃଣମୂଳସ୍ତରରେ ଏହାର ପ୍ରଭାବ ସମ୍ପର୍କରେ ହିତାଧିକାରୀମାନଙ୍କ ଅନୁଭୂତି ଓ ମତାମତ ଶୁଣିଥିଲେ। ସରକାରୀ ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପାଇଁ ଜନସହଭାଗିତାର ଗୁରୁତ୍ୱ ଉପରେ ରାଜ୍ୟପାଳ ଆଲୋକପାତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking